ଗୁପ୍ତ କହିଲେ “ବେଶ୍ । ସେ ଅତି ସତ୍ ସ୍ୱଭାବର ଯୁବକ । ଆପଣ ତାକୁ ଜୁଆଇଁ କରନ୍ତୁ । ମୁଁ ବ୍ୟବସ୍ଥା କରିଦେବି । ସୁଧୀର ଆମ ଘରେ ମଣିଷ ହୋଇଛି । ସେ ମଧ୍ୟ ମୋହରି ଭଳି ଯୌତୁକକୁ ଘୃଣା କରୁଥିବ ବୋଲି ମୋର ବିଶ୍ୱାସ ।”
ଏକଥା ଶୁଣି ବୈଦ୍ୟଙ୍କ ଆନନ୍ଦ କହିଲେ ନ ସରେ । ଯଥା ସମୟରେ ବାହାଘର ହୋଇଗଲା ।
ଏଣେ ଗୁପ୍ତଙ୍କ ଚିକିତ୍ସା ଚାଲିଥାଏ । ଛଅମାସ ପୁରା ହେବାକୁ ମାସେ ଅଛି, ବୈଦ୍ୟ ଦିନେ ଆସି କହିଲେ, “ମହାଶୟ, ମୋତେ ଚାରିହଜାର ଟଙ୍କା ଦିଅନ୍ତୁ ।”
ଗୁପ୍ତ ପଚାରିଲେ “କାହିଁକି?”
“ମୋ ପୁଅ ସହରରେ ଯେଉଁ ପ୍ରତିଷ୍ଠାନରେ ଚାକିରୀ କରୁଥିଲା, ସେ ପ୍ରତିଷ୍ଠାନ ଏବେ ପାଂଚ ଛଅମାସ ହେବ ବନ୍ଦ ହୋଇଯାଇଛି । ତଦ୍ୱାରା ଏତେଦିନ ହେଲା ସେ ଘରେ ବସି ରହିଛି । ତାକୁ ଗୋଟାଏ ବେପାର କରାଇଦେବି । ତେଣୁ ଚାରିହଜାର ଟଙ୍କା ମୂଳଧନ ଲୋଡା ।”
ଜମିଦାର ଭାବି କହିଲେ, “ଶୁଣନ୍ତୁ । ମୁଁ ଚାହେଁ ସୁଧୀର ନିଜ ଗୋଡରେ ଠିଆ ହେଉ । ସେ ଧାନ ବେପାର କରିବ । ମୁଁ ସବୁ ଠିକ୍ କରିଦେଇଛି । ମୂଳଧନ ତା’ର । କିନ୍ତୁ ସେଥିଲାଗି ଆଉ ଜଣେ ଅଂଶୀଦାର ଦରକାର । ସେ ଅଂଶୀଦାର ମୂଳଧନ ଖଟାଇବ ନାହିଁ, ଖାଲି କାମରେ ସହଯୋଗ ଦେବ । ଆପଣଙ୍କ ପୁଅ ସେହି ଭଳି ଅଂଶୀଦାର ହେଉ ଓ ସୁଧୀର ସହ ବେପାର କରୁ ।”
ବୈଦ୍ୟ ଏହି ପ୍ରସ୍ତାବରେ ଭାରି ଖୁସି ହେଲେ । କାରଣ ବିଷ୍ଣୁ ଗୁପ୍ତଙ୍କ ତତ୍ତ୍ୱାବଧାନରେ ତାଙ୍କ ପୁଅ ବେପାର କରିବ, ଏହାଠୁଁ ବଳି ନିରାପଦ କଥା ଆଉ କ’ଣ ବା ହୋଇପାରେ?
ଗୁପ୍ତ ତାଙ୍କୁ କହୁଥାନ୍ତି, “ବୈଦ୍ୟ ମହାଶୟ, ଆପଣ ମନଦେଇ ଲୋକଙ୍କ ଚିକିତ୍ସା କରନ୍ତୁ । ଆପଣଙ୍କ ଯଶ ଖ୍ୟାତି ବଢୁ । ସେଥିରେ ଆପଣଙ୍କର ଆୟ ବି ଖୁବ୍ ଭଲ ହେବ । କିନ୍ତୁ ଆପଣଙ୍କ ଆୟ ଅପେକ୍ଷା ବଡ ହେଲା ଲୋକଙ୍କର ଉପକାର । ଯଦି ଆପଣଙ୍କ ନିଷ୍ଠାର ଅଭାବ ଯୋଗୁଁ ରୋଗୀର ଅନିଷ୍ଟ ହେବ, ତେବେ ବିଧି ଆପଣଙ୍କୁ କୌଣସି ମତେ କ୍ଷମା କରିବ ନାହିଁ ।”
ବୈଦ୍ୟ ଏକଥା ଶୁଣି ନିଷ୍ଠାପର ଭାବରେ ଚିକିତ୍ସା କରିବେ ବୋଲି ପ୍ରତିଶୃତି ଦେଉଥାନ୍ତି ।
ଏହା ଭିତରେ ପ୍ରଚାର ହୋଇ ଯାଇଥିଲା କି ବୈଦ୍ୟ ଗୁପ୍ତଙ୍କ ବିଶେଷ ବିଶ୍ୱାସଭାଜନ ବ୍ୟକ୍ତି । ତାଙ୍କ ଚିକିତ୍ସା ବ୍ୟବସାୟ ବହୁତ ବଢି ଯାଇଥିଲା । ଯାହାଙ୍କୁ ଗୁପ୍ତଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଏତେ ବିଶ୍ୱାସ କରନ୍ତି, ସେ ଅତି ନିର୍ଭର ଯୋଗ୍ୟ ବୈଦ୍ୟ ହୋଇଥିବେ ନିଶ୍ଚୟ- ଏହାହିଁ ହେଲା ଲୋକଙ୍କ ଧାରଣା । ସେ ବହୁତ ଅଧିକ ଆୟ କରିବାକୁ ଲାଗିଲେ ।
ଦିନେ ଗୁପ୍ତ ବୈଦ୍ୟଙ୍କୁ ଏକାନ୍ତରେ କହିଲେ, “ବୈଦ୍ୟଜୀ, ଆପଣଙ୍କୁ ଗୋଟିଏ କଥା କହିବାର ଅଛି । କିନ୍ତୁ ଆପଣ ମୋତେ ଆଉ ଭୁଲ୍ ବୁଝିବେ ନାହିଁ ତ?”
ବୈଦ୍ୟ କହିଲେ “ନା, ନା, ଆପଣଙ୍କ ଭଳି ଶୁଭେଚ୍ଛୁ ମୋର ଆଉ କେହି ନାହାଁନ୍ତି । ଆପଣ ଯାହା କହିଲେ ବି ମୁଁ ଆପଣଙ୍କୁ ମୋଟେ ଭୁଲ୍ ବୁଝିବି ନାହିଁ । ଆପଣ ଏଥର ନିଶ୍ଚିନ୍ତ ଭାବରେ ମୋତେ ଯାହା କହିବାର ଅଛି କୁହନ୍ତୁ ।”
ଗୁପ୍ତ କହିଲେ “ବେଶ୍ । ତାହେଲେ ଶୁଣନ୍ତୁ । ମୋ କଥା ଭିନ୍ନ । ମୁଁ ବୃଦ୍ଧ । ଭଗବାନଙ୍କ କୃପାରୁ ମୋର ତାଙ୍କ ଉପରେ ବିଶ୍ୱାସ ଅଛି । ଅର୍ଥାତ୍ ମୁଁ ବିଶ୍ୱାସ କରେ ଯେ ଜୀବନ ମୃତ୍ୟୁ ତାଙ୍କ ହାତର କଥା । ତେଣୁ ଆପଣ ମୋର ମୃତ୍ୟୁ ବିଷୟରେ ଭବିଷ୍ୟତବାଣୀ କଲେ ମଧ୍ୟ ମୁଁ ସେଥିରେ ଆଦୌ ବିଚଳିତ ହୋଇ ନାହିଁ । କିନ୍ତୁ ମୋର ଅନୁରୋଧ ହେଲା, ଅନ୍ୟ କୌଣସି ରୋଗୀକୁ ସେଭଳି କଥା କହିବା ପୂର୍ବରୁ ଆପଣ ବହୁତ ଚିନ୍ତା କରି କହିବେ । ସେ ରୋଗୀ ଆପଣଙ୍କ ଭବିଷ୍ୟତବାଣୀ କିପରି ଭାବରେ ଗ୍ରହଣ କରିବ, ସେକଥା ବିଚାର କରିବେ । ଏପରି ହୋଇପାରେ ଯେ, ଆପଣଙ୍କ ଭବିଷ୍ୟତବାଣୀ ଯୋଗୁଁ ରୋଗୀ ଭୟଭୀତ ହେବ ଓ ସେଥିରେ ତା’ର ମୃତ୍ୟୁ ନିକଟରେ ହେବ । ମୁଁ କିଛି ଅନ୍ୟାୟ କଥା କହୁନାହିଁ ତ? ଆପଣ କିଛି ଖରାପ ଭାବୁ ନାହାଁନ୍ତି ତ?”