ସେରନ୍ତୀ କହିଲା – “ଦେଇ ଆଜ୍ଞା! ସେବାକାରୀ ଜାତି ଆମେ । ତୁମପରି ବଡ ଲୋକ ଝିଅ ବୋହୂଙ୍କ ସେବା ପାଇଲେ ହିଁ ଆମେ ଆପଣାକୁ ଧନ୍ୟ ମନେ କରୁ । ତା ଛଡା ମୁଁ ତୁମକୁ ଏତେ ଭଲ ପାଏ ଯେ, ତୁମଠାରୁ ଦଣ୍ଡେ ପାଖଛଡା ହୋଇ ରହିବାକୁ ମୁଁ ଗୋଟେ ଯୁଗ ପରି ମଣେ । ଅନ୍ତତଃ ଦାସୀ ହୋଇଗଲେ ସେ ଆଶାଟା ମୋର ପୂର୍ଣ୍ଣ ହେବ ତ ।”
ମେଘମାଳା ସେରନ୍ତୀ ସହିତ ଆଉ ବେଶି କିଛି ତର୍କ କଲାନି, ଶେଷରେ କହିଲା – ଆଚ୍ଛା, ଏଥର ମୁଁ ସତ୍ୟ କଲି, ତୋତେ ମୁଁ ନିଶ୍ଚୟ ମୋ ଦାସୀ କରି ନେବି । କ’ଣ କଥାଟା କହିବାକୁ ଆସିଛୁ ତୁ ଏବେ ସେକଥା ତ କହ?
ସେରନ୍ତୀ କହିଲା – “ଦେଈ ଗୋ! ଜଣେ ରାଜାପୁଅ ଦେଖିବାକୁ ରୁପ କାମଦେବ ପରି । ପାଠ ସାଠ ଓ ବଳ କଳରେ ବି ସେ ଖୁବ୍ ଧୁରନ୍ଧର । ସତେ ଯେମିତି ତାଙ୍କୁ ଦେଖିଲେ ଶତ୍ରୁ ବି ଶଙ୍କିଯିବ । ସେ ଖୁବ୍ ମିଠା ମିଠା କଥା କହନ୍ତି । ଖୁବ୍ ମେଳାପି ମଣିଷ ବି ସେ । କାଲିଠୁଁ ଆସିଛନ୍ତି ତୁମ ସଙ୍ଗେ ଦେଖା କରିବାକୁ ।
ମେଘମାଳା ପଚାରିଲା – “ମୋ ପାଖରେ ତାଙ୍କର କାମ କ’ଣ?”
ସେରନ୍ତୀ ସୁରେନ୍ଦ୍ର ପାଖରୁ ତ ସେ ଫରୁଆ କଥାଟି ଶୁଣିଥାଏ । ଏବେ ତାଙ୍କୁ ବା ଆଉ ଲୁଚାଇବ କାହିଁକି? ଠିକ୍ ଠାକ୍ ସବୁ କଥା କହି ଦେଇଗଲା ।
ଏହି କଥା ଶୁଣି ମଉଳି ପଡିଲା ମେଘମାଳା । ହଠାତ୍ ମନଟା ତା’ର ଧାଇଁଲା ଅନ୍ୟ ଏକ ଦିଗକୁ । କଥାରେ ତ ଅଛି ଚୋର ମନ ଗଣ୍ଠିରେ – ଚଷା ମନ କଂଟିରେ । ଫରୁଆ ଭିତର ରହସ୍ୟ ମନେ ପକାଇ ଟିକେ ଦବିଗଲା ମେଘମାଳା । ମନେ ମନେ ସେ ଭାବିନେଲା – ସେ ଯେ କେହି ହେଲେବି ମୋର ହିଁ ସ୍ୱାମୀ ହେବେ । କାରଣ?
ଭାଗ୍ୟ ପରୀକ୍ଷା କରିବାପାଇଁ ଦିନେ ସେ ଶିବପୂଜା କରି ଫରୁଆ ଭିତରେ ନିଜର କେଶ ରଖି ମନାସ କରିଥିଲା, ଏହି ଫରୁଆଟି ମୋର ଭାବି ପତିଙ୍କ ଛଡା ଅନ୍ୟ କାହାରି ହାତରେ ନ ପଡୁ । ସେହି କଥା ମନରେ ପକାଇ ସେ ମେଘମାଳା ଭାବିଲା – ଯେଉଁ ରାଜପୁତ୍ର ଆସିଛନ୍ତି – ସେ ନିଶ୍ଚୟ ମୋର ସ୍ୱାମୀ ହେବେ । ତେଣୁ ସେରନ୍ତୀକୁ ସେ ତା ମନେ ମନେ ଖୁବ୍ ପୌରୁଷ କଲା ଓ କହିଲା – ଦେଖ ସେରନ୍ତୀ! ଜଣେ ବିଦେଶୀ ରାଜପୁତ୍ର ଯେତେବେଳେ ଏତେ ଦୂରଦେଶରୁ ଆସିଛନ୍ତି ଖାସ୍ କରି ମୋତେ ଦେଖା କରିବା ପାଇଁ, ତେବେ ତୁ ତାଙ୍କୁ ଯାଇ ମୋର ଅଭିନନ୍ଦନ ଜଣାଇବୁ । ଆଉ ମଧ୍ୟ ତାଙ୍କୁ କହିବୁ ଜେମାଦେଈ ତୁମକୁ ପ୍ରଣାମ ଜଣାଇ କହିଛନ୍ତି, ଏହି ସାକ୍ଷାତ ପୂର୍ବରୁ ଥରେ ସେ ଯାଇ ମୋ ବାପାଙ୍କୁ ଦେଖା କରନ୍ତୁ । ସେ ଅନୁମତି ଦେଲାପରେ ଯାଇ ଆମ ଦୁହିଁଙ୍କର ଦେଖା ସାକ୍ଷାତ କରିବା ସଙ୍ଗତ ହେବ । କାହିଁକିନା, ଜଣେ କୁମାରୀ ବାପାଙ୍କ ଅନୁମତି ନ’ନେଇ ଅପରିଚିତ ଯୁବକ ସଙ୍ଗେ ଦେଖାକଲେ ଲୋକେ ତାକୁ (ସେହି କୁମାରୀକୁ) ସ୍ୱେଚ୍ଛାଚାରିଣୀ ବୋଲି ଅପଖ୍ୟାତି ଦେବେ ।
ସେରନ୍ତୀ ଏହା ଶୁଣି କହିଲା ଠିକ୍ କଥା କହିଲ ଜେମାଦେଈ । ବାପାଙ୍କ ଅଜ୍ଞାତରେ ଦେଖା ସାକ୍ଷାତ କଲେ କଥାଟା ମୋଟେ ଭଲ ହେବନି । ଯାହାକିଛି ହେଉ ମୁଁ ଯାଇ କାଲି ସକାଳେ ତାଙ୍କୁ ସବୁକଥା ଜଣାଇବି ।
ମେଘମାଳା ପଚାରିଲା – କେଉଁ ଦେଶର ରାଜପୁତ୍ର ସେ, ତା ତୁ ଜାଣୁ?
ସେରନ୍ତୀ କହିଲା – ଜାଣେ ଜେମାଦେଈ । ସେ ପୋଛିକୋଟ ରାଜପୁତ୍ର ।
ମେଘମାଳା ପଚାରିଲା – “ତାଙ୍କ ନାମ?”
ସେରନ୍ତୀ କହିଲା – ସୁରେନ୍ଦ୍ର କୁମାର ।
ମେଘମାଳା ପଚାରିଲା – ଦେଖିବାକୁ ସୁନ୍ଦରଟି ସେ?
ସେରନ୍ତୀ କହିଲା – ଦେଈ ଗୋ! ତାଙ୍କୁ ଦେଖିଲେ ତମ ଆଖି ପରା ଘଡିଏ ଲାଖି ରହିବ ତାଙ୍କଠାରେ । ତାଙ୍କ ମୁଖ ମୟୁଖ ଉପରେ । ସେ ତ ଆଉ ସାଧାରଣ ପୁରୁଷ ନୁହଁନ୍ତି, ଜଣେ ପୁରୁଷରତ୍ନ । ରସିକମାନଙ୍କ ଚୂଡାମଣି । କାମଦେବ କ’ଣ ମ, କହିବାକୁ ଗଲେ ତା ଅପେକ୍ଷା ଅଧିକ ସୁନ୍ଦର ସେ ।
ସେରନ୍ତୀ କଥାରେ ଜେମାଦେଈର ମନ ବି ଆହୁରି ବିଚଳିତ ହୋଇ ଉଠିଲା । ସେ ଭାବିଲା – “କିପରି ଗୋପନରେ ଥାଇ ସେ ସେହି ରାଜପୁତ୍ରକୁ ଟିକିଏ ଦେଖନ୍ତା ।” ହେଲେ ଆଉ ଉପାୟ କିଛି ନଥିଲା ସେତେବେଳକୁ । ତେଣୁ ଅନ୍ୟାନ୍ୟ କଥା ପ୍ରସଙ୍ଗରେ ରାତିଟା କଟାଇ ନେଲେ ।
ସକାଳୁ ସେରନ୍ତୀ ଯାଇ ସୁରେନ୍ଦ୍ର କୁମାରକୁ ସକଳ କଥା କହିଲା । ତାପରେ ତାଙ୍କୁ ସେ ନେଇଗଲା ରାଜାଙ୍କ ପାଖକୁ । ରାଜା କୁମାରର ପରିଚୟ ପାଇ ତାକୁ ଖୁବ୍ ସମାଦର କଲେ । ତାଙ୍କୁ ପାଖରେ ବସାଇ ସମସ୍ତ କୁଶଳ ପଚାରିଲେ । ସେଦିନ ଖାଇବା ପିଇବା ବରାଦ ହେଲା ରାଜବାଟୀରେ । କୁମାରୀ ସଙ୍ଗେ ଦେଖା କରିବା, କଥା ହେବାକୁ ରାଜା କିଛି ଅମତ ନହୋଇ ବରଂ ତାଙ୍କ ଲାଗି ସବୁ କିଛି ସୁବିଧା କରିଦେଲେ । ତହୁଁ ଦାସୀ ଯାଇ ମେଘମାଳାକୁ କହିଲା – ମହାରାଜ କହିଛନ୍ତି, ତୁମେ ସଜବାଜ ହୋଇ ଖୁବ୍ ଆଡମ୍ବରରେ ଥାଅ । ସଂନ୍ଧ୍ୟାକୁ ସେ ପୋଛିକୋଟ ଯୁବରାଜ ଆସିବେ ତୁମକୁ ଦେଖା କରିବାକୁ ।
ମେଘମାଳା ଏହା ଶୁଣି ମନେ ମନେ ବହୁତ ଆନନ୍ଦ ହେଲା ଏବଂ କହିଲା – ଆସନ୍ତୁ । ମୁଁ ତ ମୋ ହୁସିଆରରେ ଅଛି । ଦାସୀ ଲେଉଟିଯାଇ ପୁଣି ଜଣାଇଲା ମହାରାଜାକୁ । ସେଦିନ ସଂନ୍ଧ୍ୟାବେଳେ ଲୋକବାକ ସଙ୍ଗରେ ରାଜା ସୁରେନ୍ଦ୍ର କୁମାରକୁ ପଠାଇ ଦେଲେ ମେଘମାଳା ଉଆସକୁ । ରାଜାମାନଙ୍କ ଘରେ ଯେପରି ଦେଖା ସାକ୍ଷାତ ହେବାର କଥା ସେହିପରି ସାକ୍ଷାତ କାର୍ଯ୍ୟ କରାଗଲା । ମଝିରେ ଥିଲା କାଚବାଡ ଏପାଖରେ ରାଜକୁମାର ଓ ସେପାଖରେ ରାଜକୁମାରୀ । ସେମାନେ ଦୁହେଁ ମନଆନନ୍ଦରେ ବସି ଖୁବ୍ କଥାବାର୍ତ୍ତା ହେଲେ । ମେଘମାଳା ତ ପୁରାପୁରି ତାର ଓଢଣା ଖୋଲି ଦେଇଥାଏ । ତା ଦେହରୁ ବାହାରୁ ଥିବା ସୁଗନ୍ଧ ଉପଭୋଗ କରି ଖୁବ୍ ମତୁଆଲା ହୋଇ ଉଠୁଥାଏ ସୁରେନ୍ଦ୍ର କୁମାର । ତା ଦେହର ସୁବାସ ଈଶ୍ୱର ପ୍ରଦତ୍ତ । ତାହା ବି ପୁଣି ସବୁ ମନୁଷ୍ୟଙ୍କଠାରେ ନ ଥାଏ । ପ୍ରଭୁ ଯାହାକୁ ଯେପରି ଯାହା ଦେବାର କଥା ଦେଇଛନ୍ତି । ଜଣକ ଦେହରେ ମଧୁର ସୁଗନ୍ଧ ପୁରି ରହିଥିଲେ ମଧ୍ୟ ଅନ୍ୟ ଜଣକ ଦେହରେ ଦୁର୍ଗନ୍ଧ ପୁରି ରହିଛି । ଜଣେ ରାଜା ହେଲେ ଅନ୍ୟ ଜଣେ ଭିକାରୀ ସାଜିଛି । ଜଣେ ସ୍ୱରୂପ ସୁନ୍ଦର ହୋଇଥିଲେ ବି ଅନ୍ୟ ଜଣେ କୁରୁପ କୁତ୍ସିତ ହୋଇ ଠିଆ ହୋଇଛି । ଏହା ଈଶ୍ୱରଙ୍କର ଓ ବିଧିର ବିଧାନ ।
ମେଘମାଳା ସୁରେନ୍ଦ୍ରକୁ ଦେଖି ଯେତିକି, ଆନନ୍ଦ ହେଲା ସୁରେନ୍ଦ୍ର ମେଘମାଳାକୁ ଦେଖି ବି ସେତିକି ଆନନ୍ଦ ହେଲା । ସେମାନଙ୍କ ଚାରି ଚକ୍ଷୁ ମିଳିଯିବା ମାତ୍ରେ ଦୁହିଁଙ୍କ ପ୍ରାଣରେ ଦେଖାଗଲା ନବୀନ ସିହରଣ । ଜଣେ ଶିବଙ୍କୁ ପ୍ରାର୍ଥନା କରି କହିଲା – ପ୍ରଭୁ, ପାର୍ବତୀ କାନ୍ତ! ଆଶୀର୍ବାଦ ଦିଅ ସେ ହିଁ ମୋର ସ୍ୱାମୀ ହୁଅନ୍ତୁ । ଆଉ ଜଣେ କହିଲା – ମା’ ମହିଷାମର୍ଦ୍ଦିନୀ ଦୁର୍ଗେ! ଆଶୀର୍ବାଦ କର ଏହି ଯୁବତୀ ଯେପରି ମୋର ସହଧର୍ମିଣୀ ହେଉ ।
ଏପରି ଦୁହେଁ ଦୁହିଁଙ୍କୁ ପାଇବା ପାଇଁ ଖୁବ୍ ବ୍ୟଗ୍ର ହୋଇ ଉଠିଲେ । ଠିକ୍ ଏତିକିବେଳେ ସ୍ନେହବୋଳା କଣ୍ଠରେ ମେଘମାଳା ପଚାରିଲା – “ରାଜକୁମାର! ମୋ’ ଠାରୁ କ’ଣ ଚାହାଁନ୍ତି ଆପଣ?
ସୁରେନ୍ଦ୍ର କହିଲା – ଯଦି କିଛି ନ ଭାବିବ, ତେବେ ମନକଥା ପ୍ରକାଶ କରିବି । ମୁଁ ଚାହେଁ ତୁମକୁ ।
ଏପରି କଥା ଶୁଣି ଅଳ୍ପ ସମୟ ପାଇଁ ନୀରବ ରହିଲା ମେଘମାଳା । ତା’ପରେ ସେ କହିଲା ହେ ରାଜପୁତ୍ର! ଆପଣଙ୍କ ମନ ପରି ମୋ’ ମନ ବି ଚାହୁଁଛି ଆପଣଙ୍କୁ । ହେଲେ ନିୟତିର ବିଚାର ଅନ୍ୟପ୍ରକାର ।
ସୁରେନ୍ଦ୍ର ପଚାରିଲା – “ଅନ୍ୟପ୍ରକାର କ’ଣ?”
ମେଘମାଳା କହିଲା – “ଗୋଟିଏ ବ୍ରତ କରିଛି ମୁଁ । ମୋର ସେ ବ୍ରତଟି ପୂରଣ ନ ହେବା ପର୍ଯ୍ୟନ୍ତ ମୁଁ ମୋଟେ ବିବାହ କରିବିନି ।”
ସୁରେନ୍ଦ୍ର ହଠାତ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲା – “ସେ ବ୍ରତଟି କ’ଣ?”