ଦେବନଗରୀ ରାଜ୍ୟର ରାଜା ତାଙ୍କ ପ୍ରଜାମାନଙ୍କ ଅବସ୍ଥା ନିଜ ଆଖିରେ ଦେଖିବା ପାଇଁ ସନ୍ନ୍ୟାସୀ ବେଶରେ ବୁଲୁଥାଆନ୍ତି । ବୁଲିଲାବେଳେ ଗୋଟିଏ ସମସ୍ୟା ବିଷୟରେ ସେ ଚିନ୍ତା କରୁଥିଲେ । ପ୍ରଥମ କଥା ହେଲା ତାଙ୍କ ରାଜବାଟିର ପ୍ରାଚୀର ଅନେକ ଜାଗାରେ ଭାଙ୍ଗିଗଲାଣି । କେତେବେଳେ ହୁଏତ ଝଡବର୍ଷାରେ ଭୁଷୁଡି ପଡିବ । ତାକୁ ମରାମତି କରିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ । ତେଣେ ରାଜ୍ୟରେ ଦଳେ ଚୋର ଉତ୍ପାତ କରୁଛନ୍ତି । ପ୍ରଜାମାନଙ୍କର ଜିନିଷପତ୍ର ଲୁଟି ନେଉଛନ୍ତି ସେମାନଙ୍କୁ ମଧ୍ୟ ଦମନ କରିବାକୁ ପଡିବ । ତେବେ କେଉଁକାମଟି ସେ ଆଗେ କରିବେ? ପ୍ରାଚୀର ମରାମତି ନା ଚୋରଦଳଙ୍କୁ ଦମନ?
ଏହିପରି ଭାବି ଭାବି ଯାଉଥିବା ବେଳେ ଖଣ୍ଡିଏ ଜମି ଉପରେ ତାଙ୍କର ଆଖି ପଡିଲା । ସେ ଦେଖିଲେ କିଆରୀରେ ଧାନ ଗଛ ଯେତିକି ଘାସ ଗଛ ବି ସେତିକି । ସବୁ ମିଶି ମାଶି ଯାଇଛି । ଚାଷୀଟି ଫସଲକିଆରୀ ଚାରିକଡରେ ବାଡ ବୁଜୁଥାଏ ।
ସନ୍ନ୍ୟାସୀ ପଚାରିଲେ, ଭାଇ ତମେ ଧାନ କିଆରୀରୁ ଘାସ ନ ଉପାଡି ବାଡ ବୁଜୁଛ କାହିଁକି?
ଚାଷୀଟି ଉତ୍ତରଦେଲା, ଘାସ ଯିବ କୁଆଡେ? ଯେତେବେଳେ ଇଚ୍ଛା ସେତେବେଳେ ମୁଁ ତ ତାକୁ ଉପାଡି ପକାଇବି । କିନ୍ତୁ ବାଡ ନ ଥିଲେ ଗୋରୁ ପଶି ସବୁ ଫସଲ ଖାଇଦେବ ।
ଛଦ୍ମ ବେଶୀ ରାଜା ଏବେ ତାଙ୍କ ପ୍ରଶ୍ନର ସହଜ ଉତ୍ତର ପାଇଗଲେ । ତହିଁ ଆରଦିନ ସେ ମନ୍ତ୍ରୀଙ୍କୁ ଡାକି ଆଦେଶ ଦେଲେ ରାଜବାଟୀର ପ୍ରାଚୀରକୁ ଭାଙ୍ଗି ଦେଇ ନୂତନ ପ୍ରାଚୀର ନିର୍ମାଣ କରିବାକୁ ।