ଦିନେ ସେ ପଙ୍ଗୁକୁ କାନ୍ଧରେ ବସାଇ ଗୋଟିଏ ଗ୍ରାମରେ ଭିକ୍ଷା ମାଗୁଥିଲା । ଗ୍ରାମର କେତେଜଣ ତାକୁ କହିଲେ, “ଆମ ରାଜ୍ୟର ଯେଉଁ ନୂଆ ରାଜା ହୋଇଛନ୍ତି, ସେ ବଡ ଦୟାଳୁ । ସେ ଛଅଟା ଦାନଶାଳା ବସାଇ ପ୍ରତିଦିନ ଛଅଲକ୍ଷ ମୁଦ୍ରା ଦାନ ଦେଉଅଛନ୍ତି । ତାଙ୍କ ଦାନଶାଳାରୁ କେହି ଖାଲି ହାତରେ ଫେରିବାର ଶୁଣାନାହିଁ । ରାଜ୍ୟର ପଙ୍ଗୁ ଅଥର୍ବ ଲୋକଙ୍କପାଇଁ ସେ ଖଞ୍ଜା କରିଦେଇଅଛନ୍ତି । ତୁମେ ଏତେ କଷ୍ଟ କରି ଭିକ୍ଷା କରୁଛ କାହିଁକି? ସେଠାକୁ ଗଲେ ତୁମର ଭାଗ୍ୟ ବଦଳିଯିବ । ତୁମର ସତୀତ୍ୱ ଓ ପତିଭକ୍ତି ଦେଖିଲେ ସେ ତୁମ ଦୁହିଁଙ୍କର ସୁଖରେ ଚଳିବାପାଇଁ ପ୍ରଚୁର ଧନ ଖଞ୍ଜା କରିଦେବେ ।”
ଦୁଷ୍ଟା ତା’ର ଉପପତିକୁ ଗୋଟିଏ ଟୋକେଇରେ ବସାଇ ମୁଣ୍ଡରେ ବୋହି ବାରାଣସୀରେ ପହଁଚିଲେ । ରାଜାଙ୍କ ବିଷୟରେ ସେ ଯାହା ଶୁଣିଥିଲା ତାହା ଦେଖିଲା ସତ୍ୟ । ସେ ପ୍ରତିଦିନ ଦାନଶାଳାରୁ ଯାହା ପାଉଥିଲା ସେଥିରେ ଦୁହେଁଯାକ ସ୍ୱଚ୍ଛନ୍ଦରେ ଚଳିଯାଉଥିଲେ ।
ବୋଧିସତ୍ୱ ଏକ ସୁସଜ୍ଜିତ ହସ୍ତୀପୃଷ୍ଠରେ ବସି ଦାନଶାଳାର କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବାକୁ ଯାଉଥିଲେ । ଦାନାଶାଳାର ଦ୍ୱାରଦେଶରେ ସେ ତାଙ୍କର ଦୁଷ୍ଟା ପତ୍ନୀକୁ ଦେଖି ଚିହ୍ନିପାରିଲେ । ଟୋକେଇରେ ବସିଥିବା ଲୋକଟି ଯେ ତା’ର ଉପପତି ତାହା ମଧ୍ୟ ଜାଣିପାରିଲେ; କିନ୍ତୁ ଏଥିମଧ୍ୟରେ ବୋଧିସତ୍ୱଙ୍କର ଏତେ ପରିବର୍ତ୍ତନ ହୋଇଯାଇଥିଲା ଯେ, ସେ ଦୁଷ୍ଟା ତାଙ୍କୁ ସ୍ୱାମୀ ବୋଲି ଜାଣିପାରିଲା ନାହିଁ । ଦାନାଶାଳାରେ ପ୍ରବେଶ କରି ବୋଧିସତ୍ୱ ନିଜର ଆସନ ଗ୍ରହଣ କରି ସେହି ସ୍ତ୍ରୀକୁ ଡକାଇଲେ । ସେ ମୁଣ୍ଡରେ ପଙ୍ଗୁ ଲୋକଟିକୁ ନେଇ ତାଙ୍କ ଆଗରେ ରଖିଦେଲା । ଉପସ୍ଥିତ ଲୋକେ ରାଜାଙ୍କୁ କହିଲେ, “ଏ ଗୋଟିଏ ମହାସତୀ । ଏହାକୁ ବିଶେଷ ସାହାଯ୍ୟ ମିଳୁ ।” ରାଜା ସ୍ତ୍ରୀକୁ ପଚାରିଲେ, “ଏ ଯେଉଁ ଲୋକଟିକୁ ତୁମେ ମୁଣ୍ଡରେ ବୋହି ଭିକ୍ଷା ମାଗୁଛ, ସେ ତୁମର କଅଣ ହୁଏ?” ସ୍ତ୍ରୀଲୋକଟି ଉତ୍ତର କଲା, “ସେ ମୋର ପିଉସୀ ପୁଅ ଭାଇ । ମୋର ପିତାମାତା ତା’ ସହିତ ମୋର ବିବାହ ଦେଇଥିଲେ । ଦୈବ ଦୁର୍ବିପାକରୁ ସେ ପଙ୍ଗୁ ହୋଇଗଲେ । କିନ୍ତୁ ପତି ମୋର ଏକମାତ୍ର ଦେବତା, ତେଣୁ ତାଙ୍କୁ ମୁଣ୍ଡରେ ବୋହି ବୁଲୁଛି ।”
ଲୋକେ ସ୍ତ୍ରୀଟିର ସତୀତ୍ୱ ଓ ପତିଭକ୍ତିର ଉଚ୍ଚ ପ୍ରଶଂସା କଲେ । ତହୁଁ ବୋଧିସତ୍ୱ କହିଲେ, “ଓଃ! ଏଇ ଲୋକଟି ତୋର ସ୍ୱାମୀ? ତୋର ପିଉସୀ ପୁଅ? ଏହାରି ସଂଗେ ତୋର ବିବାହ ହୋଇଥିଲା? ସତ କରି କହ, ଏ କିଏ?”
ସେ ବୋଧିସତ୍ୱଙ୍କୁ ଆଦୌ ଚିହ୍ନିପାରିନଥିଲା । ତେଣୁ ସେ ସାହସ କରି ପୂର୍ବପରି କହିଲା ।
ବୋଧିସତ୍ୱ କହିଲେ, “ତାହାହେଲେ ଏଇ ଲୋକଟି ହେଉଛି, ବାରାଣସୀର ସ୍ୱର୍ଗତ ରାଜା ବ୍ରହ୍ମଦତଙ୍କ ପୁଅ ପଦ୍ମକୁମାର; ଆଉ ତୁ ହେଉଛୁ ଜଣେ ରାଜାଙ୍କ କନ୍ୟା । ତୁ ପଦ୍ମକୁମାରଙ୍କୁ ପରା ବିବାହ କରିଥିଲୁ? ତୋର ମନେଅଛି କି ଦିନେ ବନ ମଧ୍ୟରେ ତୋର ତୃଷ୍ଣା ନିବାରଣ ପାଇଁ ମୋ ଦେହର ଏହି ସ୍ଥାନରୁ ତୁ ରକ୍ତପାନ କରିଥିଲୁ? ତୁ ମୋତେ ପର୍ବତଶିଖରୁ ତଳକୁ ଫିଙ୍ଗିଦେଇଥିବା କଥା ମନେପଡୁଛି? ଏବେ ମୋତେ ଦେଖ, ଭଲକରି ଚିହ୍ନ । ତୋ ଭଳି ରାକ୍ଷସୀ ପୃଥିବୀରେ ରହିବା ପାପ, ତୋତେ ମୃତ୍ୟୁ ଦଣ୍ଡ ମଧ୍ୟ ଯଥେଷ୍ଟ ନୁହେଁ ।”
ତାପରେ ନିଜର ମନ୍ତ୍ରୀ ଓ କର୍ମଚାରୀମାନଙ୍କୁ ବୋଧିସତ୍ୱ କହିଲେ, “ମୁଁ ରାଜ୍ୟକୁ ଆସିଲା ଦିନ ତୁମମାନଙ୍କୁ ସମସ୍ତ ଘଟଣା କହିଥିଲି । ମୋର ଛଅଭାଇ ନିଜ ନିଜର ସ୍ତ୍ରୀକୁ ବଧ କରାଇ ପ୍ରାଣରକ୍ଷା କରିଥିଲେ, କିନ୍ତୁ ମୁଁ ଏହାର ଜୀବନ ରକ୍ଷା କରି ଗଙ୍ଗା କୂଳରେ ଏକ କୁଡିଆରେ ରହିଥିଲି । ଏକ ପଙ୍ଗୁକୁ ନଦୀରୁ ଉଦ୍ଧାର କରି ଆରୋଗ୍ୟ କରିଥିଲି । ଏବେ ସେ ହୋଇଛି ତା’ର ଉପପତି । ଯେଉଁ ସ୍ତ୍ରୀ ମୋତେ ମାରିବାପାଇଁ ପର୍ବତରୁ ଠେଲିଦେଇଥିଲା, ଏ ସେହି ସ୍ତ୍ରୀ ।”
ସ୍ତ୍ରୀଟିର ବାକ୍ୟ ସ୍ଫୁରିଲା ନାହିଁ । ମନ୍ତ୍ରୀମାନେ ଘୋର ନିନ୍ଦାକରି କହିଲେ, “ଏ ଦୁଇଜଣଙ୍କର ପ୍ରାଣଦଣ୍ଡ ଯଥାର୍ଥ ହେବ ।”
ପରମକାରୁଣିକ ବୋଧିସତ୍ୱ କ୍ରୋଧକୁ ଦମନ କରି କହିଲେ, “ଏ ଦୁହିଁଙ୍କର ପ୍ରାଣଦଣ୍ଡ ଉପଯୁକ୍ତ ହେଲେହେଁ ସେମାନଙ୍କ ଜୀବନ ନେବାରେ ଲାଭନାହିଁ । ସେ ଦୁହିଁଙ୍କୁ ରାଜ୍ୟରୁ ନିର୍ବାସନ କରାଯାଉ ।”
ତାହାହିଁ କରାଗଲା । ଲୋକେ ବୋଧିସତ୍ୱଙ୍କ ଦୟାକୁ ପ୍ରଶଂସା କଲେ ।