ଯଦୁପୁର ଗ୍ରାମରେ ଶିବରାଜ ନାମରେ ଜଣେ କୃଷକ ଥାଏ । ତା’ର ପାର୍ବତୀବାଈ ନାମରେ ସ୍ତ୍ରୀ ଓ ଜୟଦେବ ନାମରେ ପୁଅଟିଏ ଥାଏ । ଜୟଦେବକୁ ଭଲଭାବରେ ପଢାଇବା ପାଇଁ ତା’ ବାପାର ବହୁତ ଇଚ୍ଛା ଥାଏ । ପନ୍ଦରବର୍ଷ ବୟସରେ ସେ ଗ୍ରାମର ଶିକ୍ଷା ଶେଷ କରି ସହରକୁ ଉଚ୍ଚଶିକ୍ଷା ପାଇଁ ଗଲା ।
ପୁଅକୁ ଟଙ୍କା ଯୋଗାଇବାରେ କିଛି କଷ୍ଟ ହେଲା । ତଥାପି ମଧ୍ୟ ସେ ସ୍ୱାମୀସ୍ତ୍ରୀ ଦୁହେଁ ବଡ କଷ୍ଟରେ ଚଳି ପୁଅ ପାଇଁ ଟଙ୍କା ପଠାଉଥାନ୍ତି । ପୁଅର ଶିକ୍ଷା ଶେଷ ହେଲା । ଚାକିରୀ ଖୋଜୁ ଖୋଜୁ ତାର ଧନରାଜ ନାମକ ଏକ ଧନୀ ବ୍ୟକ୍ତିଙ୍କ ସହ ପରିଚୟ ହେଲା । ଧନରାଜ ଏମିତି ଜଣେ ଯୁବକକୁ ଚାହୁଁଥିଲେ, ଯିଏକି ପଢାପଢି ବ୍ୟତୀତ ବୁଦ୍ଧିମାନ ଓ ନମ୍ର ମଧ୍ୟ ହୋଇଥିବା ଦରକାର । ତେବେ ଯାଇ ସେ ତାଙ୍କ ଝିଅକୁ ତା ସହିତ ବିଭା ଦେଇ ତାକୁ ଘର ଜୋଇଁଆ କରି ରଖିବେ ।
ଧନରାଜ ଦିନେ ଜୟଦେବକୁ ନିଜ ଘରକୁ ନିମନ୍ତ୍ରଣ କଲେ । ଧନରାଜଙ୍କ ଝିଅ ଦୀପିକାକୁ ଜୟଦେବ ଦେଖିଲା । ଖିଆପିଆ ଶେଷହେବା ପରେ ଧନରାଜ ଜୟଦେକୁ କହିଲେ, “ଶୁଣ, ମୋର ଗୋଟିଏ ବୋଲି ଝିଅ ଅଛି । ମୋ ପାଇଁ ତ ସେ ହିଁ ସବୁକିଛି । ଈଶ୍ୱରଙ୍କ କୃପାରୁ ମୁଁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଛି । ମୁଁ ତାକୁ ଜଣେ ଯୋଗ୍ୟ ଓ ସୁଶିକ୍ଷିତ ଯୁବକ ସହିତ ବିବାହ ଦେବାକୁ ଚାହେଁ । ତୁମେ ଯଦି ରାଜି ହୁଅନ୍ତ, ତେବେ ଏହାକୁ ମୁଁ ମୋର ସୌଭାଗ୍ୟ ବୋଲି ଭାବନ୍ତି ।”
ତାଙ୍କ କଥା ଶୁଣି ଜୟଦେବ ଟିକିଏ ଥତମତ ହୋଇଗଲା । ସେ କେବଳ ଏତିକି କହିଲା, “ଆପଣ ତ ବହୁତ ଧନୀ । କିନ୍ତୁ ମୁଁ ନିପଟ ଦରିଦ୍ର ।”
ଧନରାଜ ଅଳ୍ପ ହସି କହିଲେ, “ଏପରି ବିବାହରେ ସେସବୁ ସମସ୍ୟାର ପ୍ରଶ୍ନହିଁ ଉଠୁ ନାହିଁ । କେବଳ ଗୋଟିଏ କଥା ଯେ ତୁମକୁ ମୋ ଘରେ ଘରଜୋଇଁଆ ଭାବେ ରହିବାକୁ ହେବ ।”
“ଘରଜୋଇଁଆ? ଛାଡନ୍ତୁ, ମୋ ବାପମା ବହୁକଷ୍ଟ ସ୍ୱୀକାର କରି ମୋତେ ପଢାଇଛନ୍ତି । ମୋର ଚାକିରୀ କରିବାର ପ୍ରଥମ ଲକ୍ଷ୍ୟ ହେଉଛି ମୁଁ ସେମାନଙ୍କୁ ସୁଖୀ କରିବି ।”
ଧନରାଜ କହିଲେ “ମୁଁ ତୁମର ଅସୁବିଧା କଥା ବୁଝୁଛି । କିନ୍ତୁ ତୁମର ମା ବାପ ବି ତ ଏଇଠି ଆମ ସହିତ ରହିପାରନ୍ତେ ।” ଜୟଦେବ କୌଣସି ନିଷ୍ପତି ନେଇ ପାରିଲା ନାହିଁ । ଧନରାଜ ପୁଣି କହିଲେ, “ମୁଁ ନିଜେ ଯାଇ ତୁମ ବାପମା’ଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବି । ସେମାନେ ରାଜି ହୋଇଗଲେ ତୁମର ତ ଆଉ ଅରାଜି ହେବାର ନାହିଁ ।”
ଜୟଦେବ ହସିଲା । ତା’ପରେ ସେ ଦୁହେଁ ଯାଇ ଗ୍ରାମରେ ପହଁଚିଲେ । ପ୍ରଥମେ ଧନରାଜ ଜୟଦେବଙ୍କ ବାପମା’ଙ୍କୁ ଦେଖା କରି କହିଲେ, “ଆପଣମାନଙ୍କର ଅର୍ଥାଭାବ ସତ୍ତ୍ୱେ ପୁଅକୁ ବହୁତ କଷ୍ଟ ସ୍ୱୀକାର କରି ପଢାଇଛନ୍ତି । ଏହା ତ ଖୁବ୍ ପ୍ରଶଂସନୀୟ, ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ଆପଣଙ୍କ ପୁଅକୁ ନିଜ ଜୁଆଇଁ କରିବାକୁ ଚାହୁଁଛି କିନ୍ତୁ ସେ ଘରଜୁଆଇଁ ହେବାକୁ ଆଦୌ ଚାହୁଁନାହିଁ । ଏବେ ଆପଣମାନେହିଁ ତାକୁ ଟିକିଏ ବୁଝାନ୍ତୁ ।”
ଧନରାଜଙ୍କ ଏଭଳି କଥା ଶୁଣି ଜୟଦେବର ବାପମା’ କହିଲେ “ପୁଅ, ଆମେ ତ ଆସି ବୁଢା ହେଲୁ । ଆମ ପାଇଁ ତୁ କାହିଁକି ତୋର ଉଜ୍ଜ୍ୱଳ ଭବିଷ୍ୟତ ନଷ୍ଟ କରିବୁ? ଏହାଙ୍କ ଝିଅକୁ ବିବାହ କରିବା ତୋ ପାଇଁ ସବୁ ଦିଗରୁ ମଙ୍ଗଳକର ହେବ ।”