ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚୁଲ୍ଲଧନୁଗ୍ଗହ ଜାତକ

ଏକ ସମୟରେ ବୋଧିସତ୍ୱ ଶକ୍ରରୂପେ ଜନ୍ମଗ୍ରହଣ କରିଥିଲେ । ସେ ସମୟରେ ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିଲେ । ସେହି ବାରାଣସୀରେ ଜଣେ ବ୍ରାହ୍ମଣଙ୍କର ଗୋଟିଏ ପୁତ୍ର ଥିଲା । ବ୍ରାହ୍ମଣ ପୁତ୍ରଟିକୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରସିଦ୍ଧ ତକ୍ଷଶିଳାକୁ ପଠାଇଦେଲେ । ସେଠାରେ ସେ ବିବିଧ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିବା ସଂଗେ ସଂଗେ ଜଣେ ଆଚାର୍ଯ୍ୟଙ୍କଠାରୁ ଧନୁର୍ବିଦ୍ୟା ଶିକ୍ଷାକଲେ ଏବଂ ଏହି ବିଦ୍ୟାରେ ସେ ଅସାଧାରଣ ପାରଦର୍ଶିତା ଲାଭ କଲେ । ଏପରି କି ଆଚାର୍ଯ୍ୟ ମହାଶୟ ଶିଷ୍ୟକୁ ନିଜର ସମକକ୍ଷ ମନେକଲେ । ତେଣୁ ସେ ନିଜର ଏକମାତ୍ର କନ୍ୟାକୁ ଏହି ଶିଷ୍ୟ ହସ୍ତରେ ସମର୍ପଣ କଲେ । ବିବାହ ପରେ ନବଦମ୍ପତି ତକ୍ଷଶିଳାରୁ ବାରାଣସୀ ଅଭିମୁଖେ ଅଗ୍ରସର ହେଲେ । କିଛିଦୂର ଯିବାପରେ ସେମାନେ ଏକ ବନର ସମୀପବର୍ତୀ ହେଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ସେ ପଥରେ ଯିବାକୁ ବାରଣ କରି କହିଲେ, “ଗୋଟିଏ ମତ ହସ୍ତୀର ଉପଦ୍ରବରେ ବହୁସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ତେଣୁ ସେ ପଥରେ ଯିବା ଜୀବନପ୍ରତି ବିପଦଜ୍ଜନକ ।”

       କିନ୍ତୁ ବ୍ରାହ୍ମଣ ଯୁବକଙ୍କର ନିଜ ଧନୁର୍ବିଦ୍ୟାରେ ପ୍ରଗାଢ ବିଶ୍ୱାସ ଥିବାରୁ ସେ କାହାରି ବାରଣ ପ୍ରତି ଭୂକ୍ଷେପ ନକରି ସେହି ପଥରେ ଅଗ୍ରସର ହେଲେ । କିଛିଦୂର ଯିବା ପରେ ହସ୍ତୀଟି ବନ ମଧ୍ୟରୁ ବାହାରିପଡି ତାଙ୍କୁ ଆକ୍ରମଣ କରିବାକୁ ବସିଲା । ଯୁବକ ଗୋଟିଏ ମାତ୍ର ଶର ମାରି ହସ୍ତୀଟିକୁ ବଧ କଲେ ।

       ଯୁବକ ପତ୍ନୀ ସହିତ ବନର ମଧ୍ୟଭାଗରେ ଉପସ୍ଥିତ ହେଲେ । ଏଠାରେ ଗୋଟିଏ ଦସ୍ୟୁଦଳ ରହି ପଥିକମାନଙ୍କର ଧନ ଲୁଣ୍ଠନ କରି ସେମାନଙ୍କୁ ବିନାଶ କରୁଥିଲେ । ଏହି ଦଳରେ ପଚାଶ ଜଣ ଦସ୍ୟୁ ଥିଲେ । ସେମାନଙ୍କ ଭୟରେ କେହି ସେ ବନରେ ପ୍ରବେଶ କରିବାକୁ ସାହସୀ ହେଉନଥିଲେ । କିନ୍ତୁ ବ୍ରାହ୍ମଣ ଯୁବକ ନିର୍ଭୀକ ଭାବରେ ସେହି ବନରେ ଅଗ୍ରସର ହେଲେ । ଏକ ସ୍ଥାନରେ ଦସ୍ୟୁମାନେ ଗୋଟିଏ ହରିଣର ମାଂସ ରନ୍ଧନ କରି ଭୋଜନର ଆୟୋଜନ କରୁଥିଲେ । ଜଣେ ଯୁବକ ଏକ ସୁନ୍ଦରୀ ରମଣୀ ସହିତ ଆସୁଥିବାର ଦେଖି ସେ ଦୁହିଁଙ୍କୁ ଆକ୍ରମଣ କରିବାକୁ ବାହାରିଲେ; କିନ୍ତୁ ଦସ୍ୟୁ ଦଳପତି ଯୁବକଙ୍କୁ ଦେଖିଲା ମାତ୍ରେ ଜାଣିପାରିଲା ଯେ ଏହାଙ୍କଠାରେ ବିଶେଷ ଶକ୍ତି ଅଛି । ତେଣୁ ସେ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ ନକରିବାପାଇଁ ତା’ର ଅନୁଚରମାନଙ୍କୁ ଆଦେଶ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ