ଥରେ ଚାରିଜଣ ବ୍ୟବସାୟୀ ବନ୍ଧୁ ବାଗଦାଦ୍ ସହରରେ ଯାଇ ପହଁଚିଲେ । ସେମାନେ ଗୋଟିଏ ପାନ୍ଥନିବାସରେ ତାଙ୍କର ଜିନିଷପତ୍ର ସବୁ ରଖି, ସ୍ନାନାଦି ଶେଷ କରି ବଜାରକୁ ଗଲେ । ସୁଯୋଗ ଦେଖି ଗୋଟିଏ ଚୋର ସେମାନଙ୍କ ଘରେ ପଶି ସେମାନଙ୍କର ଶୁଖୁଥିବା ଲୁଗା ସବୁ ନେଇ ଚାଲିଗଲା ।
ଲୁଗାସବୁ ନେଇ ସେ ହାଟକୁ ବିକିବାକୁ ଗଲା । ହେଲେ ପୁରୁଣା ଲୁଗା ବୋଲି ସେଗୁଡିକୁ କେହି ବି କିଣିଲେ ନାହିଁ । ତଥାପି ବି ବିକିବା ଆଶାରେ ସେଠାରେ ସେ ବସି ରହିଥାଏ । ଏଇ ସମୟରେ ମାଙ୍କଡଟିଏ ତା’ ସାମନାରେ ନାନା ଭଙ୍ଗୀ କରି ନାଚିବାକୁ ଲାଗିଲା । ସେ ଖୁସି ହୋଇ ଏସବୁ ଦେଖୁଥାଏ । ଏଇ ସୁଯୋଗରେ ସେ ମାଙ୍କଡର ମାଲିକ ତା’ର ଲୁଗା ଗଣ୍ଠିଲିଟି ଧରି ସେଠାରୁ ପଳେଇଲା । ସେଇଟା ଥିଲା ତାର ଚୋରୀ କରିବାର ଏକ କୌଶଳ ।
ପାନ୍ଥନିବାସରୁ ଚୋରି କରିଥିବା ଚୋର ତାହାଠାରୁ ବଡ ଚୋର ହାବୁଡରେ ପଡି ସବୁ ହରାଇଲା ସିନା, କିନ୍ତୁ ସେକଥା ସେ ହାଟର ଜଗୁଆଳିମାନଙ୍କୁ କିଛି ମଧ୍ୟ କହିପାରିଲା ନାହିଁ । କହିଲେ ହୁଏତ ସେମାନେ ଜେରା କରିବେ ଏବଂ ଲୁଗାତକ ସେ କେଉଁଠାରୁ ପାଇଲା, ତା’ର କୌଣସି କୈଫିୟତ୍ ଇଏ ଦେଇ ପାରିବ ନାହିଁ । ଏହି ଆଶଙ୍କାରେ ସେ ବଡ ଦୁଃଖରେ ମନ ମାରି ଚୁପ୍ ରହିଲା ।
ପରଦିନ ପ୍ରଥମ ଚୋର ବଜାରରେ ବୁଲୁ ବୁଲୁ ଦେଖିଲା ଜଣେ ଲୁଗାର ପେଡିଟିଏ ଧରି ବସିଛି ଓ ଖାଲି ଚିତ୍କାର କରି କହୁଛି, “ଭାଇମାନେ, ମୋ ଦୋକାନ ଭାଙ୍ଗିଗଲା, ବଳକା ଲୁଗା ସବୁ ଶସ୍ତାରେ ନେଇ ଯାଆନ୍ତୁ । ଏଗୁଡିକ ବହୁତ ଶସ୍ତା ।”
ପୂର୍ବଦିନ ଚୋରି ଲୁଗାତକ ହରାଇଥିବା ଯୋଗୁଁ ପ୍ରଥମ ଚୋର ବଡ ମନସ୍ତାପରେ ଥାଏ । ଶସ୍ତାରେ କିଛି କିଣି ଅଧିକ ଦାମ୍ରେ ବିକି ସେସବୁଥିରୁ ଯଥା ସମ୍ଭବ ଲାଭ କରିବା ଆଶାରେ ସେ ଲୁଗା ବିକାଳି ପାଖକୁ ଯାଇ ଦେଖିଲା ସେ ବାସ୍ତବିକ ବହୁତ ଶସ୍ତାରେ ଜିନିଷତକ ବିକି ଦେଇ ସେଠାରୁ ଚାଲିଯିବାକୁ ତତ୍ପର ହେଉଛି ।
ଏତେ ଶସ୍ତା ଦେଖି ସେ ପ୍ରଥମ ଚୋର କୌଣସି ବିଚାର ନ କରି କିଣି ନେଲା । ଲୁଗା ବିକିବା ମାତ୍ରେ ଦ୍ୱିତୀୟ ଚୋର ସେଠାରୁ ସେହିକ୍ଷଣି ପଳାଇ ଗଲା । ପ୍ରଥମ ଚୋର ମନ ଖୁସିରେ ଲୁଗାଗଣ୍ଠିଲି ଫିଟାଇ ଦେଖେ ତ ପୂର୍ବୋକ୍ତ ଲୁଗାଗୁଡିକହିଁ ସେଥିରେ ଅଛି । ଏବେ ସେ ବିଚାରା କ’ଣ ବା କରେ? କହିବ ବା କାହାକୁ? ରାଗରେ ଖାଲି ସେ ଯାହା ଛଟପଟ ହେଲା । ମନ ଥଣ୍ଡା ହୋଇଯିବା ପରେ ସେ ଭାବିଲା, “ଆହା କେତେ କଷ୍ଟ କରି ଲୁଚି ଲୁଚି ମୁଁ ଏତେକ ଲୁଗା ଚୋରୀ କରିଥିଲି । ଚୋରୀ କଲାବେଳେ ମୋ ମନରେ କେତେ ଭୟ ତଥା ଉଦ୍ବେଗ ଥିଲା । ସେସବୁ ସିନା ଧୂଳିରେ ମିଶିଲା! ସେଇ ଲୁଗାକୁ ପୁଣି ଟଙ୍କା ଦେଇ ମୁଁ କିଣିଲି । ପ୍ରତ୍ୟେକ ମଣିଷର କର୍ମଫଳ ଥାଏ । ବିଚାରା ବିଦେଶୀ ଭଦ୍ରଲୋକଙ୍କୁ ଠକି ଏଇ ଫଳ ଆଜି ମୋତେ ମିଳିଲା । ଛିଃ, ଏଇ ଲୁଗା ନେଇ ମୁଁ ବଡ ହଇରାଣରେ ପଡିଲିଣି । ଜାଣିନି ମୋତେ ଆହୁରି କେତେ କଷ୍ଟ ଭୋଗ କରିବାକୁ ଅଛି । ବରଂ ମୁଁ ଚୁପ୍ଚାପ୍ ଯାଇ ସେମାନଙ୍କୁ ତାଙ୍କ ଲୁଗାପଟାଗୁଡିକ ଦେଇଦିଏ । ତଦ୍ୱାରା ମୋ ପାପର କିଛିଟା ପ୍ରାୟଶ୍ଚିତ ତ ହେବ ।”
ତା’ପରେ ସେ ଚୋର ଲୁଗାଗୁଡିକୁ ଗଣ୍ଠିଲି କରି ବାନ୍ଧି ସେଇଠାରେ ଯାଇ ପହଁଚିଲା । ଭାଗ୍ୟକୁ ସେମାନେ ପିଣ୍ଡାରେ ସବୁ ଶୋଇ ଯାଇଛନ୍ତି । ଅତି ସନ୍ତର୍ପଣରେ ଚୋର ସେଠାକୁ ଯାଇ ଲୁଗା ଗଣ୍ଠିଲିଟି ସେମାନଙ୍କ ପାଖରେ ରଖିଦେଇ ଶୀଘ୍ର ଶୀଘ୍ର ସେ ସ୍ଥାନ ଛାଡି ପଳାଇଗଲା ଓ ଶାନ୍ତିର ନିଶ୍ୱାସ ମାରିଲା ।
ଚାରିବନ୍ଧୁ ଯେତେବେଳେ ସେମାନଙ୍କ ଲୁଗାତକ ଫେରି ପାଇଲେ, ସେମାନଙ୍କ ବିସ୍ମୟର ଆଉ କୌଣସି ସୀମା ରହିଲା ନାହିଁ ।