ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚୋରୀ

                ଦାମ ସେସବୁ କଥା ନ ଭାବି ଦୁଇଟି ଛୋଟ ରୁଟି ଓ କିଛି ତରକାରୀ ନେଇ ଖାଇବାକୁ ଯାଉଛି, କିଏ ଜଣେ ତାକୁ ଦେଖିଦେଇ, “ଚୋର, ଚୋର” ବୋଲି ଚିତ୍କାର କଲା । ଭୟରେ ତା’ର ହାତ ଥରିଲା ଓ ରୁଟି ତା’ହାତରୁ ଖସି ପଡିଲା । କେତେକ ଲୋକ ଆସି ତାକୁ ଧରିନେଇ ମାଲିକଙ୍କ ପାଖକୁ ଗଲେ ।

                ସେମାନେ ଘରମାଲିକଙ୍କୁ କହିଲେ, “ରାତିରେ ଚୋରକୁ ଧରାଯାଏ । କିନ୍ତୁ ଦିନରେ ଚୋର ଧରିବା ଭାରି କଷ୍ଟ । ଯାହାହେଉ ବହୁତ କଷ୍ଟକରି ଆମେ ଏ ଚୋରକୁ ଧରିଛୁ । ବିଭିନ୍ନ ପ୍ରକାର ଉପାୟ କରି ତାକୁ ଆମେ ଧରିଲୁ । ବିବାହ ଉତ୍ସବରେ ନାନା ପ୍ରକାରର ଚୋର ଥା’ନ୍ତି । କିନ୍ତୁ ଲାଗୁଛି ଇଏ ତ ମହାଚୋର ।” ଏହିପରି ନାନା ପ୍ରକାରର କଡା କଡା କଥା ସେମାନେ କହିଲେ ।

                ଘରର ମାଲିକ ସବୁକିଛି ବୁଝିପାରିଲେ ଓ ଅଳ୍ପ ହସି କହିଲେ, “ବେଶି କହିବା ଦରକାର ନାହିଁ । ଏହାକୁ ବିବାହ ଉତ୍ସବର ଚୋର କହିଲେ ଯଥେଷ୍ଟ ହେବ । ବିବାହ ସମୟରେ ଏପରି ଚୋର ବହୁତ ଥା’ନ୍ତି । ସମସ୍ତେ କାର୍ଯ୍ୟ ବ୍ୟସ୍ତ ଥା’ନ୍ତି । ଜାଣିବା କଷ୍ଟ ଯେ କିଏ ଅତିଥି ଓ କିଏ ଚୋର । ସୁବିଧା ପାଇ ଚୋରୀ କରନ୍ତି । ଏପରି ଚୋରକୁ ଦଣ୍ଡ ଦେବା ଉଚିତ୍ ।”

                ମାଲିକ ମଧ୍ୟ ଦାମକୁ ଚୋର କହିବାରୁ ଦାମକୁ ବଡ ଖରାପ ଲାଗିଲା । ସେ କହିଲା, “ମହାଶୟ, ମୁଁ ଚୋର ନୁହେଁ । ମୋର ସ୍ତ୍ରୀ ଓ ଚାରିଟି ପିଲା । ଯଥେଷ୍ଟ ରୋଜଗାର ନାହିଁ । ଭୋକରେ ପେଟ ଜଳୁଛି; ମାତ୍ର ମୁଁ ଜଣେ ଦରିଦ୍ର ଲୋକ । ଆଜି ପର୍ଯ୍ୟନ୍ତ କ୍ଷୁଧା ମୋ ଉପରେ ବିଜୟ ଲାଭ କରି ପାରିନଥିଲା । ହେଲେ ଆଜି ଆଉ ମୁଁ ପାରିଲି ନାହିଁ । ସେହି କ୍ଷୁଧା ମୋତେ ଆଜି ଏଠାକୁ ନେଇ ଆସିଲା । ପ୍ରକୃତ ଚୋର ତ କ୍ଷୁଧା, ମୁଁ ନୁହେଁ ।”

                ମାଲିକ ବ୍ୟଙ୍ଗ ସ୍ୱରରେ କହିଲେ, “ଚୋର ହିଁ ଚୋର ହୋଇଥାଏ; ତୁମେ ବା ତୁମର କ୍ଷୁଧା । ଚୋରୀର ଅପରାଧ ଯୋଗୁଁ ତୁମକୁ ଦଣ୍ଡ ମିଳିବା ଉଚିତ୍ ।”

                ସେ ତାଙ୍କ ଚାକରକୁ ଆଦେଶ ଦେଲେ କି ଚୋରକୁ ତାଙ୍କ କକ୍ଷକୁ ନେଇ ଆସିବା ପାଇଁ । ସେଠାରେ ମାଲିକ ତାକୁ ବସିବାକୁ କହିଲେ ଓ ଚାକରମାନଙ୍କୁ ବରାଦ କଲେ ନାନା ପ୍ରକାରର ଖାଦ୍ୟ ତା’ପାଇଁ ଆଣିବାକୁ । ଏସବୁ ଦେଖି ଦାମ ବହୁତ ଆଶ୍ଚର୍ଯ୍ୟ ହେଉଥାଏ । ମନେ ମନେ ଭାବିଲା – “ଏ କ’ଣ? ତାକୁ ତ ଦଣ୍ଡ ଦେବାକୁ ଏଠାକୁ ଆଣିଥିଲେ ।” ଖାଦ୍ୟସବୁ ଆସିଲା ଓ ମାଲିକଙ୍କ ଆଦେଶରେ ଦାମ ସବୁ ଖାଇଲା; ସେ ଖାଉଥାଏ ଓ କାନ୍ଦୁଥାଏ । ଶେଷକୁ ମାଲିକ ତାକୁ ପଚାରିଲେ; “ମୁଁ ତୁମକୁ କାହିଁକି ଖୁଆଇଲି ଜାଣ?”

                ଦାମ ମୁଣ୍ଡ ହଲାଇ ନାହିଁ କଲା । ମାଲିକ କହିଲେ, “ତମେ ତ ଜାଣ ଅନ୍ନ ବ୍ରହ୍ମ ସ୍ୱରୂପ । ମଣିଷ ଜୀବନରେ ଏପରି ଅବସ୍ଥା ହେବା ଉଚିତ୍ ନୁହେଁ ଯେତେବେଳେ ସେ ଚୋରୀକରି ଖାଇବ । ଏବେ କୁହ ଚୋରୀ କରିବାର ପ୍ରକୃତ କାରଣ କ’ଣ?”

ଦାମ ତା’ର ପୁରା ଜୀବନକାହାଣୀ ମାଲିକଙ୍କୁ କହିଲା, ତା’ର ଧନୀ ବାପା କିପରି ଧନ ସବୁ ନଷ୍ଟ କଲେ, କରଜ ବଢିଗଲା ଇତ୍ୟାଦି । ଶେଷକୁ ସେ କହିଲା, “ମୋର ନିଜ ଦାରିଦ୍ର୍ୟ ସକାଶେ କିଛି ହେଲେ ବି ଦୁଃଖ ନାହିଁ । ମୁଁ ମୋ ବାପାଙ୍କୁ ମଧ୍ୟ ଏଥିଲାଗି ନିନ୍ଦା କରୁନାହିଁ । ମୋର କେବଳ ମୋ ସ୍ତ୍ରୀ ଓ ଛୁଆପିଲାଙ୍କ ପାଇଁ ଚିନ୍ତା । ସେମାନଙ୍କୁ ସନ୍ତୁଷ୍ଟ ରଖିବା ମୋର ପ୍ରଧାନ କର୍ତ୍ତବ୍ୟ । ଚୋରୀ କରିବା ଅପରାଧ, ଏହା ମୁଁ ଜାଣେ । ତଥାପି ମୁଁ ସେଥିପାଇଁ ନାଚାର ।”

ମାଲିକ ଗମ୍ଭୀର ଭାବରେ କହିଲେ, “ବ୍ୟବସାୟରେ ସଦାବେଳେ ଲାଭ ହୁଏ ନାହିଁ, କ୍ଷତି ବି ହୁଏ । ଏବେ ମୁଁ ବୁଝୁଛି ପରିସ୍ଥିତିରେ ପଡି ତୁମେ ଚୋର ହେବାକୁ ବାଧ୍ୟ ହୋଇଛ । ତା’ଦ୍ୱାରା ତୁମ ପିଲାମାନେ ମଧ୍ୟ ଚୋର ହେବାର ସମ୍ଭାବନା ଅଛି । ତୁମେ ତୁମ ପରିବାର ପାଇଁ ମଧ୍ୟ ଖାଦ୍ୟ ନେଇ ଯାଅ । ମୁଁ ସ୍ଥିର କରିଛି ତୁମକୁ ଚାକିରୀ ଦେବି ।”

ଦାମ ମାଲିକଙ୍କୁ ପ୍ରଣାମ କରି କହିଲା, “ମୁଁ ସାରାଜୀବନ ଆପଣଙ୍କ ପାଖରେ କୃତଜ୍ଞ ରହିଥିବି । ଆପଣଙ୍କ ଦୟାରୁ ମୁଁ ପେଟ ଭରି ଖାଇଲି । କିନ୍ତୁ ଆପଣ ମୋତେ ଏହା ପଚାରିଲେ ନାହିଁ ଯେ ବିବାହ ଉତ୍ସବର ଏହି ଖାଦ୍ୟ ସ୍ୱାଦିଷ୍ଟ ହୋଇଛି ନା ନାହିଁ?”

ମାଲିକ କହିଲେ, “ହଁ, ହଁ ସତକଥା, ପଚାରିବାକୁ ଭୁଲିଗଲି; ଖାଦ୍ୟ କିପରି?”

ଦାମ କହିଲା “ଖାଦ୍ୟ ତ ବହୁତ ଭଲ ହୋଇଛି । ବିଶେଷତଃ ସୁନାର କ୍ଷୀରିଟା ବେଶି ସୁଆଦିଆ ହୋଇଛି ।”

ମାଲିକ ପଚାରିଲେ “ସୁନାର କ୍ଷୀରି କ’ଣ? ପରିଷ୍କାର ଭାବରେ କୁହ ଏହାର ଅର୍ଥ କ’ଣ?”

ଦାମ ଯାହା ସବୁ ନିଜ ଆଖିରେ ଦେଖିଥିଲା ସେ ସବୁକିଛି କହିଗଲା । ରୋଷେଇଆକୁ ଡାକି କ୍ଷୀରି ହାଣ୍ଡି ଅଣ୍ଡାଳି, ସୁନାହାର ପାଇବାରୁ ମାଲିକ ଖୁସି ହୋଇଗଲେ । ତାହା କନ୍ୟାର ହାରଥିଲା । ସେହି ସ୍ତ୍ରୀଲୋକଟିକୁ ଧମକାଇବାରୁ ସବୁକଥା ସେ ଆପେ ଆପେ ମାନିଗଲା । ଏହି ଘଟଣା ଯୋଗୁଁ ମାଲିକର ହୃଦୟରେ ଦାମ ପ୍ରତି ଅଧିକ ସ୍ନେହ ସହାନୁଭୂତି ଜାତ ହେଲା । ସେ ତାକୁ କହିଲେ, “ବିବାହ ଉତ୍ସବ ଚାଲିଥିବା ଯାଏ ପ୍ରତିଦିନ ଆସି କାମ କରିବ ଓ ଆବଶ୍ୟକ ପଇସା ନେବ । ପରେ ସବୁଦିନପାଇଁ ଆମ ଘରେ ଆସି କାମ କରିବ । ସାରାଦିନ ପାଇଁ କେବଳ କାମ କରିବ ନାହିଁ; ଏ ଘରେ ତୁମେ ପିଲାଛୁଆଙ୍କୁ ନେଇ ରହିବ ।” ଏକଥା ଶୁଣି ଦାମ ଆଖିରୁ ଝର ଝର ହୋଇ ଲୁହ ଝରି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ