ଏକଦା ଗୋସ୍ୱାମୀ ତୁଳସୀ ଦାସ ରାତିରେ କୌଣସି ଏକ ସ୍ଥାନରୁ ଫେରୁଥିଲେ । ସେ ଏକୁଟିଆ ଆସୁଥିବା ବେଳେ ବାଟରେ ଜଣେ ଚୋରକୁ ଭେଟିଲେ । ଅନ୍ଧାର ରାତିରେ ଚୋରଟି ତୁଳସୀ ଦାସଙ୍କୁ ଦେଖି ପଚାରିଲା କିଏ ତୁମେ? ତୁଳସୀ ଦାସ ଉତ୍ତର ଦେଲେ, ଭାଇ ତୁମରି ପରି ମଣିଷଟିଏ । ଚୋରଟି ନିଜ ବୁଦ୍ଧିରେ ବିଚାର କଲା ଇଏ ମୋ ଭଳି ଗୋଟାଏ ଚୋର ନିଶ୍ଚୟ । ସେ ଖୁସି ହୋଇ କହିଲା – “ହଁ ବୁଝିଗଲି, ତୁମେ ବୋଧେ ଏ କାମରେ ନୂଆ । ଏବେ ମୋତେ ଟିକିଏ ସାହାଯ୍ୟ କର ।”
ଚୋରଟି ଜଣେ ଧନୀ ଲୋକର ଘରେ ସିନ୍ଧି କରି ଚୋରି କରିବାକୁ ଯାଉଥିଲା । ତୁଳସୀ ଦାସଙ୍କୁ ତା’ର ସମଧର୍ମୀ ବୋଲି ଭାବି କହିଲା – “ତୁମେ ଏଠାରେ ଜଗି ଥାଅ । ମୁଁ ବର୍ତ୍ତମାନ ଘର ଭିତରେ ପଶୁଛି । ଟିକେ ସାବଧାନରେ ଥିବ, ଯଦି କେହି ଆସେ ମୋତେ ସତର୍କ କରାଇଦେବ ।”
ଚୋରଟି ସିନ୍ଧିକରି ଘର ଭିତରେ ପଶିବାର ଅଳ୍ପକ୍ଷଣ ମଧ୍ୟରେ ତୁଳସୀ ଦାସ ନିଜ ଝୁଲାମଣିରୁ ଶଙ୍ଖଟିଏ ବାହାର କରି ଫୁଙ୍କିବାକୁ ଲାଗିଲେ । ଶଙ୍ଖଶବ୍ଦ ଶୁଣି ଘର ଭିତରେ ପଶି ଚୋରି କରୁଥିବା ଚୋରଟି ଡରିଗଲା । ସେ କ୍ଷଣେ ମାତ୍ର ଡେରି ନକରି ଶୀଘ୍ର ବାହାରକୁ ବାହାରି ଆସିଲା ।
ସେ ବାହାରକୁ ବାହାରି ଆସି ଦେଖିଲା ତୁଳସୀ ଦାସଙ୍କ ହାତରେ ଶଙ୍ଖ, ସେଠାରେ ତାଙ୍କ ବ୍ୟତୀତ ଅନ୍ୟ କେହି ନାହାଁନ୍ତି । ଚୋରଟି ତୁଳସୀ ଦାସଙ୍କ ହାତରୁ ଶଙ୍ଖଟି ଛଡାଇ ନେଇ ରାଗିଯାଇ କହିଲା କେହି ନଥିବାବେଳେ ତୁମେ ଶଙ୍ଖ ବଜାଇଲ କାହିଁକି?