ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚିକିତ୍ସା

                ମାବାପଙ୍କ କଥା ଶୁଣି ଜୟଦେବ ହଠାତ୍ ରାଜି ହୋଇ ଗଲା । ବିବାହ ପରେ ବାପମା’ ଯାଇ ସହରରେ ରହିବେ ଏକଥା ମଧ୍ୟ ଧନରାଜ କହିଦେଲେ । ବିବାହ ହେବାର ଠିକ୍ ମାସକ ପରେ, ଧନରାଜ ଦିନେ ଜୟଦେବକୁ କହିଲା, “ପୁଅ, ମୁଁ ବହୁତ କରି କହିବା ପରେ ମଧ୍ୟ ତୋର ବାପମା’ ଏଠାକୁ ଆସିଲେ ନାହିଁ । ମୁଁ ତାଙ୍କୁ ପାଞ୍ଚହଜାର ଟଙ୍କା ଦେବାକୁ ଚାହେଁ ।” “ତା’ପରେ ଜଣେ ଚାକର ହାତରେ ସେ ଟଙ୍କା ଦେଇ ପଠାଇଲେ, ଶ୍ୱଶୁରଙ୍କର ଏପରି ଉଦାରତା ଦେଖି ଜୟଦେବ ବହୁତ ଖୁସି ହେଲା ।”

                ଦିନେ ଜୟଦେବର ପିଲାବେଳର ସାଥୀ ସୁଦାମ ସେଠାରେ ଆସି ପହଁଚିଲା । ସେତେବେଳେ ଧନରାଜ ତାଙ୍କ ଘରେ ନଥିଲେ । ସୁଦାମ ଜୟଦେବକୁ କହିଲା, “ଗାଁ ଲୋକମାନେ କହୁଛନ୍ତି ଯେ ଧନୀଘରେ ବାହାହୋଇ, ବାପମାଙ୍କ କଥା ତୁ ଏକାବେଳେକେ ପାଶୋରୀ ପକାଇଲୁଣି । ମଝିରେ ମଝିରେ ଘରକୁ ଯାଇ ତ ତୁ ଟିକେ ବୁଲି ଆସ ।”

                ବନ୍ଧୁ ମୁହଁରୁ ଏପରି କଥା ଶୁଣି ଜୟଦେବର ମନ ଭୀଷଣ ଖରାପ ହେଲା । ସେ କହିଲା, “ମୁଁ ଥରେ ଗାଁକୁ ଯାଇ ସେଠାରେ କିଛି ଦିନ ରହିବାକୁ ଚାହେଁ । କିଛିଦିନ ପୂର୍ବେ ମୋ ଶ୍ୱଶୁର ମୋ ବାପମା’ଙ୍କ ପାଖକୁ ପାଞ୍ଚହଜାର ଟଙ୍କା ମଧ୍ୟ ପଠାଇଛନ୍ତି । ଏହା କ’ଣ ମୋ ଶ୍ୱଶୁରଙ୍କର ଉଦରତାର ପରିଚୟ ଦିଏ ନାହିଁକି?” “ପାଞ୍ଚହଜାର ଟଙ୍କା?” ଏହା ଶୁଣି ସୁଦାମ ଚମକି ଉଠି କହିଲା, “ଆଶ୍ଚର୍ଯ୍ୟ, ଏତେଗୁଡାଏ ଟଙ୍କା ପାଇଲେ ମଧ୍ୟ ତୋ ବାପା ମୋତେ ସେ ବିଷୟରେ ତ କାହିଁ କିଛି ହେଲେବି କହିଲେ ନାହିଁ; ମୋର କାଇଁ ଏ କଥାରେ ମୋଟେ ବିଶ୍ୱାସ ହେଉନାହିଁ । ନିଶ୍ଚୟ ସେଥିରେ ଆଉ କିଛି ଗୋଳମାଳ ଅଛି ।”

                ସୁଦାମ ଗ୍ରାମକୁ ଫେରିଗଲା ପରେ ଜୟଦେବ ଓ ଦୀପିକା ଚାକରକୁ ଡାକି ତାକୁ ପଚାରିଲେ । ଚାକର କହିଲା ଯେ ଜୟଦେବର ଉପସ୍ଥିତିରେ ଯେଉଁ ଟଙ୍କା ଶ୍ୱଶୁର ଘର ପାଇଁ ଦେଇଥିଲେ, କିଛି ସମୟ ପରେ ସେ ପୁଣି ସେତକ ଫେରାଇ ନେଲେ । ସତକଥା ଧରା ପଡିଲା । ଏସବୁ ଶୁଣି ଦୀପିକା ବହୁତ ଦୁଃଖିତ ହୋଇ କହିଲା, “ଟଙ୍କା ପଇସା କ୍ଷେତ୍ରରେ ମୋ ବାପା ବହୁତ କଞ୍ଜୁସ୍ । ତେଣୁ ତୁମେ କୁହ ଏବେ କ’ଣ କରିବା, ଯଦ୍ୱାରା ତାଙ୍କର ସ୍ୱଭାବରେ ପରିବର୍ତ୍ତନ କରାଯିବ ।”

ପରଦିନ ଦେଖାଗଲା ଦୀପିକାର ହାତ ପାଦ ଗଣ୍ଠି ସବୁରେ ଏତେ କଷ୍ଟ ହେଲା ଯେ ଶେଷରେ ସେ ଶଯ୍ୟାଶାୟୀ ହୋଇପଡିଲା, ଅବସ୍ଥା ଏତେ ଖରାପ ହୋଇ ପଡିଲା ଯେ ତାକୁ କଥା କହିବାକୁ ମଧ୍ୟ ଭାରି କଷ୍ଟ ହେଲା ।

ଧନରାଜ ବୈଦ୍ୟଙ୍କୁ ଡକାଇଲେ । ବୈଦ୍ୟ ଆସି ଔଷଧ ଦେଲେ । ଏକ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା ଚାଲିଲେ ମଧ୍ୟ ଫଳ କିଛି ହେଲେବି ହେଲା ନାହିଁ । ଧନରାଜ ବଡ ବ୍ୟସ୍ତ ହୋଇ ପଡିଲେ ଜୟଦେବ କହିଲା, “ଆମ ଗ୍ରାମରେ ସୁଧାକର ନାମକ ଏକ ବଡ ବୈଦ୍ୟ ଅଛନ୍ତି । ସେ ଭଲ ଔଷଧ ଦେଇ ଜାଣନ୍ତି । ତାଙ୍କୁ ମୁଁ ଡାକି ଆଣେ ।”

ଧନରାଜ କହିଲେ “ନିଶ୍ଚୟ, ଏପରି ଅବସ୍ଥାରେ ତୁମେ କାହିଁକି ଡାକିନାହଁ?”

ଜୟଦେବ ଗୋଟିଏ ଚିଠିରେ ସବିସ୍ତାରେ ସବୁକିଛି ଲେଖି ସୁଦାମ ପାଖକୁ ତାହା ଏକ ବିଶ୍ୱସ୍ତ ଚାକର ଦ୍ୱାରା ପଠାଇଲେ । ତା’ପରେ ସୁଦାମ ବୈଦ୍ୟ ସୁଧାକର ହୋଇ ଆସିଲା । ସେ ଦୀପିକାର ନାଡି ପରୀକ୍ଷା କଲା ଓ ତା’ପରେ ତାକୁ କିଛି ଔଷଧ ଦେଇ କହିଲା, “ଏହି ରୋଗ କେବଳ ଔଷଧରେ ଭଲ ହେବ ନାହିଁ । ଆପଣଙ୍କ ଝିଅ ପକ୍ଷେ ଜଳବାୟୁ ବଦଳାଇବା ବହୁତ ଜରୁରୀ । ତାକୁ ଆପଣ ତା’ର ଶ୍ୱଶୁର ଘରକୁ ପଠାଇ ଦିଅନ୍ତୁ । ମୁଁ ମଧ୍ୟ ସେହି ଗ୍ରାମରେ ରହେ । ସେଠାକାର ଖୋଲା ପବନ ଓ ଝରଣା ପାଣିରେ ତାଙ୍କର ଦେହ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବ ।”

ଏ ପ୍ରସ୍ତାବ ଧନରାଜଙ୍କ ମନକୁ ଆଦୌ ପାଇଲା ନାହିଁ । କିନ୍ତୁ ଏଭଳି ପରିସ୍ଥିତିରେ ସେ ନିରୁପାୟ ଥିଲେ । ଏବେ ତାଙ୍କ ନିଜର ସହରରେ କିଛି ଜରୁରୀ କାମ ଅଛି । ତେଣୁ ବାଧ୍ୟ ହୋଇ ଜୟଦେବ ସହିତ ଦୀପିକାକୁ ସେ ପଠାଇଦେଲେ । ଏମାନଙ୍କୁ ଦେଖି ବାପମା ବହୁତ ଖୁସି ହେଲେ । ଦୀପିକା ଶାଶୁଶ୍ୱଶୁରଙ୍କର ସ୍ନେହ ପାଇ ବହୁତ ଖୁସି ହେଲା ସେ ଭାବୁଥିଲା ଏତେ ଦିନ ପର୍ଯ୍ୟନ୍ତ କାହିଁକି ତାକୁ ଏମାନଙ୍କ ଠାରୁ ଦୂରରେ ରଖା ହୋଇଥିଲା ।

ଏକ ସପ୍ତାହ ପରେ ଧନରାଜ ତାଙ୍କ ଝିଅକୁ ଦେଖିବାକୁ ଆସିଲେ । ଝିଅ ବାପକୁ କହିଲା ଯେ ଶାଶୁଶ୍ୱଶୁରଙ୍କ ସ୍ନେହ ଯୋଗୁଁ ଶାଶୁଘରେ ସେ ବହୁତ ଖୁସିରେ ଅଛି । ସେ କହିଲା, “ବାବା, ଆପଣଙ୍କର ଧନ ଦୌଲତ ତ କିଛି କମ୍ ନାହିଁ । ଆପଣ କାହିଁକି ଘରଜୋଇଁ ଚାହୁଁଛନ୍ତି । ସହରର ସେସବୁ ଆଡମ୍ବର ଛାଡି ଆପଣ ମଧ୍ୟ ମା’ ସହିତ ଏଠାକୁ ଚାଲି ଆସନ୍ତୁ । କି ଶାନ୍ତ ସୁନ୍ଦର ବାତାବରଣ, ଗଛଲତା, ପାଣିପବନ, ପକ୍ଷୀ, ଝରଣା, ଏସବୁ ତ ସହରରେ ଦୁର୍ଲଭ ।”

ଧନରାଜ ଏ ପ୍ରସ୍ତାବ ଶୁଣି ଅତ୍ୟନ୍ତ ବ୍ୟସ୍ତ ହୋଇ କହିଲେ, “ଝିଅ, ମୁଁ ଜାଣୁଛି ଯେ ତୋ ଶାଶୁଶ୍ୱଶୁର ତୋତେ ଠିକ୍ ତାଙ୍କ ନିଜ ଜନ୍ମିତ ଝିଅ ପରି ସ୍ନେହ ଶ୍ରଦ୍ଧା କରିଛନ୍ତି । ତୁ ପ୍ରକୃତରେ ବଡ ଭାଗ୍ୟବତୀ, ତୁ ତ ପିଲାଦିନୁ ସହରରେ ବଢିଥିଲୁ ତେଣୁ ମୁଁ ଭାବିଲି କି ଗ୍ରାମରେ ତୁ କାଳେ ଚଳି ପାରିବୁ ନାହିଁ, କେବଳ ସେଇଥିପାଇଁ ମୁଁ ଘରଜୁଆଇଁର ପ୍ରସ୍ତାବ ଦେଇଥିଲି । କିନ୍ତୁ ତୁ ଏସବୁ କଥା ଜୟଦେବକୁ କେବେବି କହିବୁ ନାହିଁ ନହେଲେ ତା’ମନ ଭାରି ଖରାପ ହେବ । ତାଛଡା ତୁ ତ ପୁଣି ଆମର ଏକମାତ୍ର ସନ୍ତାନ । ଆଖିରୁ ଟିକେ ଦୂରକୁ ଦେବାକୁ ମୁଁ ମଧ୍ୟ କେବେବି ଚାହୁଁ ନଥିଲି ।”

ଝିଅ ପଚାରିଲା “କିନ୍ତୁ ବାବା, ଆପଣ ତ କାହିଁ ଏହା କହିଲେ ନାହିଁ ଯେ ଆପଣ ଏଠାକୁ ଆସି ଆମ ସହିତ ରହିବେ ନା ନାହିଁ?”

ଧନରାଜ କହିଲେ “ଏଥିରେ ଆଉ ସନ୍ଦେହ ରହିଲା କେଉଁଠି? ଏଠାରେ ମୁଁ ଏକ ବଡ କୋଠା ବନାଇବି । ଆମେ ସମସ୍ତେ ଏଇଠି ରହିବା । ପୁଣି ସହରକୁ ଯିବାକୁ ଇଚ୍ଛା ହେଲେ ମଧ୍ୟ ସମସ୍ତେ ଯିବା । ତେଣୁ ଦୁଇଟା ଘର ସିନା ହେବ ମାତ୍ର ପରିବାର ତ ଗୋଟିଏ । ତୁମେ ଦୁହେଁ ଓ ତୁମ ଦୁହିଁଙ୍କର ଦୁଇହଳ ବାପମା’ । ଯେଉଁଠି ରହିବା ଏକାଠି ।”

ଦୀପିକାଠାରୁ ସବୁ କଥା ଶୁଣି ଜୟଦେବ ଓ ତା’ର ବାପ ମା’ ବହୁତ ଆନନ୍ଦିତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ