ସମ୍ରାଟ୍ ବିରବଲଙ୍କ ମୁଖରୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ – ଏକଥାର ସଠିକ୍ ପ୍ରମାଣ ଦେଇ ପାରିବ ତ? ବେପାରୀମାନେ ଯେବେ ମୁଲ୍ଲାମାନଙ୍କଠାରୁ ଅଧିକ ଚାଲାଖ୍ ତାହାହେଲେ ତାହାର କିଛି ପ୍ରମାଣ ତୁମେ ଦେଇପାରିବ ତ?
ବିରବଲ କହିଲେ – ଜାହାଁପନା, ବିରବଲ ସମ୍ରାଟଙ୍କ ବିଷୟରେ ସଦାସର୍ବଦା ଅବଗତ, କଥା ଆରମ୍ଭ କରିବା ଆଗରୁ ଦଣ୍ଡ ମନୁଷ୍ୟକୁ କେତେବେଳେ ଓ କାହିଁକି ମିଳେ ତାହା ବିଚାର ନ କରିବା ଯାଏଁ ବିରବଲ ତୁଣ୍ଡ ଖୋଲେ ନାହିଁ । ବେପାରୀମାନେ ଆମ ରାଜ୍ୟରେ ଚାଲାଖ୍ ବୋଲି ମୁଁ ଯେତେବେଳେ କହିବି, ଏହା କହିବା ବା ପ୍ରମାଣ କରିବା ଆଗରୁ ମୋର ଗୋଟିଏ ସର୍ତ୍ତ ଅଛି ଆଜ୍ଞା ।
ସମ୍ରାଟ୍ କହିଲେ, ଏଥିରେ ପୁଣି ତୁମର ସର୍ତ୍ତ କ’ଣ ଅଛି ବିରବଲ । ତାହା ହେଲେ କହିପାର ତୁମର ସେହି ସର୍ତ୍ତ କ’ଣ?
ବିରବଲ କହିଲେ – ମୁଁ କଥାକୁ ସଂପୂର୍ଣ୍ଣ ଭାବରେ ପ୍ରମାଣ ନ କରିବା ଯାଏଁ ହଜୁର୍ ମଝିରେ କିଛି ବକ୍ତବ୍ୟ ଦେବେ ନାହିଁ ।
ସମ୍ରାଟ୍ ଆକବର କହିଲେ – ତାହାହେଲେ ଠିକ୍ ଅଛି । ତୁମର ସର୍ତ୍ତରେ ମୁଁ ରାଜି ହେଲି । ଆସନ୍ତାକାଲି ପ୍ରାତଃ ସମୟରେ ଦରବାରକୁ ଆସ । ଆଉ କାଲି ଦରବାରର ପ୍ରଥମ କାର୍ଯ୍ୟ ହେବ ତୁମର ।
ସେଦିନର ରାତି ପାହିଲା । ରାତ୍ରିସାରା ବିରବଲଙ୍କର ବିଚାର ବିମର୍ଷ ମନ ମଧ୍ୟରେ । ସକାଳ ହେବାରୁ ନିଜର ସମସ୍ତ ନିତ୍ୟକର୍ମ ସମାପନ ପରେ ବିରବଲ ନିଜର ପୋଷାକ ପିନ୍ଧି ବାହାରି ଗଲେ ସମ୍ରାଟଙ୍କ ଦରବାରକୁ ।
ସମ୍ରାଟ୍ ଅପେକ୍ଷା କରିଥିଲେ । ବିରବଲ ଯେତେବେଳେ ପହଁଚିଗଲେ ସଂଗେ ସଂଗେ ସମ୍ରାଟ୍ ଆଗରୁ ଡକାଇ ଆଣିଥିବା ମୁଲ୍ଲାଙ୍କୁ ଦରବାର ମଧ୍ୟକୁ ଆସିବାକୁ କହିଲେ । ବିରବଲ ମଧ୍ୟ ଶ୍ରଦ୍ଧା ଓ ସମ୍ମାନର ସହ ମୁଲ୍ଲାଙ୍କୁ ନିଜ ପାଖରେ ବସିବାକୁ କହିଲେ ।
ଏବେ ବିରବଲ ପୁଣି ପ୍ରଶ୍ନ କଲେ ଯେ, ମୁଲ୍ଲାଜୀ ବାଦ୍ଶାହା ସଲାମତଙ୍କର ଆପଣଙ୍କ ଦାଢି ଶକ୍ତ ଜରୁରତ୍ ।
ଏବେ ଦାଢି ବଦଳରେ ତୁମେ ଯାହା ମାଗିବ ତୁମକୁ ତାହା ମିଳିଯିବ । କାରଣ ତୁମର ସେହି ଦାଢି ସମ୍ରାଟଙ୍କର ନିତ୍ୟାନ୍ତ ଦରକାର ହେତୁ ମୁଁ ତୁମକୁ ତାହା କହୁଅଛି । ତେବେ ଦାଢି ବଦଳରେ ତୁମର ଯାହା ଦରକାର ତାହା ତୁମ୍ଭର ଦାବି ଅନୁସାରେ ପୂରଣ କରାଯିବ ।
ବିରବଲ କେବେ କାହାକୁ ଆଦର କରି ପାଖରେ ବସାଇବାର ଦୃଶ୍ୟ କେବେ କାହାରି ନଜରକୁ ଆସିନାହିଁ । ସେଦିନ କିନ୍ତୁ ଏକଥା ଦେଖି ମୁଲ୍ଲା ଆଶ୍ଚର୍ଯ୍ୟ ହୋଇଥିଲେ । ପୁଣି ବିରବଲଙ୍କର ପ୍ରଶ୍ନ ଶୁଣି ମୁଲ୍ଲାର ପିଳେହି ପାଣି ହେବାକୁ ଲାଗିଲା । ପୁଣି ଏପରି ଦାଢି ପ୍ରସଙ୍ଗ ମୁଲ୍ଲାଙ୍କୁ ଅତ୍ୟଧିକ ଭୟଭୀତ କରାଇଦେଲା ।