ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚିରୁଗୁଣୀ

                ସେଦିନ ପଦିଆ ସାଥିରେ ନଥିବାରୁ ସତୁରା ଏକା ଏକା ଲଣ୍ଠନ ଲଗାଇ ଯାଇ ଥାଏ ଟିଉସନ୍ ହେବାକୁ । ଗାଁ ସାହି ନବମ ଶ୍ରେଣୀର ଛାତ୍ର ତାକୁ ପୁଣି ଡର ବା କାହାକୁ? ସେଦିନ ପଢା ସରୁ ସରୁ ଟିକେ ଡେରି ହେଲା । ପଦି ଅପା କହିଲେ ସତୁରା ତୁ ଏକା ଯାଇ ପାରିବୁ ତ? ଡର ମାଡିବନି? ସତୁରା ସାଥିରେ ସେହି ପଦି ଅପାଙ୍କ ଭଉଣୀ ମଧ୍ୟ ପଢୁ ଥାଏ । ଏକା ଯିବା, ଡର ମାଡିବା କଥା କହିଲେ, କଥାଟା କାଲି ସବୁ ପିଲାଙ୍କ ଆଗରେ ପ୍ରଘଟ ହେବ । ଶେଷକୁ ଯାହା ଡରୁଆଟାଏ ବୋଲି ମଧ୍ୟ ପ୍ରମାଣିତ ହେବ ସତୁରା । ସତୁରା ସଙ୍ଗେ ସଙ୍ଗେ ସେଠାରୁ ବହି ଓ ଲଣ୍ଠନ ଧରି ଚାଲି ଆସିଲା । ଯିବା ଆଗରେ କାହିଁକି ତାକୁ ଟିକେ ଖାଁ ଖାଁ ଲାଗିଲା । ବର୍ଷା ଦିନ ଗାଁ ବାଟ ସବୁ ଶୁନଶାନ୍ । ସେହି ସମୟରେ ପତର ଟାଏ ପଡିଲେ ପଥର ପଡିବା ପରି ଶୁଭୁ ଥାଏ ।

                ସତୁରା ଲକ୍ଷ୍ୟ କଲା କିଛି ବାଟ ଆସି ସେ ଦେଖିଲାଯେ ତା ଆଗରେ ରାସ୍ତା ଦାଢରେ କିଏ ଗୋଟିଏ ବସିଛି । ତା ଆଗରେ ନିଆଁ ମଧ୍ୟ ଜଳୁଛି । ସେ ଗୋଟାଏ ପିଲାକୁ ଧରି ସେକୁଛି । ହଠାତ୍ ସତୁରାର ମନେ ପଡି ଗଲା ତା ଆଈଙ୍କ କଥା । ଗର୍ଭିଣୀ ସ୍ତ୍ରୀ ଲୋକଟି ମରି ଗଲେ ସେ ଚିରୁଗୁଣୀ ହୋଇ ଏମିତି ତା ପିଲାକୁ ସେକୁ ଥାଏ ନିଆଁରେ । ତା ହାବୁଡେ ପଡି ଗଲେ ମୋର ଆଜି ମୃତ୍ୟୁ ନିଶ୍ଚିତ । ଏହି ସମୟରେ ସତୁରାର ଛାତି ଖାଲି ଧଡ ଧଡ ହେଲା । ସେ ଛାତିକୁ ବାଡେଇ ନିଜ ମନକୁ ଦମ୍ଭ କଲା । ଆଉ ପଛକୁ ଫେରି ଗଲା । ପଦୀ ଅପା କହିଲେ ଆମ ଘରେ ଆସି ଶୋଇଯା ସକାଳେ ଯିବୁ । କିଏ ପୁରୁଷ ଲୋକ ତାଙ୍କ ଘରେ ଅଛିଯେ ତାକୁ ତା ଘରକୁ ଛାଡିବାକୁ ଯିବ । ତା ପରେ ସତୁରାର ପୁଣି ମନେ ପଡିଲା ପଦୀ ଅପାଙ୍କ ସାନ ଭଉଣୀ କଥା । ସେ ଡରୁଆ ବୋଲି ଯଦି ବିଦ୍ୟାଳୟରେ ତା ସାଙ୍ଗ ମାନଙ୍କୁ କହି ଦେବ ।

ସାହାସ ବାନ୍ଧି ସତୁରା ଭାବିଲା ଯଦି ତଳ ବାଟରେ ବୁଲି ଯାଇ ହେବ ତେବେ ଠିକ୍ ହେବ । ପୁଣି ଭାବିଲା ନାଁ କାରଣ ଯଦି ହଠାତ୍ ସେହି ଚିରୁଗୁଣୀ ମୋତେ ଦେଖି ଦେବ ତେବେ ମତେ ଧରିବାକୁ ତାକୁ ପାଖ ହେବ । ଯାହା ହେଲେବି ସତୁରାକୁ ଏ ସିଧା ରାସ୍ତାରେ ହିଁ ଯିବାକୁ ପଡିବ । ସତୁରା ମନେ ମନେ ଈଶ୍ୱରଙ୍କ ନାମ ଜପ କଲା । ଆଉ ସେ ଆଗକୁ ଚାଲିଲା । ଛାତିର ଗତି ବଢି ଗଲା । ସେ ଠିଆ ହୋଇ ପୁଣି ଛାତିକୁ ନିଜ ହାତରେ ଥାପୁଡେଇ କହିଲା ଜମା ଡରନା ଯାହା ହେବାର ହେବ । ସାହସ କରି ଆଗକୁ ମାଡି ଚାଲ । ସତୁରା ସେଠାକୁ ଯାଇ ଯାହା ଦେଖିଲା ମନେ ମନେ ସେ ନହସି ରହି ପାରିଲାନି । ଗାଁର ରାଉଳ ବୁଢା ଝାଡା ଆସିଛି । ଆଗରେ ତାର ଲଣ୍ଠନ ରଖି ଝାଡା ବସିଛି । ସେ ଦୂରକୁ ପୁରା ଚିରୁଗୁଣୀ ପିଲା ସେକିଲା ପରି ଦେଖା ଯାଉଛି ।

ବୁଢା ସତୁରାକୁ ଦେଖି ସଙ୍ଗେ ସଙ୍ଗେ ଉଠି ପଡିଲା । ସତୁରା ପଚାରିଲା ଜେଜେ କ’ଣ ଏତେ ରାତିରେ ଝାଡା ମାଡିଲା? ଖାଇବାର ଲୋଭ ତ ସମ୍ଭାଳି ପାରୁନ ଏତେ ଏତେ ଖାଉଛ କାହିଁକି? ବୁଢା ଭୂତ ପରି ହୁଁ ହୁଁ ହୋଇ ଗଡେଇ ହେଲା । ସତୁରା ଲଣ୍ଠନ ଧରି ତା ଘରେ ଯାଇ ପହଁଚିଲା । ମନର ଭୟ ମନ ମଧ୍ୟକୁ ଯାଇ ହୃଦୟକୁ ମଧ୍ୟ ଭୟଭିତ କରି ଦିଏ । ଏପରିକି ହଟହଟା କରିବାର ସମ୍ଭାବନା ମଧ୍ୟ ଥାଏ । ତେଣୁ ପ୍ରକୃତ ଘଟଣା ନଜାଣି ଅତି ଭୟ କଲେ ଶେଷରେ ନିଜର ହିଁ କ୍ଷତି ହୁଏ । କେତେଲୋକ ଅକସ୍ମାତ ଭୟରେ ହୃଦ୍ଘାତରେ ମୃତ୍ୟୁବରଣ ମଧ୍ୟ କରନ୍ତି । ବିପଦକୁ ସର୍ବଦା ସାହଶର ସହିତ ଲଢ଼ିବା ହିଁ ସଙ୍ଘର୍ଷ । ଜୀବନର ସଙ୍ଘର୍ଷରେ ହାରିଲେ ଜୀବନ ନିମ୍ନଗାମୀ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ