ସାଧୁବାବାଙ୍କ କଥା ଚୋର ମନକୁ ଆଦୌ ପାଇଲା ନାହିଁ । ସେ ଭାବିଲା ଚୋରି ବିଦ୍ୟା ସହିତ ମିଥ୍ୟାର କି ସମ୍ପର୍କ ଅଛି? ମୁଁ ଚୋରିବିଦ୍ୟା କିପରି ଛାଡିବି କହିଲା ବେଳେ ସାଧୁ କହୁଛନ୍ତି ମିଛ କହିବା ଛାଡିଦିଅ । ଏହା କି ପ୍ରକାର ଉପଦେଶ?”
ଚୋର ଘରକୁ ଆସି ସାଧୁବାବାଙ୍କ ଉପଦେଶ ଉପରେ ଏହିଭଳି ତା’ର ମତାମତ ତା’ର ସ୍ତ୍ରୀ ଆଗରେ ବାଢିଲା, ହେଲେ ସ୍ତ୍ରୀ କହିଲା, “ସାଧୁମହାତ୍ମା ଏତେ ବଡଲୋକ । ସେ କଥା କଥାକେ ଲୋକଙ୍କୁ ହିତବାଣୀ ଶୁଣାଇ ଭଲବାଟକୁ ଆଣୁଛନ୍ତି । ସୁତରାଂ ତାଙ୍କର କଥା ହିଁ ମାନିବାକୁ ହେବ । ସେ ଯାହା କହିଛନ୍ତି ଅନ୍ତତଃ ମାସଟିଏ ସେଇଆ କର । କ’ଣ ହେଉଛି ଦେଖ?”
ସ୍ତ୍ରୀର କଥା ଅନୁସାରେ ସାଧୁବାବାଙ୍କ ଉପଦେଶ ମାନି ଚୋରଟି ସେଇଆ କଲା । ସେ ଆଦୌ ମିଛ କହିଲା ନାହିଁ । ହେଲେ ଚୋରି ବିଦ୍ୟା ଛାଡି ନ ଥାଏ ।
ଦିନକର କଥା ଚୋରଟି କେତେକ ସୁନା ଗହଣା ଚୋରି କରି ଆଣିଲା । ତାକୁ ବିକ୍ରି କରିବ ବୋଲି ବଜାରରେ ପହଂଚିଲା । ଦୋକାନୀ ଯେତେବେଳେ ତାକୁ ପଚାରିଲା? “ଭାଇ, ଏ ଗହଣା କେଉଁଠୁ ଚୋରି କରି ଆଣିଛ?”
ଚୋରଟି କହିଲା, “ରାଜ ଉଆସରୁ ।”
ଏବେ ଦୋକାନୀ ଧରାପଡିଯିବା ଭୟରେ ରାଜାଙ୍କ ପାଖକୁ ଚୋରକୁ ନେଇ ସବୁକଥା ରାଜାଙ୍କ ଆଗରେ କହିଦେଲା ।
ରାଜା ନିଜେ ଚୋରକୁ ପଚାରି ସବୁ କଥା ଜାଣିଗଲେ ଓ ଜଣେ ଚୋର ଏଭଳି ସତକଥା କହୁଥିବାରୁ ସେ ବିସ୍ମିତ ହୋଇଗଲେ । ରାଜା ଅଳଙ୍କାର ତ ପାଇଗଲେ; ଆଉ ତାଙ୍କ ରାଜ୍ୟର ଜଣେ ଚୋର ଏଭଳି ସତକଥା କହୁଥିବାରୁ ତାକୁ ପୁରସ୍କାର ବି ଦେଲେ ।
ତା’ପରେ ସେହି ଚୋରଟି ଅନ୍ୟଠାରୁ ବି ଚୋରିକଲା ଓ ପରଦିନ ସତକଥା କହିବାକୁ ଯାଇ ଜିନିଷକୁ ଫେରାଇ ଦେଉଥିଲା । ଆଉ ପୂର୍ବରାତିରେ କରିଥିବା ଚୋରି କାର୍ଯ୍ୟ ପାଇଁ ଭୁଲ୍ ବି ମାଗୁଥିଲା ।