ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାରୁ କୁମାରୀ କାହାଣୀ ।

ଏଣେ ସୁରେନ୍ଦ୍ର କୁମାର ମେଘମାଳାକୁ ଦେଖା କରିବ ବୋଲି ଆସି ପହଁଚିଲା କେନ୍ଦୁଝର ଗଡରେ । ତାକୁ ଖୁବ୍ ଖୋଜାଖୋଜି କରି ତାର କିଛି ସନ୍ଧାନ ନପାଇବାରୁ ଶେଷରେ ସେ ସୁରେନ୍ଦ୍ର କୁମାର ଗୋଟିଏ ବାରିକାଣୀର ଘରେ ବସାଘର ନେଇ ରହିଲା । ମା’ ଝିଅ ଯୋଡିଏ ଛଡା ସେ ବାରିକାଣୀର ଏ ସଂସାରରେ ଆଉ କେହି ନଥିଲେ । ଗରିବ ଲୋକ ପରର ପାଂଚ ପାଇଟି କରି ଚଳାଚଳ ହୁଏ । ଝିଅଟି ଆସି ତା ଯୌବନର ପହିଲି ପାହାଚରେ ଗୋଡ ଦେବାକୁ ବସିଲାଣି । ସେ ଭାରି ଖରୁଖୁରୀ ହସକୁଡୀଟିଏ । ସେ ଦେଖିବାକୁ ଏକ ପ୍ରକାର ସୁନ୍ଦରୀ, ଚାଲାକ୍ ଚତୁରୀ ଓ ଦଜଖୁଟିଏ । ଚାଲିଗଲା ଶଗଡରେ ବି  ହାତ ପୁରାଇ ଦେବ ସେ । ଭଲ ଲୋକଠି ବି ସେ ପୋକ ମାଛି ବସାଇ ଦେବ । ତାକୁ କଥାରେ ବଳାଇଯିବା ଲୋକ ଏ ଦୁନିଆରେ ଖୁବ୍ କମ୍ ।

ସୁରେନ୍ଦ୍ର କୁମାର ସେ ବାରିକାଣୀ ଘରେ ବସା ବାନ୍ଧି ରହିବା ଦେଖି ବାରିକାଣୀର ଝିଅ ଆସି ତା ପାଖରେ ବସିଲା । ଏଣୁ ତେଣୁ କେତେ ପ୍ରକାର ଗପସପ ପକାଇଲା । ତା’ପରେ ସେ ପଚାରିଲା – “ବାବୁ! ତୁମ ଘର କେଉଁ ରାଜ୍ୟରେ?”

ସୁରେନ୍ଦ୍ର କହିଲା – “ପୋଛିକୋଟ୍ ।”

ବାରିକାଣୀର ଝିଅ ପଚାରିଲା – “ତୁମେ ନିଶ୍ଚେ ରଜାପୁଅ ହୋଇଥିବ । ତା ନହେଲେ ତୁମେ ଦେଶ ବୁଲି ଆସନ୍ତ କାହିଁକି?”

ସୁରେନ୍ଦ୍ର କହିଲା – “କଣ କେବଳ ରାଜାପୁଅ ହିଁ ଦେଶ ବୁଲନ୍ତି, ପ୍ରଜାପୁଅ କଣ ବୁଲନ୍ତିନି?

ସେ ବାରିକାଣୀ ଝିଅର ନାମ ଥିଲା ସେରନ୍ତୀ । ସେ କହିଲା – “ବୁଲନ୍ତି ତ ସମସ୍ତେ, ହେଲେ ରାଜାପୁଅ ଆଉ ପ୍ରଜାପୁଅ କ’ଣ ଚିହ୍ନା ପଡିବେ ନାହିଁ ନା କଣ? କଥାରେ ପରା ଅଛି –

କାହିଁ ରାଣୀ କାହିଁ ଚନ୍ଦର କାଣୀ?

କାହିଁ ନଦୀ କାହିଁ ଗୋଖୋଜ ପାଣି?

                ବାବୁ! ତୁମ ଚେହେରା, ତୁମ ଚାଲିଚଳନ, କଥାବାର୍ତ୍ତାରୁ କ’ଣ ମୁଁ ତୁମକୁ ଚିହ୍ନି ପାରୁନି? ଆଉ କାହାକୁ ସିନା ଭୁଲାଇ ଦେଇ ପାରିବ, କିନ୍ତୁ ଏ ସେରନ୍ତୀ ଭଣ୍ଡାରୁଣୀକି କ’ଣ କେବେ ଭୁଲାଇ ଦେଇ ପାରିବ?

ଏପରି କଥା ଶୁଣି ସେ ସୁରେନ୍ଦ୍ର କୁମାର ଟିକିଏ ହସିଦେଲା । ତାପରେ ସେ କହିଲା – “ହେଲେ କ’ଣ ହେବ, ମୁଁ ଦେଖୁଛି ତୁ ଗୋଟିଏ ଚତୁରୀ ବାଳିକା । ଆଚ୍ଛା କହିଲୁ ସେରନ୍ତୀ, ତୁ ମେଘମାଳାକୁ ଚିହ୍ନିଛୁ?”

ସେହି କ୍ଷଣି ଖିଲି ଖିଲି ହୋଇ ଖାଲି ହସି ଉଠିଲା ସେ ସେରନ୍ତୀ । କହିଲା “ଆଗୋ! ତୁମେତ ବାବୁ ଭାରି ଜଣେ ମଉନମୁହାଁ ମଣିଷ । ଖଞ୍ଜରେ ଖଞ୍ଜରେ ତୁମେ ବସିଲଣି ଶିରୀ ମୁଣ୍ଡରେ ଘାଉଡ ଲଗାଇବାକୁ । ଏଥର ମୁଁ ଜାଣିଲି ଯେ –

                କାହା ମନ ଯାଇ କାହିଁ

ରଙ୍କୁଣୀର ମନ                   କ୍ଷୀରି କ୍ଷୀରିସାରେ

                ତୁମ ମନ ଜେମା ଠାଇଁ ।

ଏହା ଶୁଣି ସୁରେନ୍ଦ୍ର କହିଲା – ତୁ ଭାରି ଚତୁରୀ ଝିଅଟିଏ ସେରନ୍ତୀ । ତୋ ଅନୁମାନ ଆଦୌ ମିଛ ନୁହେଁ । ପ୍ରକୃତରେ ମୁଁ ମେଘମାଳା ପାଇଁ ପାଗଳ ହୋଇ ବୁଲୁଛି । ତୁ ଯଦି ତା ସମ୍ବନ୍ଧେ କିଛି ଜାଣୁ, ତେବେ ମୋ ଆଗରେ କହ ।

ସେରନ୍ତୀ କହିଲା – “ତେବେ ମୋତେ କ’ଣ ପୁରସ୍କାର ଦେବ?”

ସୁରେନ୍ଦ୍ର କହିଲା – “ତୁ ଯାହା ଚାହିଁବୁ ।”

ସେରନ୍ତୀ କହିଲା – “ତୁମେ ଯଦି ଆମ ମେଘମାଳା ଦେଈଙ୍କୁ ବିଭା ହେବ, ତେବେ ମୋତେ ନେବ ସାଥିରେ ଦାସୀ କରି ।

ଏପରି କଥା ଶୁଣି ହଠାତ୍ ଆଶ୍ଚର୍ଯ୍ୟ ହେଲା ସେ ସୁରେନ୍ଦ୍ର । ପଚାରିଲା – ‘କାହିଁକି ତୋ’ର ଦାସୀ ହେବାକୁ ଏତେ ଝୁଙ୍କ? ବିଶ୍ୱ ମାତୃକା ଉପବନରେ ତୁ ଗୋଟିଏ ନବକଳିକା ରୂପେ ଦେଖା ଦେଇଛୁ । ତୋତେ ଉପଭୋଗ କରିବା ଲାଳସାରେ କେତେ ମଧୁକର ଛୁଟିବେ । ତୁ ସେମାନଙ୍କୁ ମଧୁ ଦେବୁ, ବଧୂ ହେବୁ, ବନ୍ଧୁ ବାନ୍ଧିବୁ । ଦେବତା ମସ୍ତକରେ ନିବେଦିତା ଫୁଲ ନହୋଇ ତୁ ଛଡା ଫୁଲ ଭଳି ଦୂର ଦୂର ହେବୁ କାହିଁକି?

ସେରନ୍ତୀ କହିଲା – ବାବୁ! ଖାଏ ତ ଖାଏ ମାଲିକ ନୋହିଲେ ଖାଏ ଦେହଲଗା ଚାକର । ଜେମାଦେଈ ଆମର ରାଣୀ ହେଲେ ତାଙ୍କ ଦାସୀ କ’ଣ ତାଙ୍କ ଅଇଁଠା କଂଟାରୁ ଟିକିଏ ପାଇବନି?

ଏବେ ଯାଇ ସେରନ୍ତୀ ମନର କଥା ସୁରେନ୍ଦ୍ର ଠିକ୍ ଠିକ୍ ବୁଝି ପାରିଲା । ତେଣୁ ସେ ସୁରେନ୍ଦ୍ର ସେରନ୍ତୀର ବୁଦ୍ଧିଟାକୁ ତାରିଫ୍ ନ କରି ଆଉ ରହି ପାରିଲାନି । ଯାହା ହେଉ ମନର କଥା ମନରେ ରଖି କହିଲା ସୁରେନ୍ଦ୍ର! ତୋ ମନର ଆଶା ନିଶ୍ଚୟ ମେଂଟିବ । ମୋତେ ଆଗେ ମେଘମାଳା କଥା କ’ଣ ଜାଣିଛୁ କହିଲୁ?

ସେରନ୍ତୀ କହିଲା – “କହିବି କ’ଣ ମ ବାବୁ! ଯଦି ଚାହିଁବ ତ ମୁଁ ଆଜି ତୁମକୁ ନେଇ ତାଙ୍କ ସହିତ ଦେଖା କରେଇ ଦେବି ।

ଏସବୁ କଥା ଶୁଣି ହଠାତ୍ ଆକାଶର ଚାନ୍ଦ ପାଇଲା ପରି ଲାଗିଲା ସୁରେନ୍ଦ୍ରକୁ । ସେ ସଙ୍ଗେ ସଙ୍ଗେ ସେରନ୍ତୀର ହାତଟାକୁ ଟାଣି ନେଇ ତା ହାତରେ ପାଂଚୋଟି ସୁନା ମୋହର ଧରାଇ ଦେଲା ।”

ସେରନ୍ତୀ ଏସବୁ ଦେଖି କହିଲା – ମୋର ଏ ମୋହରଗୁଡାକ କ’ଣ ହେବ ବାବୁ! ଭଗବାନଙ୍କ ଦୟାରୁ ଆମେ ମା’ ଝିଅ ଯୋଡିକଯାକ ତ ଖାଇ ପିଇ ଖୁବ୍ ଭଲରେ ଅଛୁ । ପ୍ରଭୁ ଆମକୁ ଯାହା ଦେଇଛନ୍ତି, ତାହା ସେ ଅନ୍ୟକୁ କଦାପି ଦେଇ ନ ଥିବେ । ଆମେ ସାହୁର ଖାତକ ନୋହୁଁ କି ଖାତକର ମହାଜନ ବି ନୋହୁଁ, ଅଭାବ ପଡିଲେ ବି ଆମେ କେବେ ବି କାହାଠାରୁ ଉଦ୍ଧାର କରୁନାହୁଁ । ଦିହ ଗଞ୍ଜେଇ ଖାଦ୍ୟ ଖାଉ । ଉପାସ ରହିବା ଆମେ ମୋଟେ ଜାଣି ନାହୁଁ । ତମର ଟିକିଏ କ’ଣ କାମ କରିଦେବି ବୋଲି ମୁଁ ତୁମଠାରୁ ଲାଂଚ ନେବି କାହିଁକି? ମୁଁ ଆଗରୁ ଯାହା କହିଛି, ମୋର ସେହି ଗୋଟିଏ କଥା । ତୁମେ ଯଦି ଆମ ଜେମା ଦେଈଙ୍କି ବିଭାହେବ,ତେବେ ମୋତେ ସାଥିରେ ନିଶ୍ଚୟ ନେବ ଦାସୀ କରି । ସେତକ ନ କଲେ ମୁଁ ଆଦୌ ଖୁସି ହେବିନି । ବରଂ ସାରା-ଜୀବନ ପାଇଁ ମୁଁ କାନ୍ଦି କାନ୍ଦି ମରିଯିବି ।

ସୁରେନ୍ଦ୍ର କୁମାର ଦେଖିଲା ସେରନ୍ତୀ ଛୋଟ ଘରର ଝିଅ ଓ ଅତ୍ୟନ୍ତ ଗରୀବ ହେଲେ କ’ଣ ହେବ ହୃଦୟଟା ତା’ର ଖୁବ୍ ଉଚ୍ଚ । ତା କଥାର ଓଜନ ବି ଅଛି । ସେ ଯାହାବି କହୁଛି, ସବୁ ସ୍ଥିର, ନିଶ୍ଚିତ ଏବଂ ପଥର ପରି ଅଟଳ । ତେଣୁ ସେ ସୁରେନ୍ଦ୍ର ଆଉ ବାଧ୍ୟ ବାଧକତା ଭିତରକୁ ନ ଯାଇ ସେହି ସେରନ୍ତୀ କଥାରେ ହିଁ ଏକମତ ହେଲା ।

ସେଦିନ ସନ୍ଧ୍ୟାବେଳେ ସେ ସେରନ୍ତୀ ଗଲା ମେଘମାଳାର ଉଆସକୁ । ସେହି ସମୟରେ ମେଘମାଳା ଗିରିଦୁର୍ଗରୁ ଲେଉଟି ଖୁବ୍ ମନ ଦୁଃଖରେ ଶୋଇଥାଏ । ତାକୁ କେହି କିଛି ପଚାରିଲେ ସେ କାହାକୁ ବି ଭଲ ଭାବରେ ଯବାବ୍ ଦେଉ ନ ଥାଏ କି କାହା ସହିତ ଗୁଡାଏ କଥାବାର୍ତ୍ତା ହେବାକୁ ବି ସେ ଆଦୌ ଭଲ ପାଉ ନଥାଏ । ମନରେ ପୁଣି ଥାଏ ତା’ର ଅସରନ୍ତି ଭାବନା । ସେସବୁ କଥା ଭାବି ଭାବି ବେଳେ ବେଳେ ସେ ଦୀର୍ଘ ନିଃଶ୍ୱାସ ପକାଉ ଥାଏ । ମେଘମାଳାର ଏପରି ଭାବାନ୍ତର ଦେଖି ତା ସଖୀମାନେ ତାକୁ ବେଶି ବିରକ୍ତ ବି କରୁ ନଥାନ୍ତି । ଠିକ୍ ଏତିକିବେଳେ ସେରନ୍ତୀ ଯାଇ ପହଁଚିଲା । କାହାକୁ କିଛି ନ କହି ନ ବିଚାରି ସେ ସେରନ୍ତୀ ସିଧା ଯାଇ ପହଁଚିଲା ମେଘମାଳା ପାଖରେ । ଦେଖିଲା ସେ ମେଘମାଳା ଖୁବ୍ ନୀରବ ହୋଇ ଶୋଇଛି । ତେଣୁ ସେ ତା ଜେମାଦେଈକୁ ଡକା ଡକି ନ କରି ବସିଲା ତାଙ୍କ ଗୋଡ ମୋଡିବାକୁ । ଏଥର ମେଘମାଳାକୁ ଟିକିଏ ଆରାମ ଲାଗିଲା । ମେଘମାଳାର ମନଟା ଯେତେ ଛଟପଟ ହେଉଥିଲେ ବି ସେ କିଛି ବି କହିବାକୁ ଆଦୌ ମନ କଲାନି ତାକୁ । କେବଳ ଏତିକି ପଚାରିଲା “ତୁ କିଏ?”

ସେରନ୍ତୀ କହିଲା – “ଦେଈ! ମୁଁ ସେରନ୍ତୀ ।”

ମେଘମାଳା ପଚାରିଲା – “ଏ ରାତିରେ ତୁ ଏକମୁହାଁ ହୋଇ କୁଆଡେ ଗଡି ପଡିଲୁ କି?

ସେରନ୍ତୀ କହିଲା – “ଆସିଲି ତୁମରି ପାଖକୁ ଦେଈ! ଦି’ଦିନ ହେଲା ତୁମକୁ ଦେଖା କରି ନ ଥିବାରୁ ମୋ ମନଟା ଖୁବ୍ ଛଟପଟ ହେଉଥିଲା । ସତେ! ଆଜ୍ଞା କୁଆଡେ ଯାଇଥିଲ କି?

ମେଘମାଳା କହିଲା – ବନ ଭ୍ରମଣ କରି ।

ସେରନ୍ତୀ ପଚାରିଲା – ସେଠାରୁ ଭଲରେ ଫେରିଲ ତ?

ମେଘମାଳା ସେରନ୍ତୀ ପ୍ରଶ୍ନର କିଛି ବି ଉତ୍ତର ଦେଲାନି । କେବଳ ଗୋଟିଏ ଦୀର୍ଘ ନିଃଶ୍ୱାସ ଟାଣି ନେଇ ସେ ନୀରବ ରହିଲା । ଏସବୁ ଦେଖି ମନରେ ଟିକିଏ ସନ୍ଦେହ ଆସିଲା ସେରନ୍ତୀର । କହିଲେ କ’ଣ ବା ପଚାରିବ ସେ? କଥାରେ ପରା ଅଛି – ସରଗକୁ ନିଶୁଣି ନାହିଁ କି ବଡଲୋକକୁ ଉତ୍ତର ନାହିଁ । ଜେମା ଯେବେ କିଛି ଯବାବ୍ ନଦେଲା, ତେବେ ତାଙ୍କୁ ବାରମ୍ବାର ପଚାରିଲେ କାଳେ ସେ ବିରକ୍ତ ହେବେ ଏଥିପାଇଁ ସେ ଆଉ କିଛି ନ ପଚାରି ଖାଲି ତାଙ୍କୁ ମୋଡିବାରେ ଲାଗିଲା ।

ଦିହେଁ ନୀରବ । କେହି କାହାକୁ କିଛି ବି ପଚାରୁ ନ ଥାନ୍ତି । ଏହି ସମୟରେ ଗୁମ୍ ସୁମ୍ରେ ଦଣ୍ଡେ ଚାଲିଗଲା ପରେ ପୁଣି ମେଘମାଳା ପଚାରିଲା – ତୋ’ର ତ କିଛି କାମ ନଥିଲେ ତୁ ରାତିଟାରେ ଏଠାକୁ ଆସିଥାନ୍ତୁ ବା କାହିଁକି ସେରନ୍ତୀ?

ସେରନ୍ତୀ କହିଲା – “କାମ ତ ଅଛି ।”

ମେଘମାଳା ବି କାଳ ବିଳମ୍ବ ନ କରି ପଚାରିଲା – “କି କାମ?”

ସେରନ୍ତୀ କହିଲା – ଭାରି ବଢିଆ କାମ । ମାତ୍ର ତୁମେ ସତ୍ୟ ନ କଲେ ମୁଁ ସେକଥା ମୋଟେ କହିବିନି ।

ମେଘମାଳା କହିଲା – “କ’ଣ ସତ୍ୟ କଲେ ଯାଇ ତୁ ସେକଥା ମୋତେ କହିବୁ?”

ସେରନ୍ତୀ କହିଲା – ‘ସେଭଳି କିଛି ହାତୀ ଘୋଡା କଥା ସତ୍ୟ କରିବାକୁ ମୁଁ କହୁନି ମ ଦେଈ? କେବଳ ଏତିକି କହୁଛି ଯେ, ତୁମେ ଯାହାଙ୍କର ରାଣୀ ହୋଇ ଯିବ, ମୋତେ ତାଙ୍କର ଦାସୀ କରି ନେବ ।

ମେଘମାଳା ପଚାରିଲା – “ଏଥିରେ ତୋ’ର ବା ଲାଭ ହେବ କ’ଣ?”

ସେରନ୍ତୀ କହିଲା – “ସବୁଦିନ ତୁମ ଗୋଡ ଘଷିବାକୁ, ବୋଲହାକ ଶୁଣିବାକୁ ମୋତେ ମିଳିବ ତ ।”

ମେଘମାଳା କହିଲା – “ପାଗଳୀଟେ କିଲୋ ତୁ? ତୋ’ର ତ ସାରା ଜୀବନ ପଡିଛି । ଆପଣା ଜାତିର ଭେଣ୍ଡିଆଟିର ହାତ ଧରିଲେ ତା କୁଳଲକ୍ଷ୍ମୀ ହୋଇ ତୁ ଶାଶୁ ଘରକୁ ଯିବୁ । ଜୀବନ ଓ ଯୌବନକୁ ଉପଭୋଗ କରିବୁ ତୁ ମନବୋଧ କରି । ତା ସଙ୍ଗେ ସଙ୍ଗେ ସଂସାର ବି ଗଢିବୁ । ତୋର ଅନେକ ପୁଅ ଝିଅ ହେବ । ନିଜ କୁଳରେ ନିଜେ ସାଆନ୍ତାଣୀ ବୋଲାଇବୁ । ସେ ସୁଖ ଓ ସେ ସମ୍ମାନ ଛାଡି ପର ଘରେ ତୁ ଦାସୀ ହୋଇ ରହିଲେ ଲାଭ ପାଇବୁ କ’ଣ?


ଗପ ସାରଣୀ

ତାଲିକାଭୁକ୍ତ ଗପ