ବିରବଲଙ୍କ ମୁଖରୁ ଏକଥା ଶୁଣି ବେପାରୀ ଜଣକ ବିଚଳିତ ହୋଇପଡିଲେ । ମନେ ମନେ ସେ ଭାବିଲେ ମୋର ବା ଏଥିରେ ଚାରା କ’ଣ? ସମ୍ରାଟ୍ ଆମର ପିତା ମାତା ସବୁକିଛି । ସେ ଯାହା ଚାହିଁବେ ତାହା ହିଁ ହେବ । ହେଲେ ହଜୁର୍ ମୁଁ ଖୁବ୍ ଗରିବ ଲୋକ ଆପଣ କ’ଣ କରିବାକୁ ଚାହୁଁଛନ୍ତି? ତାହା ମୋତେ ଜଣା ନାହିଁ ।
ବେପାରୀ ମୁଖରୁ ଏକଥା ଶୁଣିବା ପରେ ବିରବଲ କହିଲେ, ଏଥିରେ ଗରିବ ଓ ଅମୀରର ପ୍ରଶ୍ନ ଆସୁଛି କେଉଁଠୁ? ତୁମ୍ଭେ ତୁମ୍ଭର ଦାଢି ସମ୍ରାଟଙ୍କୁ ଦେବା ପରେ ତା’ର ମୂଲ୍ୟ ମଧ୍ୟ ତୁମ୍ଭେ ନେଇ ଯାଇପାରିବ । ଏଥିରେ ଚିନ୍ତା କରିବାର କିଛି ନାହିଁ ।
ବେପାରୀ କହିଲା, ଜାହାଁପନା ଆମର ଅନ୍ନଦାତା । ସେ ଆମର ପିତାମାତା ସବୁ ତ ଆପଣଙ୍କର । ଏ ଦାଢି ତ ସାମାନ୍ୟ ।
ବେପାରୀଠାରୁ ଏକଥା ଶୁଣି ବିରବଲ କହିଲେ, ତୁମେ ମୋତେ ସଫା ସଫା କୁହ । ତୁମେ ଜାହାଁପନାଙ୍କଠାରୁ କେତେ ନେବ । ତାହା ନେଇ ଚାଲିଯିବ । ଏଠାରେ ପେଖନା ଦେଖାଇବାର କାରଣ ମଧ୍ୟ କିଛି ନାହିଁ ।
ବେପାରୀ କହିଲା, ହଜୁର୍! ଯେତେବେଳେ ମୋର ମାଆ ମରିଗଲେ ମୁଁ ଏହି ଦାଢି ନିମନ୍ତେ ପାଂଚ ହଜାର ଟଙ୍କା ବ୍ୟୟ କଲି । ଯେତେବେଳେ ମୋର ପିତା ସ୍ୱର୍ଗକୁ ଗଲେ ପୁନଶ୍ଚ ମୋତେ ସେହି ଦାଢି ନିମନ୍ତେ ପାଂଚ ହଜାର ଟଙ୍କା ଖର୍ଚ୍ଚା କରିବାକୁ ପଡିଲା । ପୁଣି ଏହି ଦାଢି ଲାଗି ବ୍ରାହ୍ମଣ ଭୋଜନ, ଦାନ, ଧର୍ମ କରିବାକୁ ମୋତେ ହୋଇଥିଲା । ଏଥିପାଇଁ ଏଥିରେ ଦଶହଜାର ଟଙ୍କା ପାଣି ପରି ଖର୍ଚ୍ଚ ହୋଇଗଲା । ଆପଣ ତ ଜାଣନ୍ତି ଏହି ଦାଢି ମୋର ସର୍ବସ୍ୱ ହଜୁର୍ । ୟା ବିନା ମୁଁ ଯେ ବଂଚି ପାରିବି, ଏ କଥା ଆପଣ କିପରି ଭାବିପାରୁଛନ୍ତି ହଜୁର୍ । ଏ ଦାଢି ଯେ ମୋର ପରିଚୟ ।
ବିରବଲ କହିଲେ – ଏତେ ବିଚାର ବିମର୍ଷ ଆବଶ୍ୟକ ନାହିଁ । ତୁମ୍ଭ ଦାଢିର ମୂଲ୍ୟ କୋଡିଏ ହଜାର ଟଙ୍କା । ତେଣୁ ତୁମେ ତୁମର କୋଡିଏ ହଜାର ଟଙ୍କା ନେଇ ଯାଅ ଓ ତୁମର ଦାଢି ଦେଇଯାଅ ।
ବିରବଲ କଥାରେ ଏବେ ବେପାରୀ ରାଜି ହେଲା । କୋଡିଏ ହଜାର ଟଙ୍କାକୁ ଭଲ ଭାବେ ଗୋଟି ଗୋଟି କରି ଗଣିଲା । ତା’ପରେ ଟଙ୍କାକୁ ଥଳି ମଧ୍ୟରେ ପୂରାଇ କହିଲା – ଏବେ ଆଉ ବିଳମ୍ବ ନ କରି ମୋ ଦାଢିକୁ କାଟି ନିଅନ୍ତୁ ଛାମୁ । ତେଣେ ମୋର ଅନ୍ୟ ବେପାର ଅଛି । ଏଠାରେ ଆଉ ବିଳମ୍ବ କଲେ ମୋର ଭେଳା ବୁଡିଯିବ ଆଜ୍ଞା ।
ଏହାପରେ ବାରିକ ଆସିଗଲା, ବିରବଲଙ୍କଠାରୁ ଆଦେଶ ପାଇ ବାରିକ ଯେତେବେଳେ ଦାଢି କାଟିବାକୁ ବେପାରୀ ଗାଲରେ ହାତ ମାରେ ବେପାରୀ ଚଟ୍ କରି ଗୋଟାଏ ଚଟକଣା ମାରି କହିଲା – ତୁ କେଡେ ମୂର୍ଖ କିରେ, ତୁ ଏ ଦାଢିକି କ’ଣ ଯାହି ତାହି ମନେ କଲୁ । ବର୍ତ୍ତମାନ ଏହି ଦାଢି ବାଦ୍ଶାହା ସଲାମତଙ୍କର ଅଟେ ।
ଏକଥା ଶୁଣିବା ମାତ୍ରେ ବାଦ୍ଶାହା ସଲାମତ ବେପାରୀର କଥା ଶୁଣି କ୍ରୋଧିତ ହୋଇଉଠିଲେ । ସଂଗେ ସଂଗେ ଆଦେଶ ଦେଲେ ଯେ ଏଇଟାକୁ ଖୁବ୍ ଧକ୍କାମାରି ଦରବାରରୁ ବାହାର କରିଦିଅ ।
ଦରବାରରେ ସେହି ସଂଗେ ସଂଗେ ସମ୍ରାଟଙ୍କ ଆଦେଶକୁ କାର୍ଯ୍ୟକାରୀ କରାଗଲା । ବେପାରୀ ପ୍ରାଣ ଭୟରେ ଟଙ୍କାକୁ ଧରି ଖୁବ୍ ବ୍ୟଗ୍ରତାର ସହିତ ଦୌଡିବାକୁ ଲାଗିଲା ।
ବିରବଲ ଅପେକ୍ଷା କଲେ ଆକବରଙ୍କର ରାଗ ଏବେ ଶାନ୍ତ ହେଉ । ସମ୍ରାଟ୍ ଶାନ୍ତ ହୋଇ ଯିବାରୁ ବିରବଲ କହିଲେ – ଦେଖିଲେ ତ ଜାହାଁପନା । ବେପାରୀ କିପରି ଚାଲାଖ୍ । ସେ କିପରି ଚାଲାଖ୍ କରି ଟଙ୍କାକୁ ଟଙ୍କା ନେଲା ଦାଢିକୁ ଦାଢି ନେଲା । କିନ୍ତୁ ପୂର୍ବରୁ ଡାକିଥିବା ମୁଲ୍ଲା ମାତ୍ର ଦଶ ଟଙ୍କାରେ ଦାଢି ଦେଇ ଚାଲିଗଲା । ଏଥର ଆପଣ ବିରବଲଙ୍କର କଥାକୁ ଠିକ୍ ଭାବିଲେ ନା ନାହିଁ । ତାହା ବିଚାର କରନ୍ତୁ ।
ସମ୍ରାଟ୍ ମନେ ମନେ ବିରବଲଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ପୁରସ୍କାର ଦେଇ ବିଦା କରିଦେଲେ ।