ବୋଧିସତ୍ୱ ଅନେକ ସନ୍ଧାନ କରି କୌଣସିଠାରେ ଜଳ ପାଇଲେ ନାହିଁ । ତହୁଁ ସେ କହିଲେ, “ପ୍ରିୟେ, ଏଠାରେ କୌଣସି ଜଳାଶୟ ନାହିଁ । ତେଣୁ ମୋର ରକ୍ତ ପାନ କରି ତୃଷା ଦୂର କର ।” ଏହା କହି ସେ ତରବାରିଦ୍ୱାରା ନିଜର ଜଙ୍ଘକୁ ଚିରିଦେଲେ ଓ ସ୍ତ୍ରୀ ତାଙ୍କର ରକ୍ତ ପାନକରି ସନ୍ତୋଷ ଲାଭ କଲେ ।
ତାପରେ ଦୁହେଁଯାକ ପୁଣି ଚାଲି ଚାଲି ଗଙ୍ଗା ତୀରରେ ପହଁଚିଲେ । ଗଙ୍ଗାରେ ସ୍ନାନ ଓ ଜଳପାନ କରି ଏବଂ ବୃକ୍ଷର ଫଳ ଖାଇ ଉଭୟେ ସନ୍ତୁଷ୍ଟ ହେଲେ । ସେମାନେ ଗଙ୍ଗାତୀରରେ ଗୋଟିଏ ରମଣୀୟ ସ୍ଥାନ ସ୍ଥିରକରି ସେଠାରେ କୁଟୀରଟିଏ ନିର୍ମାଣ କଲେ । ବୃକ୍ଷର ଫଳମୂଳ ଖାଇ ସେମାନେ ସୁଖରେ ଦିନ କଟାଇବାକୁ ଲାଗିଲେ ।
ଏହି ସମୟରେ ସେ ଅଂଚଳରେ ଜଣେ ଦସ୍ୟୁ ଲୁଣ୍ଠନ ଓ ନରହତ୍ୟା ଆଦି ଅପରାଧ କରିଥିବାରୁ ରାଜା ତା’ର ହସ୍ତ, ପାଦ, ନାସା ଓ କର୍ଣ୍ଣ ଛେଦନ କରି ପଙ୍ଗୁ ଅବସ୍ଥାରେ ଗୋଟିଏ ନୌକାରେ ବସାଇ ଗଙ୍ଗାନଦୀରେ ନୌକାଟିକୁ ଭସାଇ ଦେଇଥିଲେ । ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ । ବୋଧିସତ୍ୱ ନୌକାଟିକୁ ଟାଣିଆଣି ଲୋକଟିକୁ ଉଦ୍ଧାର କଲେ ଓ ତାକୁ ନିଜ କୁଟୀରରେ ରଖି ବନର ଚେରମୂଳ ଔଷଧ ପ୍ରୟୋଗ କରି ତା’ର କ୍ଷତଗୁଡିକ ଆରୋଗ୍ୟ କରିଦେଲେ । ବୋଧିସତ୍ୱ ତା’ର ସେବା ଶୁଶ୍ରୁଷା କରୁଥିଲେ ଓ ଅତିଥି ଭାବରେ ତାକୁ ଉତ୍ତମ ଖାଦ୍ୟପେୟ ଦେଉଥିଲେ । ତାଙ୍କର ହୃଦୟ ଅତ୍ୟନ୍ତ ଉଦାର ଥିଲା ଓ ସେ ଭାବୁଥିଲେ, “ଜୀବନ ଥିବାପର୍ଯ୍ୟନ୍ତ ପରର ଉପକାର କରିବି ।”
କିନ୍ତୁ ତାଙ୍କ ସ୍ତ୍ରୀକୁ ସ୍ୱାମୀଙ୍କର ଏ କାର୍ଯ୍ୟ ଭଲ ଲାଗୁନଥିଲା । ଲୋକଟା ଭଲହେବା ପରେ ମଧ୍ୟ କାହିଁକି ସେମାନଙ୍କ ଉପରେ ବୃଥା ଭାର ହୋଇ ରହିବ? ସେ ଏଥିନିମନ୍ତେ ସ୍ୱାମୀଙ୍କ ଉପରେ ବିରକ୍ତ ହେଉଥିଲା ।
ବୋଧିସତ୍ୱ ପ୍ରତିଦିନ ବଣରୁ ଫଳମୂଳ ସଂଗ୍ରହ କରିବାକୁ ଯାଉଥିଲେ । କୁଡିଆରେ ତାଙ୍କ ସ୍ତ୍ରୀ ସହିତ କେବଳ ସେହି ଦୁଷ୍ଟ ଲୋକଟି ରହୁଥିଲା । କ୍ରମେ ସେ ଦୁହିଁଙ୍କ ଭିତରେ ପାପ-ପ୍ରଣୟ ଜାତ ହେଲା । ସେମାନେ ମନେକଲେ ଯେ, ବୋଧିସତ୍ୱ ତାଙ୍କ ପ୍ରେମପଥରେ ଏକ କଂଟକ ସଦୃଶ – ଏହାକୁ ଦୂର କରିବା ଉଚିତ୍ । ବୋଧିସତ୍ୱଙ୍କୁ ବଧ କରିବାପାଇଁ ତାଙ୍କ ସ୍ତ୍ରୀ ଏକ ଜଘନ୍ୟ କୌଶଳ କଲା ।