ବ୍ରାହ୍ମଣ ଯୁବକ ଦସ୍ୟୁଦଳପତିର ବ୍ୟବହାରରେ ଉତ୍ସାହିତ ହୋଇ ସ୍ତ୍ରୀକୁ କହିଲେ, “ଯାଅ, ସେମାନେ ମୃଗମାଂସ ସିଦ୍ଧ କରିଅଛନ୍ତି । କିଛି ସିଦ୍ଧମାଂସ ତାଙ୍କଠୁ ଆଣ; ଆମେ ଖାଇବା ।”
ଦଳପତି ଭାବିଲେ, “ଏ ହେଉଛନ୍ତି ଜଣେ ମହାନ୍ ବ୍ୟକ୍ତି । ତାଙ୍କୁ ସିଦ୍ଧମାଂସ ଦେବା ଉଚିତ୍ ହେବନାହିଁ ।” ତେଣୁ ସେ କିଛି ଅପକ୍ୱ ମାଂସ ଦେଲେ ।
ସେତେବେଳକୁ ଯୁବକଙ୍କ ମନରେ ବଡ ଅଭିମାନ ଆସିଥିଲା । ସେ ଅପକ୍ୱମାଂସ ଦେଖି କ୍ରୋଧାନ୍ୱିତ ହୋଇଉଠିଲେ ଓ ଦସ୍ୟୁମାନଙ୍କୁ ଭର୍ସିନା କଲେ । ଏଥିରେ ଦସ୍ୟୁମାନେ ମଧ୍ୟ କ୍ରୁଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିବାକୁ ବାହାରିଗଲେ । ଯୁବକଙ୍କ ନିକଟରେ ମୋଟରେ ପଚାଶଟି ଶର ଥିଲା । ସେଥିରୁ ଗୋଟିଏ ମାରି ସେ ହସ୍ତୀକୁ ବଧ କରିଥିଲେ । ଅବଶିଷ୍ଟ ଅଣଚାଶଟି ଶରରେ ସେ ଅଣଚାଶ ଜଣ ଦସ୍ୟୁଙ୍କୁ ବଧ କଲେ । କେବଳ ଦଳପତିକୁ ମାରିବାପାଇଁ ତାଙ୍କ ପାଖରେ ଆଉ ଶର ନଥିଲା । ତେଣୁ ସେ ଦଳପତିକୁ ମାଡିବସି ନିଜର ସ୍ତ୍ରୀକୁ କହିଲେ, “ମୋର ତରବାରିଟା ମୋ ହାତକୁ ଦିଅ ।”
ଏଥିମଧ୍ୟରେ ତାଙ୍କ ସ୍ତ୍ରୀର ମନରେ ଭୀଷଣ ପରିବର୍ତ୍ତନ ଆସିଥିଲା । ଦସ୍ୟୁଦଳପତିର ଅଙ୍ଗସୌଷ୍ଣବ ଓ ସାହସ ଦେଖି ସେ ତା ନିକଟରେ ନିଜ ହୃଦୟ ଅର୍ପଣ କରି ସାରିଥିଲା । ସେ ସ୍ୱାମୀଙ୍କ ହାତରେ ତରବାରିର ଖୋଳଟି ମାତ୍ର ଦସ୍ୟୁ ଦଳପତି ହାତରେ ତରବାରିଟି ଦେଲା । ମୁହୂର୍ତକ ମଧ୍ୟରେ ଦଳପତି ଯୁବକର ମସ୍ତକ ଛେଦନ କରି ତାଙ୍କ କବଳରୁ ମୁକ୍ତ ହେଲା । ଯୁବତୀ ଆନନ୍ଦରେ ଦସ୍ୟୁଦଳପତିର ଅନୁଗମନ କଲା । ପଥ ମଧ୍ୟରେ ଦଳପତି ଯୁବତୀର ପରିଚୟ ଚାହିଁବାରୁ ସେ କହିଲା, “ମୋର ପିତା ହେଉଛନ୍ତି, ତକ୍ଷଶିଳାର ଜଣେ ପ୍ରସିଦ୍ଧ ଆଚର୍ଯ୍ୟ । ଏହି ଯୁବକ ମୋ ପିତାଙ୍କଠାରୁ ଧନୁର୍ବିଦ୍ୟା ଶିକ୍ଷାକରି ବିଶେଷ କୃତିତ୍ୱ ଅର୍ଜିଥିଲେ । ତେଣୁ ପିତା ମୋତେ ତାଙ୍କ ସହିତ ବିବାହ କରାଇ ଦେଇଥିଲେ । ଆମେ ବାରାଣସୀକୁ ଯାଉଥିଲୁ । ଏବେ ମୁଁ ତୁମ ପ୍ରତି ଏତେ ଅନୁରକ୍ତ ଯେ ତାଙ୍କର ବିନାଶ ପାଇଁ ତୁମକୁ ସାହାଯ୍ୟ କରିଅଛି ।”
ଦସ୍ୟୁଦଳପତି ଚିନ୍ତା କରିବାକୁ ଲାଗିଲା – “ଏ ନାରୀ ବିଶ୍ୱାସର ପାତ୍ର ନୁହେଁ । ସେ ମୋତେ ଦେଖି ନିଜର ବିବାହିତ ପତିକୁ ବଧ କରାଇଅଛି । କାଲି ଅନ୍ୟ ଜଣେ ପୁରୁଷର ପ୍ରେମ ନିମନ୍ତେ ସେ ମୋର ପ୍ରାଣ ନେଇପାରେ । ତେଣୁ ଏହାର ସଙ୍ଗ ତ୍ୟାଗ କରିବା ଉଚିତ୍ ।”