ଏହାପରେ ଚରକନ୍ଥ ଔଷଧର ସମସ୍ତ ବିବରଣୀ ତାଳପତ୍ରରେ ଲେଖିଦେଲେ ଏବଂ ତାହା ଭୀମ ବର୍ମାଙ୍କୁ ପ୍ରଦାନ କଲେ । ଭୀମ ବର୍ମା ଚିକିତ୍ସକଙ୍କୁ ଦେୟସ୍ୱରୂପ କିଛି ଟଙ୍କା ଦେବାକୁ ଚେଷ୍ଟା କଲେ । “ଆପଣ ତ ହେଉଛନ୍ତି ଏ ଗ୍ରାମର ମଣି । ଆପଣ ମୋର ଚିକିତ୍ସାଳୟକୁ ଆସିଲେ ଏହା ହିଁ ଯଥେଷ୍ଟ । ଦୟାକରି ମୋତେ କୌଣସି ଅର୍ଥ ପ୍ରଦାନ କରନ୍ତୁ ନାହିଁ । ମୋର ଏହି ଋଣ ଆପଣଙ୍କ ଉପରେ ବାକି ଥାଉ ।” ଚରକନ୍ଥ ଏହା କହିଲେ ଏବଂ ନମ୍ରତାର ସହିତ ଏହି ସେବା ପାଇଁ ଅର୍ଥ ଗ୍ରହଣ କରିବାକୁ ମନା କଲେ । ଏଥିରେ ଭୀମ ବର୍ମା ଆନନ୍ଦିତ ହେଲେ ଏବଂ ଚରକନ୍ଥଙ୍କୁ ପ୍ରଶଂସା କରି ତାଙ୍କ ପିଠି ଥାପୁଡାଇ ଦେଲେ । ତା’ପରେ ସେ ନିଜ ଘରକୁ ବାହାରି ଗଲେ ।
ସେ ଦିନ ସଂଜରେ ସଂଜୟ ନାମକ ଜଣେ ମୂଲିଆ ଭୟଙ୍କର ପେଟବ୍ୟଥା କାରଣରୁ ଚିକିତ୍ସାଳୟକୁ ଆସିଲେ । ପେଟ ବ୍ୟଥା ଏତେ ବେଶୀ ହେଉଥିଲା ଯେ ପେଟକୁ ସେ ଜାବୁଡି ଧରିଥିଲେ । ତୁରନ୍ତ ତାଙ୍କୁ ଗୋଟିଏ କାଠ ଟେବୁଲରେ ଶୁଆଇ ଚିକିତ୍ସକ କିଛି ମଲମ ସଂଜୟଙ୍କ ପେଟରେ ଲଗାଇ ଦେଲେ । ତା’ପରେ ସେ ଅଭିରାମଙ୍କୁ ତୁରନ୍ତ ନିର୍ଦ୍ଧେଶ ଦେଲେ ‘ମହାପ୍ରାଣ’ ଔଷଧ ପ୍ରସ୍ତୁତ କର । ସେ ସଂଜିବଙ୍କୁ ମୋଦକ ପିଆଇ ଦେଲେ । ଫଳରେ ଖୁବ୍ ଅଳ୍ପ ସମୟ ମଧ୍ୟରେ ସଂଜିବ ସୁସ୍ଥ ଅନୁଭବ କଲେ । ତାଙ୍କର ବ୍ୟଥା କମିଯାଇଥିଲା । ମାତ୍ର କେତେ ଘଂଟା ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଗଲେ ।
ଚରକନ୍ଥ ସଂଜିବଙ୍କୁ କହିଲେ “ତୁମର ପେଟ ବ୍ୟଥା ସଂପୂର୍ଣ୍ଣ ଭଲ ହୋଇଗଲା । ଏହା ପୁଣି ଆଉ କେବେ ବି ହେବ ନାହିଁ । ଯଦି କେବେ ବ୍ୟଥା ଅନୁଭବ କର ତେବେ ନିଃସଂକୋଚରେ ତୁରନ୍ତ ମୋ ପାଖକୁ ଚାଲିଆସିବ ।” ସଂଜିବ ସମ୍ମାନର ସହିତ ଚିକିତ୍ସକଙ୍କୁ ମୁଣ୍ଡିଆ ମାରି ପକେଟ୍ରୁ କିଛି ଟଙ୍କା ବାହାର କରି ଚରକନ୍ଥଙ୍କୁ ପ୍ରଦାନ କଲେ । ଚରକନ୍ଥ ଆନନ୍ଦର ସହିତ ତାହା ଗ୍ରହଣ କରି ସଂଜୟଙ୍କୁ ସେଠାରୁ ବିଦାୟ ଦେଲେ ।
ଅଭିରାମ ଦେଖିଲେ ଯେ ଏ ଦୁଇଟି ଯାକ ଘଟଣା ପରସ୍ପର ବିରୋଧୀ । ଜଣେ ଧନୀ ଲୋକଙ୍କୁ ମାଗଣାରେ ଚିକିତ୍ସା କରିବେ ଏବଂ ଗରିବ ଲୋକ ପାଖରୁ ଟଙ୍କା ନେବେ । ଏହି ବିଷୟରେ ସେ ଅନେକ ଚିନ୍ତା କଲେ । କିନ୍ତୁ ତାଙ୍କ ଗୁରୁଙ୍କ ମନରେ କଣ ସବୁ ଅଛି ତାହା ସେ ଜାଣିପାରିଲେ ନାହିଁ । ଏହି କାରଣରୁ ସେ ବି ରାତିସାରା ଶୋଇପାରିଲେ ନାହିଁ । ମନେ ମନେ ନିଷ୍ପତି ନେଲେ ଯେ ତାଙ୍କର ଉତ୍ତର ନ ପାଇଲା ଯାଏଁ ସେ ଶାନ୍ତ ହେବେନି, ତା’ପରେ ସେ ଚରକନ୍ଥଙ୍କୁ ପଚାରିଲେ “କାଲିଠାରୁ କିଛି କଥା ମୋତେ ଅଶାନ୍ତ କରୁଛି, ମୁଁ ଆପଣଙ୍କୁ ସେସବୁ କଥା ପଚାରିପାରେ କି?” ତହୁଁ ଚରକନ୍ଥ ହସି ଦେଇ ଉତ୍ତର ଦେଲେ “ନିଶ୍ଚୟ ତୁମ ମନରେ ଯାହା ବି କିଛି ସନ୍ଦେହ ଅଛି ପଚାର, କାହିଁକିନା ଗୁରୁଙ୍କର ଦାୟିତ୍ୱ ହେଉଛି ଶିଷ୍ୟଙ୍କର ସନ୍ଦେହ ମୋଚନ କରିବା । ମୋତେ ପଚାର ।”
ତା’ପରେ ସେ ଚିକିତ୍ସକ ଧୈର୍ଯ୍ୟ ଧରି ଅଭିରାମଙ୍କର ସନ୍ଦେହ ବିଷୟରେ ଶୁଣିଲେ ଏବଂ କହିଲେ, “ଭୀମ ବର୍ମାଙ୍କର ତ୍ୱଚା ସମସ୍ୟା ଥିଲା ଏକ ଗମ୍ଭୀର ସମସ୍ୟା । ଆମ ପାଖରେ ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ପ୍ରସ୍ତୁତି ପାଇଁ ଉପାଦନ ମଧ୍ୟ ନ ଥିଲା । ଯଦି ମୁଁ ଦେୟ ଗ୍ରହଣ କରିଥାନ୍ତି, ତ ସେ ଭାବିଥାନ୍ତେ ଯେ ଆମେ ତାଙ୍କୁ କୌଣସି ଔଷଧ ନ ଦେଇ ଟଙ୍କା ନେଲେ । ତେଣୁ ମୁଁ ତାଙ୍କଠାରୁ କୌଣସି ଦେୟ ଗ୍ରହଣ କରିବା ପାଇଁ ମନା କରିଦେଲି ।”
ଅଭିରାମ ପୁଣି ପ୍ରଶ୍ନ କଲେ “କିନ୍ତୁ ବର୍ତ୍ତମାନ ସଂଜିବ ପରି ଗରିବ ଲୋକଠାରୁ ଟଙ୍କା ନେବା କଣ ଆପଣଙ୍କର ଠିକ୍ ହେଲା?”
ଏହା ଶୁଣି ଚରକନ୍ଥ କହିଲେ “ସଂଜିବ କଠିନ ପରିଶ୍ରମୀ । ମୁଁ ଯଦି ତାଙ୍କଠାରୁ ଟଙ୍କା ଗ୍ରହଣ କରିନଥାନ୍ତି ତାହେଲେ ସେ ମନେ ମନେ ନିଜକୁ ଛୋଟ ମନେ କରିଥାନ୍ତେ । ସେ କେବେହେଲେ ମଧ୍ୟ କାହାଠାରୁ ମାଗଣାରେ କିଛି ବି ଗ୍ରହଣ କରନ୍ତି ନାହିଁ । ଅଧିକାଂଶ ବ୍ୟକ୍ତି ନିଜକୁ ଏହିପରି ମନେ କରନ୍ତି । ତେଣୁ ମୁଁ ଯିଏ ଯାହା ଦିଅନ୍ତୁ ଗ୍ରହଣ କରିଥାଏ ଏବଂ ତାହା ବଦଳରେ ସେମାନଙ୍କୁ ବହୁ ମୂଲ୍ୟର ଔଷଧ ଦେଇଥାଏ । ଯଦି ଆମେ ଏଠାରେ ରହିବାକୁ ଚାହିଁବା ଏବଂ ଏହି ବ୍ୟକ୍ତିମାନଙ୍କୁ ସୁସ୍ଥ ରଖିବାରେ ସହାୟତା କରିବା ତେବେ ଆମକୁ ସାମାନ୍ୟ ଚତୁର ଭାବରେ ସେମାନଙ୍କ ସହିତ ବ୍ୟବହାର କରିବାକୁ ପଡିବ ।” ଚରକନ୍ଥ ଏହପରି ଭାବରେ ଅଭିରାମଙ୍କୁ ବୁଝାଇ ଦେଲେ । ଅଭିରାମ ତାଙ୍କ ଗୁରୁଙ୍କର ଏଭଳି ଜ୍ଞାନ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେ ଗୁରୁଙ୍କଠାରୁ ଔଷଧୀ ଜ୍ଞାନ ସହିତ ସାଂସାରିକ ଜ୍ଞାନ ମଧ୍ୟ ଲାଭ କଲେ ।