ସେଦିନ ରାତିରେ ଚୋରଟି ରାଜନଅରରୁ ଚୋରି କରିବ ବୋଲି ଠିକ୍ କଲା । ଯେତେବେଳେ ରାଜନଅର ଫାଟକ ପାଖରେ ପହଁଚିଲା, ପ୍ରହରୀ ପାଟି କରି କହିଲା, “ଏ ରାତି ଅଧରେ ତୁମେ କି’ଏ? ଏଠାରେ କାହିଁକି?”
ଚୋର ତ ସତକଥା କହିବ । ତେଣୁ ସେ କହିଲା, “ମୁଁ ଜଣେ ଚୋର । ଚୋରି କରିବା ପାଇଁ ଭିତରକୁ ଯିବି ।”
ପ୍ରହରୀ ମନରେ ଭାବିଲା, ଏ ନିଶ୍ଚୟ ରାଜାଙ୍କ ଲୋକ, ନହେଲେ କ’ଣ ଏତେ ଦମ୍ଭରେ ଏଭଳି କହିପାରନ୍ତା? ବୋଧହୁଏ ଏକଥା ପଚାରି ଦେବାରୁ ସେ ରାଗରେ ଏଭଳି କହୁଛନ୍ତି । ନହେଲେ ପ୍ରକୃତ ଚୋର କ’ଣ ନିଜକୁ ଚୋର ବୋଲି କହନ୍ତା?
ଏବେ ପ୍ରହରୀ କହିଲା, “ଭାଇ, ତୁମେ ଅଯଥାରେ ରାଗୁଛ କାହିଁକି? ଏବେ ନିର୍ବିଘ୍ନରେ ଭିତରକୁ ଯାଇପାର ।”
ଚୋରଟି ଏବେ ଭିତରେ ପଶିଗଲା । ଅତି ସହଜରେ ରାଜ ନଅର ଭିତରୁ ଧନରତ୍ନ ଗଣ୍ଠିଲିରେ ବାନ୍ଧି ମୁଣ୍ଡରେ ମୁଣ୍ଡେଇ ନେଇ ଫେରିଲା । ଏଥର ଫେରିବା ବାଟରେ ଆଉ ଜଣେ ପ୍ରହରୀ ପଚାରିଲା, “ହେ ଭାଇ, କ’ଣ ଏସବୁ ଲୁଚେଇ ରାତିଟାରେ ନେଇ ଯାଉଛ?”
ଏବେ ଚୋରଟି ଅତି ନିର୍ଭୟରେ କହିଲା, “ଆଉ କ’ଣ ନେଇଥାନ୍ତି? ରାଜ ନଅରରୁ ତ ଧନରତ୍ନ ଚୋରି କରିନେଉଛି?”
ପ୍ରହରୀ ମନରେ ଭାବିଲା, ମୋର କ’ଣ ଲୋକ ଚିହ୍ନିବାରେ ଭୁଲ୍ ରହିଗଲା କି? ବୋଧହୁଏ ଏ ଜଣେ ରାଜନଅର ଲୋକ । ଏହାକୁ ଲୁଚେଇ ନେବା କଥା କହିବାରୁ ବୋଧହୁଏ ରାଗିଯାଇ ଏଭଳି କହୁଛି । ତେଣୁ ସେ କହିଲା, “ଯାଅ ଭାଇ, ରାଗନାହିଁ ।”
ଶେଷରେ ଚୋରଟି ନିର୍ବିଘ୍ନରେ ରାଜନଅର ବାହାରକୁ ଚାଲି ଆସିଲା । ସେ ମନେ ମନେ ଭାବିଲା, ସତରେ ସାଧୁବାବାଙ୍କ କଥା ମାନି ସତକଥା କହିଥିବାରୁ, ଚୋରିକାର୍ଯ୍ୟ ମୁଁ ନିର୍ବିଘ୍ନରେ କରିପାରିଲି । ସୁତରାଂ ସବୁବେଳେ ସତ କାହିଁକି ନ କହିବି?
ସେହିଦିନଠାରୁ ଚୋରର ଆଚରଣ ବଦଳିଗଲା । ତହିଁ ପରଦିନ ରାଜ ଉଆସକୁ ଯାଇ ଚୋରି କରି ଆଣିଥିବା ଧନରତ୍ନ ରାଜାଙ୍କୁ ଫେରାଇ ଦେଇ ସବୁ ସତ କଥା କହିଦେଲା । ଫଳରେ ରାଜା ଖୁସି ହୋଇ ତାକୁ ଅନେକ ଧନରତ୍ନ ପୁରସ୍କାର ଦେଲେ । ଚୋରର ଏଭଳି ଆଚରଣ ବଦଳିଯିବା ସେହି ଦେଶରେ ଏକ ଦୃଷ୍ଟାନ୍ତ ହୋଇ ରହିଗଲା । ଫଳରେ ଦେଶର ସବୁଚୋର କ୍ରମେ କ୍ରମେ ବଦଳି ଯାଇ ସାଧୁ ପାଲଟିଗଲେ ।