ପଶ୍ଚିମ ଘାଟର ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାରରେ ପରିପୂର୍ଣ୍ଣ ଛୋଟିଆ ଗାଁଟିଏ ଥିଲା । ସେହି ଗାଁର ନାମ ଆନନ୍ଦଗିରି ଥିଲା । ଏହି ଗ୍ରାମରେ ପ୍ରକୃତିର ଅପରୂପ ଶୋଭା ସହିତ କେତେକ ବିରଳ ଔଷଧୀୟ ବୃକ୍ଷ ଓ ଚେରମୂଳି ରହିଥିଲା । ଚରକନ୍ଥ ନାମକ ଜଣେ ଚିକିତ୍ସକ ଏହି ଗ୍ରାମରେ ବାସ କରିବାକୁ ମନସ୍ଥ କଲେ । ତାଙ୍କର ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ଅନେକ ଉପାଦାନ ସେ ସହଜରେ ପାଇପାରୁଥିଲେ । ଏଠାରେ ମଧ୍ୟ ଚିକିତ୍ସାର ସୁବିଧା ନ ଥିଲା । ଲୋକେ ଚିକିତ୍ସା ଅଭାବରୁ ଅକାଳରେ ମୃତ୍ୟୁବରଣ କରୁଥିଲେ । ସେ ଖୁବ୍ଶୀଘ୍ର ପ୍ରସିଦ୍ଧି ହାସଲ କଲେ । କାରଣ ସେ ଖୁବ୍ ସହଜରେ ଜଟିଳ ରୋଗ ଭଲ କରିଦେଇପାରୁଥିଲେ । ବହୁ ଦୂରରୁ ଲୋକେ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିଲେ ।
ଅଭିରାମ ନାମକ ଜଣେ ବ୍ୟକ୍ତି ତାଙ୍କର ଛାତ୍ର ହେଲା । ତା’ର ଆଶା ଥିଲା ଭବିଷ୍ୟତରେ ସେ ଯେପରି ଜଣେ ଚିକିତ୍ସକ ହେବ ।
ଦିନେ ସକାଳେ ଜମିଦାର ଭୀମ ବର୍ମା ଚିକିତ୍ସକଙ୍କ ପାଖକୁ ଆସିଲେ । ସେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଚରକନ୍ଥଙ୍କୁ ବୁଝାଇ ଦେଲେ । ଭୀମ ବର୍ମା ପୁରୁଣା ଚର୍ମ ରୋଗରେ ପୀଡିତ ଥିଲେ । ସେ ବହୁଦିନରୁ ରୋଗ ଭୋଗୁଥିଲେ ମଧ୍ୟ ଏହାକୁ ସେ ଏତେଟା ଗୁରୁତ୍ୱ ଦେଉ ନଥିଲେ । କିନ୍ତୁ ଯେତେବେଳେ ପରିସ୍ଥିତି ଆଉ ନିୟନ୍ତ୍ରଣରେ ରହିଲା ନାହିଁ ଏବଂ ରୋଗ ସମଗ୍ର ଶରୀରରେ ବ୍ୟାପିଗଲା ଏଥିପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲା । ତା’ପରେ ସେ କୌଣସି ଉପାୟ ନପାଇ ଚିକିତ୍ସକଙ୍କ ସହିତ ପରାମର୍ଶ କଲେ ।
ଚରକନ୍ଥ ତ୍ୱଚା ପରୀକ୍ଷା କଲେ । ତା’ପରେ କିଛି ଜଡିବୁଟି ଆଣି ତାହାକୁ ଲଗାଇବା ପାଇଁ ସେ କହିଲେ, “ପ୍ରିୟ ଭୀମ ବର୍ମା ତୁମକୁ ଆଉ କିଛି ଅଧିକ ଔଷଧ ଆବଶ୍ୟକ ହେବ । କିନ୍ତୁ ବର୍ତ୍ତମାନ ମୋ ପାଖରେ ସେ ସବୁ ନାହିଁ । କାହିଁକିନା ଏହି ଔଷଧ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଚେର ଏଠାରେ ମିଳୁ ନାହିଁ । ତାହା ମଣିକାନ୍ତ ନାମକ ଜଣେ ଚିକିତ୍ସକଙ୍କ ପାଖରେ ମିଳିବ, ଯେ କି ନୀଳଗିରି ପର୍ବତର ଉତ୍କାମଣ୍ଡଳମ୍ ଅଂଚଳରେ ବାସ କରୁଛନ୍ତି । ଏହି ରୋଗ ଭଲ ହେବା ପାଇଁ ବହୁତ ସମୟ ନେବ ।”
ତାଙ୍କ କଥା ଶୁଣି ଭୀମ ବର୍ମା ଆଗ୍ରହର ସହିତ କହିଲେ “ମୁଁ ଯେଉଁ ସ୍ଥାନରେ ଏହି ଔଷଧ ମିଳିବ ତାହା ସଂଗ୍ରହ କରିବି । ଦୟାକରି ମୋତେ ସମସ୍ତ ବିବରଣୀ ପ୍ରଦାନ କରନ୍ତୁ ।”