ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚୁଲ୍ଲଧନୁଗ୍ଗହ ଜାତକ

       କିଛିଦୂର ଯିବା ପରେ ସେମାନେ ଗୋଟିଏ ନଦୀ ତୀରରେ ଉପସ୍ଥିତ ହେଲେ । ଦସ୍ୟୁଦଳପତି ଏହିଠାରେ ଯୁବତୀକୁ ଛାଡି ଚାଲିଯିବାକୁ ସ୍ଥିର କରି କହିଲା, “ପ୍ରିୟେ, ଏ ନଦୀ ଜଳପୂର୍ଣ୍ଣ ଓ ଏଥିରେ କୁମ୍ଭୀର ଅଛନ୍ତି । ତୁମେ ଏତେଗୁଡିଏ ବସନଭୂଷଣ ସହିତ କିପରି ମୋ ସାଙ୍ଗରେ ଯାଇପାରିବ?” ଯୁବତୀ କହିଲା, “ମୋର ଅଳଙ୍କାରଗୁଡିକ ବାସ୍ତବରେ ନଦୀରେ ଯିବା ସମୟରେ ମୋ ପକ୍ଷରେ ପ୍ରତିପନ୍ଧକ ହେବ । ତୁମେ ସେଗୁଡିକ ନେଇ ଅପର ତୀରରେ ରଖି ଫେରିଆସିବ ଓ ମୋତେ ସଙ୍ଗରେ ନେଇ ପୁଣି ଯିବ ।” ଏହା କହି ସେ ତା’ର ସମସ୍ତ ଅଳଙ୍କାର ଦସ୍ୟୁଦଳପତିକୁ ଦେଲା । ସେଗୁଡିକ ନେଇ ଦଳପତି ନଦୀ ପାର ହୋଇଗଲା । ଅପର ତୀରରେ ପହଁଚିଲା ମାତ୍ରେ ସେ ବେଗରେ ଚାଲିଯିବାକୁ ଲାଗିଲା । ଯୁବତୀ ଡାକିଲା, “ପ୍ରିୟ , ମୋର ଅଳଙ୍କାର ନେଇ ଚାଲିଯାଉଛ କିପରି? ଫେରିଆସି ମୋତେ ଅପର ତୀରକୁ ନେଇଯାଅ ।”

       ଦସ୍ୟୁଦଳପତି ଯାଉ ଯାଉ କହିଲା, “ତୁମର ମନରେ ଦୃଢତା ନାହିଁ । କାହାପ୍ରତି ତୁମେ କେତେବେଳେ ଅନୁରକ୍ତି ପ୍ରକାଶ କରି, କାହାର ପ୍ରାଣନେବ ଏଥିରେ ସ୍ଥିରତା ନାହିଁ । ଯେକୌଣସି ମୁହୂର୍ତରେ ତୁମେ ମୋତେ ତ୍ୟାଗକରି ଅନ୍ୟ ପୁରୁଷକୁ ଆଶ୍ରୟ କରିପାର । ତେଣୁ ମୁଁ ତୁମଠାରୁ ଦୂରକୁ ଚାଲିଯାଉଛି । ତୁମେ ସେହିଠାରେ ଥାଅ ।”

       ଯୁବତୀ ନିଜକୁ ନିତାନ୍ତ ଅସହାୟ ମନେକରି ଗୋଟିଏ ବୁଦାମୂଳେ ବସିରହିଲା ଓ ଚକ୍ଷୁରୁ ଲୁହ ଗଡାଇଲା । ଏହି ସମୟରେ ଦେବରାଜ ଶକ୍ର ଜାଣିପାରିଲେ, ଯୁବତୀ ନିଜର ପ୍ରବୃତିଦ୍ୱାରା ଚାଳିତ ହୋଇ ସ୍ୱାମୀ ତଥା ପ୍ରେମିକ ଉଭୟଙ୍କୁ ହରାଇ ଅଛି । ତାହାକୁ ଉପଯୁକ୍ତ ଶିକ୍ଷା ଦେବା ଉଦ୍ଧେଶ୍ୟରେ ସେ ମାତଳି ଓ ପଂଚଶିଖ ଏ ଦୁହିଁଙ୍କୁ ସଙ୍ଗରେ ନେଇ ପୃଥିବୀକୁ ଆସିଲେ । ସେ ନିଜେ ଗୋଟିଏ ଶୃଗାଳ ରୂପରେ ଖଣ୍ଡିଏ ମାଂସ ଧରି ସେ ସ୍ତ୍ରୀ ଆଗରେ ପହଁଚିଲେ । ମାତଳି ଗୋଟିଏ ମାଛ ରୂପଧରି ନଦୀରୁ ତାଙ୍କ ପାଖକୁ ଡେଇଁପଡିଲା । ଶୃଗାଳରୂପୀ ଶକ୍ର ମୁହଁରୁ ମାଂସଖଣ୍ଡିକ ତଳେ ରଖି ଦେଇ ମାଛକୁ ଧରିବାକୁ ଗଲାବେଳେ ପଂଚଶିଖ ଚିଲରୂପରେ ଉଡିଆସି ମାଂସଖଣ୍ଡିକ ନେଇଗଲା ଓ ଏହି ଅବସରରେ ମାଛ ନଦୀକୁ ଡେଇଁ ପଡିଲା ।

       ଯୁବତୀ ବୁଦାମୂଳେ ବସି କାନ୍ଦୁ କାନ୍ଦୁ ଏହି ଦୃଶ୍ୟ ଦେଖିପାରିଲା । ସେ କହି ଉଠିଲା, “ଅତି ଲୋଭ କରି ଶୃଗାଳ ମାଂସ ଓ ମାଛ ହରାଇଲା । ଶୃଗାଳ ତାହା ଶୁଣି କହିଲା, “ହେ ସୁନ୍ଦରୀ, ବୁଦାମୂଳେ ବସି ହସିବାର କାରଣ ନାହିଁ । ବରଂ ତୁମ ପକ୍ଷରେ କାନ୍ଦିବାହିଁ ଉଚିତ୍ ।”

       ଯୁବତୀ କହିଲା, “ରେ ମୂର୍ଖ ଶୃଗାଳ! ତୁ ମାଂସକୁ ହରାଇଲୁ, ମାଛକୁ ମଧ୍ୟ ହରାଇଲୁ! ତୋ ମୂର୍ଖତାର ପରିଣାମ ଦେଖି କିଏ ନହସିବ?”

       ଶୃଗାଳ କହିଲା, “ତୁମେ ପରର ଦୋଷ ଦେଖିବାରେ ଖୁବ୍ ନିପୁଣ; କିନ୍ତୁ ନିଜ ଦୋଷକୁ ଦେଖିପାରୁନାହଁ । ମୁଁ ମାଂସ ଓ ମାଛ ଉଭୟକୁ ହରାଇବା ଦେଖି ହସୁଛ; କିନ୍ତୁ ତୁମେ ସ୍ୱାମୀ ଓ ପ୍ରେମିକ ଦୁହିଁଙ୍କୁ ହରାଇନାହଁ କି?”

       ଯୁବତୀ ନିଜର ଭ୍ରମ ବୁଝିପାରି କହିଲା, “ହେ ଶୃଗାଳ, ତୁମର କଥା ଯଥାର୍ଥ । ମୁଁ ତୁମଠାରୁ ଅଧମ । ମୁଁ ଘୋର ପାପକରି ତା’ର ଫଳ ପାଇଛି । ଏଣିକି କାହାରିକୁ ବିବାହ କରି ପବିତ୍ର ଦାମ୍ପତ୍ୟଜୀବନ ଯାପନ କରିବି । ଆଉ ପରପୁରୁଷଠାରେ ଆସକ୍ତି ପ୍ରକାଶ କରିବିନାହିଁ ।”

       ଶକ୍ର ଯୁବତୀକୁ ଭର୍ସିନା କରି କହିଲେ, “ତୁମେ ଭବିଷ୍ୟତରେ ପାପକାର୍ଯ୍ୟ କରିବ ନାହିଁ ବୋଲି କହୁଛ; କିନ୍ତୁ ତୁମକୁ କିଏ ବିଶ୍ୱାସ କରିବ । ଆଜି ଯେ କଖାରୁଟାଏ ଚୋରିକରେ, କାଲି ସେ ବାସନ ଚୋରି କରିବ । ତୁମେ ତୁମ ସ୍ୱାମୀର ଜୀବନ ନେଇଛ, ପରେ ହୁଏତ ଆହୁରି ବଡ ପାପ କରିବ ।”

       ଏହା ଶୁଣି ସ୍ତ୍ରୀଲୋକଟି ଘୋର ଲଜ୍ଜା ଅନୁଭବ କଲା । ଶକ୍ର, ମାତଳି ଓ ପଂଚଶିଖଙ୍କୁ ସଙ୍ଗରେ ନେଇ ସ୍ୱର୍ଗପୁରକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ