ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାରୁ କୁମାରୀ କାହାଣୀ ।

ମେଘମାଳା ସେ ପଥର ଦୁର୍ଗ କଥା ଟିଇକରୁ ନିଇଖଯାଏଁ ସବୁ କଥା କହିଗଲା । ସମସ୍ତ କଥା ଶୁଣିସାରି ସୁରେନ୍ଦ୍ର କହିଲା – “ଭଗବାନ ନିଶ୍ଚୟ ତୁମର ପଣ ପୂରଣ କରିବେ । ସେଥିପାଇଁ ଆଦୌ କିଛି ଚିନ୍ତା କରନା ତୁମେ । ଅନ୍ତତଃ ତୁମର ସେ ବ୍ରତ ପୂର୍ଣ୍ଣ ହେବା ଦିଗରେ ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି । ଏହିପରି ନାନା କଥା ଆଲୋଚନା ପରେ ଦିହେଁ ଚିନ୍ତା କଲେ ଦିହିଙ୍କି ପାଇବାକୁ । ସେ ରାତିଟି ଆତିଥ୍ୟ ଗ୍ରହଣ କରିବା ପାଇଁ କୁମାରୀ ସୁରେନ୍ଦ୍ରକୁ ବହୁତ ଅନୁରୋଧ କଲା । ସୁରେନ୍ଦ୍ର ବି ତା’ର ସେ କଥାଟାକୁ ଆଦୌ ପ୍ରତ୍ୟାଖାନ କରି ପାରିଲାନି, ସେହିଠାରେ ରାତିକ ପାଇଁ ରହିଲା । ଯେପରି ସେ ରାଜପୁତ୍ରର କୌଣସି ଅସମ୍ମାନ ନ ହୁଏ, ସେଥିପାଇଁ ଖୁବ୍ ଜାଗ୍ରତ ଥାଏ ମେଘମାଳା ।

ରାଜପୁତ୍ର ହୋଇଥିଲେ ମଧ୍ୟ ସୁରେନ୍ଦ୍ର ସେଦିନ ଯେପରି ଖାଦ୍ୟ ପାନୀୟ ଗ୍ରହଣ କଲା, ତା ଜୀବନରେ ସେପରି ଖାଦ୍ୟ ପାନୀୟ ତାକୁ ଯୁଟିଥିଲା କି ନାହିଁ ସନ୍ଦେହ । ଯାହା ହେଉ, ରାତିଟି ଯଥା ତଥା ଅତିବାହିତ କରି ସକାଳୁ ସୁରେନ୍ଦ୍ର ମାଗିଲା ସେଠାରୁ ବିଦାୟ ।

ମେଘମାଳା କହିଲା – “ଆପଣଙ୍କୁ ବିଦାୟ ଦେବାପାଇଁ ଏ ମନ ତ ମୋଟେ କହୁନି । କେବଳ କର୍ତ୍ତବ୍ୟର ଅନୁରୋଧ ହେତୁ ମୁଁ ବାଧ୍ୟ ହେଉଛି ସମୟ ନେବାପାଇଁ ।

ସୁରେନ୍ଦ୍ର କହିଲା – ତୁମେ ଯାହା କରୁଛ କର । ମୁଁ ଆଜିଠାରୁ ପ୍ରତିଜ୍ଞା କଲି ତୁମଛଡା ଅନ୍ୟ କେହି ମୋରି ହୃଦେୟଶ୍ୱରୀ ହୋଇ ପାରିବେନି । କର୍ତ୍ତବ୍ୟ ଅନୁରୋଧରେ ତୁମେ ଯେବେ ଚିରକୁମାରୀ ରହିବ, ତେବେ ମୁଁ ବି ପାଳନ କରିବି ଚିରକୁମାର ବ୍ରତ ।

ଏହିପରି ପ୍ରତିଜ୍ଞାବଦ୍ଧ ହୋଇ ସୁରେନ୍ଦ୍ର ଯାଇ ପହଁଚିଲା ସେରନ୍ତୀ ଘରେ । ସବୁ କଥା ସେରନ୍ତୀକୁ ଜଣାଇ ସୁରେନ୍ଦ୍ର କହିଲା – “ଥା’ ସେରନ୍ତୀ, ପୁଣି ମାସକ ପରେ ଯାଇ ତୋ ସହିତ ମୋର ଦେଖା ହେବ ।”

ଏପରି କଥା ଶୁଣି ଖାଲି ନିଜ ଆଖିରୁ ଲୁହ ଗଡାଇ କାନ୍ଦିଲା ସେରନ୍ତୀ । ମନରେ ତା’ର ଘୋଟିଗଲା ଅମାସ୍ୟା ନିଶିଥିନୀ; ପରି ତୀବ୍ର ଅନ୍ଧକାର । ତଥାପି ବି ସେ ସେରନ୍ତି ସୁରେନ୍ଦ୍ରଙ୍କୁ ନମସ୍କାର କରି ତାର ପାଦଧୂଳି ନେବାକୁ ଆଦୌ ଭୁଲି ନଥିଲା ।

ସେହି ଅନ୍ଧକାର ଗିରିଦୁର୍ଗ । ପ୍ରେତ ପୁରୁଷର ଲୀଳା ସ୍ଥଳୀ । ପଦେ ପଦେ ଆଖି ଆଗରେ ନଚାଇଦିଏ ମରଣର ବିଭୀଷିକା । ଯାହାର ମୃତ୍ୟୁ ଶୀତଳ ଆଲିଙ୍ଗନ ପ୍ରତି ଭୟ ନାହିଁ ସେହିଁ କେବଳ ସେଠାରେ ପାଦ ପକାଇ ପାରିବ । ଜୀବନ ପ୍ରତି ଯାହାର ମାୟା ଅଛି, ସେ ଭୁଲ୍ରେ ମଧ୍ୟ ତା ଭିତରକୁ କେବେବି ନିଜ ପାଦ ବଢାଇବନି ।

ମେଘମାଳା ମୁଖରୁ ତା’ର (ସେହି ଦୁର୍ଗର) ଭୀଷଣତା ସମ୍ବନ୍ଧେ ସମସ୍ତ କଥା ଜାଣି ଶୁଣି ମଧ୍ୟ ସୁରେନ୍ଦ୍ର କୁମାର ସେଠି ନିଜ ପାଦ ପକାଇଛି । କେବଳ ଚାରୁ କୁମାରୀର ପାଷାଣୀ ମୂର୍ତ୍ତି ଦେଖିବାକୁ ନୁହେଁ । ମେଘମାଳାକୁ ପଣ ମୁକ୍ତ କରିବା ହେଉଛି ତା’ର ଇଛା । ବରଂ ତା ପ୍ରାଣ ଯିବ, ତଥାପି ବି ସେ ପଶ୍ଚାତପଦ ନ ହୋଇ ପଥରକୁ ମଣିଷ କରିବାକୁ ଭାବିଛି ।

ସାରା ଦିନ ଜଙ୍ଗଲ ପଥରେ ଘୋଡା ଛୁଟାଇ ଦଉଡିଛି ସେ ସୁରେନ୍ଦ୍ର ପାଗଳଙ୍କ ପରି । ପଥଶ୍ରାନ୍ତ ହେତୁ ସୁରେନ୍ଦ୍ରର ସାରା ଶରୀରଟା ବୁଡି ଯାଇଛି ଝାଳ ନାଳରେ । ତା ଦେହର ଲୁଗା ଓ ପୋଷାକ ପୁରା ଓଦା । ଖରା ତାପରେ ମୁହଁ ତାଙ୍କର କଳା ପଡିଛି । ତଥାପି ବି ତାଙ୍କ ପ୍ରାଣରେ ତିଳେମାତ୍ର ଅବସାଦ ଆସିନି । ଠିକ୍ ସଂନ୍ଧ୍ୟା ହୋଇ ଆସିଲା ବେଳକୁ ସେ ସୁରେନ୍ଦ୍ର ଯାଇ ପହଁଚିଲା ସେହି ଗିରି ଦୁର୍ଗରେ ।

ଲୁହା କବାଟ ଖୋଲି ସେ ତା ଭିତରକୁ ଗଲା । ଖୋଜି ହୋଜି ହୁଳା ଜଳାଇ ରାତି ପ୍ରହରକ ସୁଦ୍ଧା ସେ ଯାଇ ପାଇଲା ଚାରୁକୁମାରୀର ପଥର ପ୍ରତିମାଟି । ନିରେକ୍ଷି କରି ସୁରେନ୍ଦ୍ର କେବଳ ଚାରୁକୁମାରୀର ରୂପକୁ ଦେଖିଲା । ହଠାତ୍ ହା-ହା’କାର କରି ଉଠିଲା ମନ ଭିତରଟା ସୁରେନ୍ଦ୍ରର । ସୁରେନ୍ଦ୍ରର ପ୍ରାଣରେ ବି ଖୁବ୍ ସହାନୁଭୁତି ଆସିଲା ସେହି ଚାରୁ କୁମାରୀ ପାଇଁ । ସୁରେନ୍ଦ୍ରର ମନରେ ଦୟା ହେଲା, ସ୍ନେହ ବି ଜାଗିଲା । ତେଣୁ ସେହି ଚାରୁ କୁମାରୀର ମୁଣ୍ଡଠାରୁ ପାଦପର୍ଯ୍ୟନ୍ତ ଆଉଁସିଦେଲା ସେ କୁମାର । ପାଗଳଙ୍କ ପରି ସୁରେନ୍ଦ୍ର ଥରା ଗଳାରେ କହିଲା – “ତୁମେ କୁହ ପଥର କୁମାରୀ, ଯଦି ମୋ’ ପ୍ରାଣ ଦେଲେ ତୁମେ ଏ ସମସ୍ୟାରୁ ମୁକ୍ତ ହୋଇ ପାରିବ, ତେବେ ମୁଁ ଚେଷ୍ଟା କରିବି । ଜୀବନ ବଳି ଦେବାକୁ ପଡିଲେ ମଧ୍ୟ ମୁଁ ଦେଇ ପାରିବି । ମଉନ ହୋଇ ମୋଟେ ବସନା । କଥା କହ, ପାଷାଣୀ! ତୁମ ପାଇଁ ମୁଁ କ’ଣ କରିପାରିବି?

ଠିକ୍ ଏହି ସମୟରେ ଶୂନ୍ୟରେ ଶୁଣାଗଲା ଗୋଟାଏ ପ୍ରବଳ ଅଟ୍ଟହାସ୍ୟ । ତା’ପରେ କିଏ ଜଣେ କହି ଉଠିଲା – ଯଦି ଚାରୁକୁମାରୀର ଜୀବନ କାମନା କରୁଛ, ତେବେ ନିଜ ଶିରକମଳ ଦାନ କର । ଆଉ କିଛି ଅସୁବିଧା ରହିବନି ।

ତେଣେ ପଥର ପ୍ରତିମା ଥରି ଉଠିଲା । ଏଣେ କୁମାର ତା’ର ତରବାରୀ ଖଣ୍ଡିକ କୋଷମୁକ୍ତ କଲା । ଶୂନ୍ୟ ପୁରୁଷ କାହିଁକି, ମୁଣ୍ଡ ହୀନ ପ୍ରେତ କହିଲା – ଆଉ ବିଳମ୍ବ କାହିଁକି? ମୁଣ୍ଡ ବଳିଦିଅ । ଚାରୁ କୁମାରୀ ନିଜ ରୂପ ଫେରିପାଉ । ଏ କଥା ଶୁଣି ନିଜ ହାତରେ ନିଜ ମୁଣ୍ଡ କାଟି ଦେଲା ସେ କୁମାର ।

ସଙ୍ଗେ ସଙ୍ଗେ ମୁଣ୍ଡହୀନ ପ୍ରେତ ଉଠାଇ ନେଲା ସେ ସୁରେନ୍ଦ୍ରର କଟା ମୁଣ୍ଡଟାକୁ । ଖଞ୍ଜି ଦେଲା ତାକୁ ଆପଣା ବେକରେ । ପାଷାଣୀ ଚାରୁ ପଥର ପ୍ରତିମା ଛାଡି ସୁନ୍ଦରୀ କୁମାରୀ ହୋଇ କାନ୍ଦି ଉଠିଲା ସେତିକି ଯୋର୍ରେ, ପ୍ରେତ କହିଲା – ଶୁଣ ଚାରୁ କୁମାରୀ! ତୁ ବଂଚିଲେ ବି ମଲା ଅପେକ୍ଷା ବଳି । ତେଣୁ ତୋ’ଠାରେ ମୋର ଆଉ କୌଣସି କାର୍ଯ୍ୟ ନାହିଁ । ଏଣିକି ମୁଁ ଚାଲିଲି ମେଘମାଳା ପାଇଁ । ତୋ ଅପେକ୍ଷା ଶତଗୁଣେ ସୁନ୍ଦରୀ ସେ । ମେଘମାଳା ବଚନ ଦେଇଛି ତୁ ବଂଚିଲା ପରେ ସେ ବିଭା ହୋଇଥାନ୍ତା ଏହି ରାଜକୁମାରକୁ । ମୁଣ୍ଡ ଘେନି ମଣିଷ ଚିହ୍ନାଯାଏ । ତେଣୁ କୌଶଳ କରି ତା ମୁଣ୍ଡଟା ନେଇ ମୁଁ ଏଠାରୁ ବାହାରିଲି । ମେଘମାଳାକୁ ପାଇ ମୁଁ ହସି ହସି ଗଡିଯିବି । ତୁ ତୋ’ର ଉପକାରୀ ରାଜପୁତ୍ରର ଶବ ଧରି ଏଠି କାନ୍ଦୁଥା ।

ଏତିକି ମାତ୍ର କଥା କହି ତୁରନ୍ତ ସେଠାରୁ ଅନ୍ତର୍ଦ୍ଧାନ ହେଲା ସେ ପ୍ରେତ । ଚାରୁ କୁମାରୀ ସେ ମୁଣ୍ଡହୀନ ରାଜପୁତ୍ରର ଗଣ୍ଡିଟିକୁ କୁଣ୍ଢାଇ ଧରି କେବଳ କାନ୍ଦିବାକୁ ଲାଗିଲା ସାରା ରାତି । ସକାଳ ହେବାକୁ ଆଉ ଦଣ୍ଡେ ମାତ୍ର ଥାଏ, ସ୍ୱର୍ଗ କନ୍ୟାମାନେ ଆକାଶରେ ଉଡି ଉଡିକା ଆସିଲେ ବୈତରଣୀରେ ବୁଡ ପକାଇବାକୁ । ଗୋଟିଏ ନିର୍ଜନ ଦୁର୍ଗରେ ବାଳିକାଟିଏ କାନ୍ଦୁଥିବା ଦେଖି, ମୋହିନୀପରୀ କହିଲା – ଭାମିନୀ ପରୀକୁ । ଆଗୋ ସଙ୍ଗାତ! ରାତି ଆସି ପାହାନ୍ତା ପହରରୁ ଗଡିବାକୁ ବସିଲାଣି । ନିଘୋଡ ବଣ ଭିତରେ ପଥର ଦୁର୍ଗ ସେଠି ତ ଆମେ ଦିନେ କାଳେ ମଣିଷର ସନ୍ଧାନ ପାଇନୁ । ଆଜି ପୁଣି କାନ୍ଦୁଛି ଗୋଟିଏ କିଏ?

ଭାମିନୀ କହିଲା – ଯିଏ ପାରି ସିଏ କାନ୍ଦୁ । ସେଥିରେ ଆମର ଯାଏ ଆସେ କେତେ? ରାତି ତ ସରି ଆସିଲାଣି ତେଣୁ ସହଳ ଆସ, ବୈତରଣୀରେ ବୁଡ ପକାଇ ଆମେ ଏଠାରୁ ଲେଉଟି ଯିବା ।

ମୋହିନୀ କହିଲା – ସଙ୍ଗାତ! ତୁମ ହୃଦୟଟା କ’ଣ ପାଷାଣରେ ଗଢା କି? ଶୁଣୁନ, ଆମରି ପରି ସ୍ତ୍ରୀଲୋକ ଜଣେ ସେଠାରେ ଖୁବ୍ ବିକଳ ହୋଇ କାନ୍ଦୁଛି । ଆମେ ନ ଶୁଣିଥିଲେ ନାହିଁ । ଶୁଣିକରି ଛାଡିଗଲେ ଆମର ଭାରି ଅଧର୍ମ ହେବ । କଣ ଆମେ ନାରୀ ହୋଇ ଆଉ ଏକ ନାରୀକୁ ସାହାଯ୍ୟ କରିବା ନାହିଁ ।

ଏ କଥା ପଦକରେ ଭାମିନୀର ମନଟା ଅଚାନକ ନରମ ହୋଇ ଆସିଲା । ସେ ଆଉ କିଛି  ପ୍ରତିବାଦ କଲାନି । କହିଲା – ତେବେ ତଳକୁ ଖସ, ଚାଲ ଆମେ ତାକୁ ଦେଖି ଆସିବା କାହିଁକି ସେ କାନ୍ଦୁଛି… । ଏହିପରି କଥାବାର୍ତ୍ତା ହୋଇ ଦିହେଁ ଓହ୍ଲାଇପଡିଲେ ସିଧା ତଳକୁ । ଚାରୁ ସେମିତି ସୁରେନ୍ଦ୍ରର ଗଣ୍ଡିଟାକୁ କୁଣ୍ଢେଇ କାନ୍ଦୁଥାଏ । ଚାରୁକୁ ସବୁ କଥା ପଚାରି ବୁଝିଲେ ଏହି ସ୍ୱର୍ଗ କନ୍ୟାମାନେ । ସାନ୍ତ୍ୱନା ଦେବାକୁ ଯାଇ ସ୍ୱର୍ଗ କନ୍ୟାମାନେ ଚାରୁକୁ କହିଲେ କନ୍ଦାକଟା କିଛି କରନା । ଯଦି ତାଙ୍କର ମଙ୍ଗଳ ଚାହୁଁ ତେବେ ତୁ ଏତିକି ବେଳଠୁ କବନ୍ଧ ଶବଟାକୁ ନେଇ ସିଧା ଚାଲିଯା ମଙ୍ଗୁଋଷିଙ୍କ ଆଶ୍ରମକୁ । ତାଙ୍କ ଦୟା ହେଲେ ପୁଣି ନିଶ୍ଚେ ବଂଚି ଉଠିବ ଏ କୁମାର ଜଣକ ।

ଚାରୁ ଏ ସବୁ କଥା ଶୁଣି ପଚାରିଲା – ଆଚ୍ଛା ମୁଁ ସେଠାକୁ କେମିତି ଯିବି? ମୁଁ ତ ବାଟ ଘାଟ ଦେଖିନି ସେଠିକି ଯିବା ପାଇଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ