ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚୋର ଅତିଥି

ଶଙ୍କରପୁରର ବିଠଲ ସହିତ ପଡୋଶୀ ଗ୍ରାମର ସାବିତ୍ରୀର ବିବାହ ସମ୍ପନ୍ନ ହେଲା । ସାବିତ୍ରୀର ବାପ, ମା, ଜେଜେବାପା, ଜେଜେମା, ଦାଦା, ଖୁଡୀ ସମସ୍ତେ ଏକାଠି ରହୁଥିଲେ । ସାବିତ୍ରୀ ସେହି ବିରାଟ ପରିବାରରେ ଗୋଟିଏ ବୋଲି ଝିଅ । ତେଣୁ ଅତି ଗେହ୍ଲାରେ ସେ ବଢିଥାଏ । ତା’ ମା’ ତାକୁ ପିଲାଟିଦିନରୁ ପେଟ ଭରି ଖୁଆଏ । ସେହି ଅଭ୍ୟାସ ତା’ର ଥାଏ ।

                ବିବାହ ପୂର୍ବରୁ ବିଠଲ ନିଜେ ଖାଦ୍ୟ ତିଆରି କରୁଥାଏ; କାରଣ ତା’ ଘରେ ତା’ର ନିଜର ବୋଲି ଆଉ କେହି ବି ନଥାଏ । ସାବିତ୍ରୀ ତା’ ଘରକୁ ବୋହୁ ହୋଇ ଆସିବା ପରେ ବିଠଲ, ତାକୁ ରୋଷେଇ ଘର ଦେଖାଇ କହିଲା, “ଦେଖ, ଏଇ ଗିନାରେ ଗିନାଏ ଚାଉଳ ହେଲେ ମୋ ପେଟ ଭରେ । ତେଶୁ ଏଣିକି ତମେ ଦୁଇଗିନା ଚାଉଳ ରାନ୍ଧିବ ।” ସାବିତ୍ରୀ ତା’ସ୍ୱାମୀର ସବୁ କଥା ଶୁଣି ଚୁପ୍ ରହିଲା । ଭାବିଲା, “ଏଥିରେ ତ ମୋର ପେଟ କସ୍ମିନ୍ କାଳେ ବି ଭରିବ ନାହିଁ । ଯଦି ସେ କିଛି କୁହେ ହୁଏତ ତା’ ସ୍ୱାମୀ ରାଗିବେ, ହୁଏତ ସେ କଞ୍ଜୁସ୍ ହୋଇଥିବେ । ତେଣୁ ମୋର ଯାହା କିଛି କରିବାର କଥା ମୁଁ ତାହା ଗୋପନରେ କରିବି ।”

                ସପ୍ତାହକ ପରେ । ଅଧା ପେଟ ପୁରା ହୋଇଥିବା ଯୋଗୁଁ ତାକୁ ଆଉ ନିଦ ମଧ୍ୟ ଠିକ୍ସେ ହେଉ ନାହିଁ । ଅଷ୍ଟମ ଦିନ ସେ ଦେଖିଲା ଯେତେବେଳେ ବିଠଲ ଗାଢ ନିଦରେ ଶୋଇଛି, ଠିକ୍ ସେତେବେଳେ ସେ ଚୁପ୍ ଚାପ୍ ରୋଷେଇ ଘରକୁ ଯାଇ କ୍ଷିରୀ ତିଆରି କରି ପେଟ ଭରି ତାକୁ ଖାଇଲା । ସେହି ଦିନଠାରୁ ପ୍ରତିଦିନ ରାତିରେ ସେ ରୋଷେଇ ଘରେ ପଶି କିଛି ଖାଦ୍ୟ ବନାଇ ଖାଇନିଏ ।

                ଦିନେ ରାତିରେ ସେ କ୍ଷିରୀ ବନାଇ କଦଳୀ ପତ୍ରରେ ତାକୁ ଢାଳି ଥଣ୍ଡା କଲା । ଅଳ୍ପ ସମୟ ପାଇଁ ଅନ୍ୟ ଘରକୁ ଯାଇ ସେଠାରୁ ଫେରି ଆସି ସେ ଦେଖେ ତ ଜଣେ ଅଚିହ୍ନା ଲୋକ ସେଠାରେ ଆସି ଠିଆ ହୋଇଛି । ଏସବୁ ଦେଖି ସେ ସାବିତ୍ରୀ ହଠାତ୍ ଚିତ୍କାର କରିବାକୁ ଯାଉଥିଲା, ମାତ୍ର ସେ ଲୋକଟି କହିଲା, “ମୋଟେ ଚିତ୍କାର କରନାହିଁ । କଲେ ତୁମ ଗଳା ମୁଁ ଚିପି ଦେବି । ମୁଁ ଜଣେ ଭୟଙ୍କର ଚୋର । କେଉଁଠି କ’ଣ ଅଛି ଶୀଘ୍ର ମୋତେ ତାହା ଦେଇ ଦିଅ ।”

                ଏମାନଙ୍କ କଥାବାର୍ତ୍ତା ଯୋଗୁଁ ବିଠଲର ନିଦ ଭାଙ୍ଗିଲା । ସେ ଶୋଇବା ଘରେ ଥାଇ ପଚାରିଲା, “ସାବିତ୍ରୀ, କଥା କ’ଣ? ଏ ସମୟରେ ତୁମେ ପୁଣି କାହା ସହିତ କଥା ହେଉଛ? କ’ଣ ଅନ୍ୟ କେହି କଥା କହିବାର ଶୁଭୁଛି ।”

                ସାବିତ୍ରୀ ଭାବିଲା ଯେ ତା’ର ଲୁଚିକରି ଖାଇବାଟା ତ ଏଥର ନିଶ୍ଚୟ ଧରା ପଡିବ । ତେଣୁ ଚୋରକୁ ଧୀରେ ଧୀରେ ସାବିତ୍ରୀ କହିଲା, “ବୋଧେ ମୋ ସ୍ୱାମୀ ଏଠାକୁ ଆସୁଛନ୍ତି, ସେ ତୁମକୁ ଚୋର ବୋଲି ଜାଣିଲେ ସିଧା ମାରିପକାଇବେ । ତେଣୁ ତୁମେ ଚଟାପଟ ଏହି କ୍ଷିରୀ ପତ୍ର ପାଖରେ ବସିଯାଅ ଆଉ ଏହାକୁ ଖାଅ ।”

                ତା’ପରେ ସେ ଚୋର ଜଣକ କିଂକର୍ତ୍ତବ୍ୟବିମୁଢ ହୋଇ ଚଟାପଟ ବସିପଡି ସେତକ କ୍ଷିରୀ ଖାଇବାକୁ ଆରମ୍ଭ କଲା । ବିଠଲ ଘର ଭିତରକୁ ଆସିବା ମାତ୍ରେ, ସାବିତ୍ରୀ ତାଙ୍କୁ କହିଲା, “ଇଏ ହେଲେ ମୋର ନିକଟ ସମ୍ପର୍କରେ ଜଣେ ଭାଇ । କୌଣସି ଏକ କାମ ପାଇଁ ସେ ସହର ଯାଉଥିଲା, ଏଠାରେ ସେ ଅଟକି ଗଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ