ସେ ପର୍ବତରୁ ଓହ୍ଲାଇ କୁଟୀରକୁ ଗଲା ଓ ତା’ର ପ୍ରଣୟୀକୁ ସମସ୍ତ ଘଟଣା କହିଲା । ଦୁହେଁ ଆନନ୍ଦିତ ହେଲେ ।
ଏଣେ ବୋଧିସତ୍ୱ ପର୍ବତ ଚୂଡାରୁ ଖସିପଡୁପଡୁ ଗୋଟିଏ ବୃକ୍ଷର ଗହଳ ପତ୍ର ମଧ୍ୟରେ ଲାଖିଗଲେ । ସେ ସେହି ବୃକ୍ଷକୁ ଆଶ୍ରୟ କରି ରହିଲେ ଓ ତା’ର ଫଳ ଖାଇ କ୍ଷୁଧା ନିବାରଣ କଲେ । ଗୋଟିଏ ବିରାଟ ଗୋଧି ପ୍ରତିଦିନ ସେହି ବୃକ୍ଷକୁ ଆସି ଫଳ ଭକ୍ଷଣ କରୁଥିଲା । ସେ ଆସି ବୋଧିସତ୍ୱଙ୍କୁ ଦେଖି ଭୟରେ ପଳାଇଲା । ତପିରଦିନ ତାଙ୍କଠାରୁ କିଛି ଦୂରରେ ରହି ସେ ବୃକ୍ଷର ଫଳ ଖାଇଲା । ବୋଧିସତ୍ୱ ତାହାର କୌଣସି ଅନିଷ୍ଟ କରୁନଥିବାର ଦେଖି ସେ ସାହସ କରି ତାଙ୍କର ଅତି ନିକଟକୁ ଆସିଲା ଓ ସେ କିପରି ଏ ବୃକ୍ଷ ଉପରକୁ ଆସିଲେ ତାହା ପଚାରିଲା । ବୋଧିସତ୍ୱ ନିଜ ସ୍ତ୍ରୀର କପଟ ଆଚରଣ ପ୍ରକାଶ କଲେ । ତହୁଁ ଗୋଧି କହିଲା, “ଆପଣ ଚିନ୍ତା କରନ୍ତୁନାହିଁ । ମୁଁ ଆପଣଙ୍କୁ ପିଠିରେ ବସାଇ ନିରାପଦରେ ପର୍ବତର ପାଦଦେଶକୁ ନେଇଯିବି ।”
ଗୋଧି ବୋଧିସତ୍ୱଙ୍କୁ ପର୍ବତର ପାଦଦେଶରେ ଓହ୍ଲାଇଦେଇ ନିଜ ସ୍ଥାନକୁ ଫେରିଆସିଲା । ବୋଧିସତ୍ୱ ଏଣେତେଣେ ବୁଲି ବୁଲି ଗୋଟିଏ ଗ୍ରାମରେ ପହଁଚିଲେ । ସେଠାରେ ସେ ଶୁଣିବାକୁ ପାଇଲେ ଯେ, ତାହାଙ୍କ ପିତାଙ୍କର ମୃତ୍ୟୁ ହୋଇଅଛି । ତେଣୁ ସେ କାଳବିଳମ୍ବ ନକରି ବାରାଣସୀରେ ଉପସ୍ଥିତ ହେଲେ । ମନ୍ତ୍ରୀମାନେ ରାଜପୁତ୍ରଙ୍କୁ ଆନନ୍ଦରେ ପାଛୋଟି ନେଇ ସିଂହାସନରେ ବସାଇଲେ ଓ ଯଥାବିଧି ଅଭିଷେକ ଉତ୍ସବ ସମ୍ପାଦନ କରାଇଲେ ।
ବୋଧିସତ୍ୱ ରାଜସିଂହାସନରେ ବସି ଧର୍ମ ଓ ନ୍ୟାୟରେ ରାଜ୍ୟ ଶାସନ କରିବାକୁ ଲାଗିଲେ । ପ୍ରଜାମାନଙ୍କର ସୁଖ-ସନ୍ତୋଷ ବିଧାନ କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ନଗରରେ ସେ ଛଅଟି ଦାନଶାଳା ପ୍ରତିଷ୍ଠା କରି ପ୍ରତ୍ୟହ ଦୀନ ଦରିଦ୍ରମାନଙ୍କୁ ଛଅ ଲକ୍ଷ ମୁଦ୍ରା ଦାନ କରାଉଥିଲେ । ସବୁ ଦାନଶାଳାର କାର୍ଯ୍ୟ ସେ ନିଜେ ଦେଖୁଥିଲେ ଓ ସମୟେ ସମୟେ ନିଜେ ଦାନ ଦେଉଥିଲେ ।
ଏଣେ ବୋଧିସତ୍ୱଙ୍କ ସ୍ତ୍ରୀ ସେହି ପଙ୍ଗୁଲୋକ ସହିତ କୁଡିଆରେ ରହିଥାଏ । ଆଗେ ବୋଧିସତ୍ୱ ବଣରୁ ଫଳମୂଳ ଆଣି ଏ ଦୁହିଁଙ୍କୁ ଖାଇବାକୁ ଦେଉଥିଲେ । ଏବେ ଭିକ୍ଷା ନକଲେ ଚଳିଲାନାହିଁ । ସ୍ତ୍ରୀଟି ପଙ୍ଗୁକୁ କାନ୍ଧରେ ବସାଇ ଗ୍ରାମେ ଗ୍ରାମେ ବୁଲି ଭିକ୍ଷା ମାଗେ । ଲୋକେ ପଚାରନ୍ତି, “ଏ ଲୋକଟି ତୁମର କଅଣ ହୁଏ?” ଦୁଷ୍ଟା କହେ, “ଏ ମୋର ପିଉସୀ ପୁଅ-ମୋ ବାପାମାଆ ତାଙ୍କ ସଙ୍ଗରେ ମୋର ବିବାହ ଦେଇଥିଲେ । ଦୈବଯୋଗକୁ ସେ ଏପରି ପଙ୍ଗୁ ହୋଇଗଲେ । ଅନ୍ଧ ହେଉ, କାଲ ହେଉ, କୁଜା ହେଉ, ଖଞ୍ଜ ହେଉ, ଯାହାହେଲେ ମଧ୍ୟ ସ୍ୱାମୀ ମୋର ପରମ ଦେବତା । ତାଙ୍କୁ ଘେନି ଜୀବନ ଥିଲାଯାକେ ବୁଲିବି ।” ଲୋକେ ଏହା ଶୁଣି ମନେକରନ୍ତି, “ଏଇଟି ଗୋଟିଏ ମହାସତୀ । ଏହାର ସ୍ୱାମୀ ଭକ୍ତିର ତୁଳନା ନାହିଁ ।” ତେଣୁ ସେମାନେ ତାକୁ ବେଶି ପରିମାଣରେ ଭିକ୍ଷା ଦିଅନ୍ତି । ଭିକ୍ଷାରୁ ଯାହା ମିଳେ ସେଥିରେ ଦୁହେଁ ଚଳିଯାନ୍ତି ।