ଏକ ସମୟରେ ବୋଧିସତ୍ୱ ରାଜା ବ୍ରହ୍ମଦତଙ୍କର ପାଟରାଣୀଙ୍କ ଗର୍ଭରୁ ତାଙ୍କର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ତାଙ୍କର ନାମ ଥିଲା ପଦ୍ମକୁମାର । ତାଙ୍କ ପରେ ଏକାଦିକ୍ରମେ ତାଙ୍କର ଛଅଟି ଭାଇ ଜନ୍ମଗ୍ରହଣ କରିଥିଲେ । ସାତଭାଇଯାକ ସମୟକ୍ରମେ ଯୌବନରେ ଉପନୀତ ହୋଇ ବିବାହ କଲେ ଓ ପିତାଙ୍କ ସହିତ ରାଜପୁରରେ ବାସକରିବାକୁ ଲାଗିଲେ ।
ଦିନେ ରାଜା ଦେଖିଲେ ଯେ, ରାଜପୁତ୍ରମାନେ ଏକସଙ୍ଗରେ ବହୁ ଅନୁଚରଙ୍କ ସହିତ ତାଙ୍କ ଦରବାର ଗୃହକୁ ଆସୁଅଛନ୍ତି । ତାଙ୍କ ମନରେ ଗୋଟିଏ ଆଶଙ୍କା ଜାତ ହେଲା । ସେ ଭାବିଲେ, ବୋଧହୁଏ ତାଙ୍କୁ ହତ୍ୟାକରି ରାଜ୍ୟ ଅଧିକାର କରିବା ନିମନ୍ତେ ରାଜପୁତ୍ର ମାନେ ମିଳିତ ହୋଇ ଆସୁ ଅଛନ୍ତି । ସେ ରାଜପୁତ୍ରମାନଙ୍କୁ ଡକାଇ କହିଲେ, “ତୁମେମାନେ ବର୍ତ୍ତମାନ ଯୁବକ । ନାନା ସ୍ଥାନରେ ଭ୍ରମଣ କରି ସଂସାର ସମ୍ବନ୍ଧରେ ଅଭିଜ୍ଞତା ଅର୍ଜନ କରିବା ଉଚିତ୍ । ଏଣିକି ଏ ନଅରରେ ରହିବା ତୁମମାନଙ୍କ ପକ୍ଷରେ ସୁନ୍ଦର ନୁହେଁ । ତୁମେମାନେ ଯେଉଁଠାକୁ ଇଚ୍ଛା ସେଠାକୁ ଯାଇପାର; କିନ୍ତୁ ମୋର ମୃତ୍ୟୁ ପରେ ଏଠାକୁ ଆସି ତୁମର ପୈତୃକ ରାଜ୍ୟର ଭାର ଗ୍ରହଣ କରିବ ।”
ପିତାଙ୍କ ଆଦେଶକୁ ସେମାନେ ମାନି ରାଜ୍ୟଛାଡି ଯିବାକୁ ପ୍ରସ୍ତୁତ ହେଲେ; କିନ୍ତୁ ସେମାନଙ୍କର ମନରେ ଘୋର ଦୁଃଖ ଜାତ ହେଲା । ଏଥିପୂର୍ବରୁ ରାଜପୁରର ସୁଖସ୍ୱାଚ୍ଛନ୍ଦ୍ୟ ଭିତରେ ସେମାନେ ବଢିଆସିଥିଲେ; ଏବେ କେଉଁଠାକୁ ଯିବେ, କଅଣ କରିବେ, ଏହି ଚିନ୍ତା ସେମାନଙ୍କୁ ବ୍ୟାକୁଳ କରି ପକାଇଲା । ସେମାନେ ଭାବିଲେ, “ଯେକୌଣସି ସ୍ଥାନକୁ ଗଲେ ଆମର ଅବସ୍ଥା ସମାନ । ତେଣୁ ଚାଲ, ଯେଉଁଠାକୁ ହେଉ ଯିବା ।”