ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚୁଲ୍ଲପଦୁମ ଜାତକ

       ଦିନେ ସେ ସ୍ୱାମୀଙ୍କୁ କହିଲା, “ସେଦିନ ତୁମେ ମହାକଷ୍ଟରେ ମୋତେ କାନ୍ଧରେ ବସାଇ ବନ ମଧ୍ୟରେ ଆଣୁଥିଲ । ଚାରିଆଡେ ହିଂସ୍ରଜନ୍ତୁଙ୍କର ଗର୍ଜନ ଶୁଭୁଥାଏ; ଗାଢ ଅନ୍ଧକାରରେ ପଥ ଦିଶୁନଥାଏ । ମୁଁ କେବଳ ଏହି ପର୍ବତର ଶିଖର ଦେଶ ଦେଖିପାରୁଥାଏ । ସେତେବେଳେ ମୁଁ ମନେ ମନେ ପ୍ରତିଜ୍ଞା କରିଥିଲି ଯେ, ଆମେ ନିରାପଦରେ ବନଭାଗ ଅତିକ୍ରମ କରିପାରିଲେ ମୁଁ ଏହି ପର୍ବତଙ୍କୁ ପୂଜା ଦେବି; କିନ୍ତୁ ଆଜିପର୍ଯ୍ୟନ୍ତ ମୁଁ ସେହି ପୂଜା ଦେଇପାରି ନଥିବାରୁ ମନ ସନ୍ତପ୍ତ ହେଉଅଛି । ତୁମେ ମନ କଲେ ମୋର ସେହି ପ୍ରତିଜ୍ଞା ପୂରଣ କରିପାରିବ ।”

       ବୋଧିସତ୍ୱ କହିଲେ, “ଏ ଅତି ଉତ୍ତମ କଥା । ଆଜି ମୁଁ ପୂଜାର ଉପକରଣମାନ ନେଇଆସିବି ।”

       ସେଦିନ ବୋଧିସତ୍ୱ ଫୁଲ ଫଳ ପ୍ରଭୃତି ପୂଜାଦ୍ରବ୍ୟ ସଂଗ୍ରହ କରି ଗୋଟିଏ ପାତ୍ରରେ ରଖି ସ୍ତ୍ରୀକୁ କହିଲେ, “ଚାଲ, ଦୁହେଁ ପର୍ବତ ଶିଖରକୁ ଯାଇ ପର୍ବତ ଦେବତାଙ୍କୁ ପୂଜା କରି ଆସିବା । ଦୁର୍ଗମ ପଥରେ ତୁମ ପକ୍ଷରେ ଏକାକୀ ଯିବା କଷ୍ଟକର ହେବ ।”

       ଦୁହେଁ ପର୍ବତ ଚୂଡାରେ ପହଁଚିବାରୁ ସ୍ତ୍ରୀ କହିଲା, “ମୁଁ ପର୍ବତ ଦେବତାଙ୍କୁ ପୂଜା କରିବା ପୂର୍ବରୁ ତୁମକୁ ପ୍ରଦକ୍ଷିଣ କରି ପ୍ରଣାମ କରିବା ଉଚିତ୍, କାରଣ ପତି ହେଉଛନ୍ତି ନାରୀର ପ୍ରଥମ ଦେବତା ।”

       ବୋଧିସତ୍ୱ ଦୁଷ୍ଟା ପତ୍ନୀର ମନ୍ଦ ଉଦ୍ଧେଶ୍ୟ ଥିବା କଥା ଆଦୌ ସନ୍ଦେହ କରିନଥିଲେ । ତେଣୁ ସେ ପ୍ରସ୍ତାବରେ ଆପତ୍ତି ନକରି ଛିଡାହୋଇ ରହିଲେ । ଦୁଷ୍ଟା ସ୍ତ୍ରୀ ପ୍ରଦକ୍ଷିଣ କରିବା ବାହାନାରେ ତାଙ୍କ ପଛକୁ ଯିବାମାତ୍ରେ ତାଙ୍କୁ ପର୍ବତ ତଳକୁ ଠେଲି ଗଡାଇଦେଲା । ସେ ଭାବିଥିଲା ଯେ, ତୀକ୍ଷ୍ଣ ପର୍ବତ ଶୃଙ୍ଘରୁ ତଳେ ପଡି ବୋଧିସତ୍ୱ ପ୍ରାଣ ହରାଇବେ । ସ୍ୱାମୀଙ୍କୁ ପର୍ବତ ଶିଖରରୁ ତଳକୁ ପକାଇଦେଇ ସେ ମନେ ମନେ ଆନନ୍ଦିତ ହୋଇ ଭାବିଲା, “ଏବେ ଆମ ପ୍ରଣୟପଥର କଂଟା ଦୂର ହୋଇଗଲା । ଏଣିକି ଆମେ ଦୁହେଁ ସୁଖରେ ରହିବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ