ଏହିପରି ସ୍ଥିରକରି ସେମାନେ ନିଜ ନିଜ ପତ୍ନୀଙ୍କୁ ସଙ୍ଗରେ ନେଇ ରାଜପଥରେ ଚାଲିବାକୁ ଲାଗିଲେ । ଚାଲି ଚାଲି ସେମାନେ ଗୋଟିଏ ଅରଣ୍ୟରେ ଉପସ୍ଥିତ ହେଲେ । ସେତେବେଳକୁ ସେମାନେ କ୍ଷୁଧାରେ କାତର ହୋଇପଡିଥିଲେ । ପାଖରେ କୌଣସି ଖାଦ୍ୟ ନଥିଲା । ତେଣୁ ସାତଭାଇଯାକ ବିଚାର କରି ସ୍ଥିର କଲେ – ଏହି ସ୍ତ୍ରୀମାନଙ୍କୁ ଜଣ ଜଣ କରି ବଧ କରିବେ ଓ ସେମାନଙ୍କର ମାଂସରେ ଅନ୍ୟମାନେ ପ୍ରାଣରକ୍ଷା କରିବେ । ତତ୍ପରେ ପ୍ରଶ୍ନଉଠିଲା, କାହା ପରେ କାହାକୁ ବଧ କରାଯିବ । ସମସ୍ତେ ଏକମତ ହୋଇ ସ୍ଥିର କଲେ ଯେ, ପ୍ରଥମେ ସବା ସାନଭାଇର ସ୍ତ୍ରୀକୁ ବଧ କରି ଅନ୍ୟମାନେ ତା’ର ମାଂସ ଖାଇବେ । ତାପରଦିନ ତା ଉପର ଭାଇର ସ୍ତ୍ରୀର ମାଂସରେ ଅନ୍ୟମାନେ ଜୀବନ ରକ୍ଷାକରିବେ । ଏହିପରି ଶେଷଦିନ ବୋଧିସତ୍ୱଙ୍କ ସ୍ତ୍ରୀଙ୍କର ମାଂସରେ କେବଳ ସାତଭାଇ ଉଦରପୂରଣ କରିବେ ବୋଲି ସ୍ଥିର କରାଗଲା ।
ପ୍ରଥମଦିନ ସବା ସାନଭାଇର ସ୍ତ୍ରୀକୁ ବଧକରି ତା’ର ମାଂସକୁ ତେର ଭାଗ କରାଗଲା । ସାତଭାଇ ଓ ଅବଶିଷ୍ଟ ଛଅଯାଆ ଗୋଟିଏ ଲେଖାଏଁ ଭାଗ ଖାଇବାକୁ ପାଇଲେ । ଦ୍ୱିତୀୟଦିନ ତା’ ଉପର ଭାଇର ସ୍ତ୍ରୀକୁ ହତ୍ୟାକରି ତା’ର ମାଂସକୁ ବାର ଭାଗ କରାଗଲା । ସାତଭାଇ ଓ ଅବଶିଷ୍ଟ ପାଂଚଯାଆ ଗୋଟିଏ ଲେଖାଏଁ ଭାଗ ପାଇଲେ । ଏହିପରି ସପ୍ତମ ଦିନକୁ ସାତଭାଇ ଓ ବୋଧିସତ୍ୱଙ୍କ ସ୍ତ୍ରୀ ରହିଲେ । ସେଦିନ ବୋଧିସତ୍ୱଙ୍କର ସ୍ତ୍ରୀକୁ ବଧକରି ସାତଭାଇ ଖାଇବାର କଥା; କିନ୍ତୁ ବୋଧିସତ୍ୱ ଓ ତାଙ୍କ ସ୍ତ୍ରୀ ଗତ ଛଅଦିନ ଯାଏଁ ପ୍ରତ୍ୟହ ଯେଉଁ ଦୁଇଟି ଭାଗ ପାଉଥିଲେ, ସେଥିରୁ ଗୋଟିଏ ଭାଗ ଦୁହେଁ ଖାଉଥିଲେ ଓ ଅନ୍ୟ ଭାଗଟି ସଂଚୟ କରି ରଖୁଥିଲେ । ଏହିପରି ଛଅଟି ଭାଗ ସଂଚିତ ଥିଲା । ସେ ନିଜ ସ୍ତ୍ରୀକୁ ବଧକରିବାକୁ ନଦେଇ ଭାଇମାନଙ୍କୁ କହିଲେ, “ତୁମ ଛଅଜଣଙ୍କ ପାଇଁ ମୁଁ ଏ ଖାଦ୍ୟ ଦେଉଛି । କାଲି ଖାଇବାପାଇଁ ମୁଁ କିଛି ବ୍ୟବସ୍ଥା କରିବି ।” ଭାଇମାନେ ସେହି ସଂଚିତ ଖାଦ୍ୟକୁ ଖାଇ ଶୋଇପଡିଲେ । ଏହି ଅବସରରେ ବୋଧିସତ୍ୱ ନିଜ ଭାର୍ଯ୍ୟାକୁ ସଙ୍ଗରେ ଘେନି ପଳାଇଗଲେ ।
କିଛିଦୂର ଯିବା ପରେ ସ୍ତ୍ରୀ କହିଲା, “ମୁଁ ଚାଲି ଚାଲି କ୍ଳାନ୍ତ ହୋଇପଡିଛି । ଆଉ ଚାଲିପାରିବି ନାହିଁ ।” ତହୁଁ ବୋଧିସତ୍ୱ ତାକୁ ନିଜ କାନ୍ଧରେ ବସାଇ ଚାଲିଲେ । ସୂର୍ଯେ୍ୟାଦୟ ହେଲାବେଳକୁ ସେମାନେ ବନଦେଶ ପାର ହୋଇ ଯାଇଥିଲେ । ବୋଧିସତ୍ୱ ସ୍ତ୍ରୀକୁ କାନ୍ଧରୁ ଓହ୍ଲାଇ ବିଶ୍ରାମ ନେଲେ ।
ଏହି ସମୟରେ ସ୍ତ୍ରୀ କହିଲା, “ମୋତେ ଅସହ୍ୟ ତୃଷା ହେଉଛି । କେଉଁଠାରୁ ଜଳ ଆଣି ଦିଅ ।”