ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚିକିତ୍ସା

ରୁଦ୍ରାଚାରୀ ନାମକ ଏକ ବୈଦ୍ୟ ଥିଲେ । ତାଙ୍କ ପାଖରେ ଶରଭ ଶିଷ୍ୟ ରୂପରେ କାମ କରୁଥିଲେ । ରୁଦ୍ରାଚାରୀ ଯାହା ଶିଖାନ୍ତି ସେ ସବୁ ଲେଖି ପକାନ୍ତି । କାଳେ ତାଙ୍କର ମନେ ନ ରହିବ ।

                ଦିନେ ରୁଦ୍ରାଚାରୀ ତାଙ୍କୁ କହିଲେ, “ବତ୍ସ, ତୁମେ ଭାବନାହିଁ ଯେ ସବୁ ରୋଗ ପାଇଁ ଔଷଧ ଅଛି । ଚିକିତ୍ସା ବିଭିନ୍ନ ପ୍ରକାରରେ କରାଯାଇ ପାରେ । ଯେମିତି ହିକ୍କା ରୋଗ ପାଇଁ ଥାପଡଟିଏ ଦେଲେ ତାହା ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ । କିନ୍ତୁ ସବୁଠାରୁ ଅଧିକ ଆବଶ୍ୟକ ହେଲା ସାଧାରଣ ଜ୍ଞାନ । ଖାଲି ବହି ବା ଖାତା ପଢି ଚିକିତ୍ସା କଲେ ରୋଗର ଉପଶମ ହୁଏନାହିଁ ।”

                ଠିକ୍ ସେହି ସମୟରେ ଜଣେ ଲୋକ ଆସି କହିଲା, “କାଲି ରାତିରୁ ଅନବରତ ହିକ୍କା…” ସେ ଆଉ କିଛି କହିବା ପୂର୍ବରୁ ଶରଭ ତାକୁ ଏକ ଥାପଡ ଦେଲେ । ସେ ବିଚାରା ହତବମ୍ବ ହୋଇ ଗାଲ ଆଉଁସି ଦେଉ ଦେଉ କହିଲା, “କାହିଁକି ଏଡେ ଥାପଡଟାଏ ମାରିଲ? ମୋର ଅପରାଧ?”

ଶରଭ କହିଲେ “ଅପରାଧ? ତୁମର ହିକ୍କା ସାରା ଜୀବନ ପାଇଁ ଗଲା; ତାହା ଆଉ କେବେବି ବାହାରିବ ନାହିଁ ।”

“କିନ୍ତୁ ହିକ୍କା ତ ମୋ ବୁଢୀ ମା’ଙ୍କୁ ହେଉଛି । ସେ ଗାଡିରେ ବସିଛନ୍ତି? କ’ଣ ତାଙ୍କୁ ବି ଥାପଡ ମାରିବ କି? ତେବେ ଥାଉ ଆମ ହିକ୍କା ମୁଁ ଯାଉଛି ।” ଏତିକି କହି ସେଠାରୁ ସେ ଚାଲିଗଲା ।

ଏଥର ଗୁରୁ ରୁଦ୍ରାଚାରୀ ଶରଭଙ୍କ ଆଡେ ଚାହିଁଲେ ଓ ଶରଭ ତଳକୁ ମୁହଁ କଲେ । ସେତେବେଳକୁ ସେ ଜାଣିସାରିଲାଣି ଯେ ଚିକିତ୍ସା ପାଇଁ ସାଧାରଣ ଜ୍ଞାନ, ଧୈର୍ଯ୍ୟ ଓ ରୋଗୀ ପ୍ରତି କିଛିଟା ସହାନୁଭୁତି ଦରକାର । ତାହାହିଁ ତା’ ଗୁରୁ ରୁଦ୍ରାଚାରୀଙ୍କ ଶିକ୍ଷା ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ