ତୁଳସୀ ଦାସ ନମ୍ର ଭାବରେ କହିଲେ – “ମୋତେ ତ କହିଯାଇଥିଲ ଯଦି କାହାକୁ ଦେଖିବ ତା’ହେଲେ ମୋତେ ସତର୍କ କରାଇଦେବ । ମୁଁ ମୋର ଚାରିପାଖରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ଦେଖିଲି । ମୁଁ ମନେ ମନେ ଭାବିଲି ପ୍ରଭୁ କାଳେ ଜାଣିନେବେ ଯେ ମୋର ନିଜ ସାଥୀ ଚୋରି କରୁଛି । ଚୋରି କରିବା ତ ମହା ପାପ, ତେଣୁ ସେ ନିଶ୍ଚିତ ଭାବରେ ଦଣ୍ଡ ଦେବେ । ଏହି କାରଣରୁ ଆପଣା ଲୋକକୁ ସାବଧାନ କରାଇ ଦେବା ପାଇଁ ମୁଁ ଉଚିତ୍ ମଣିଲି, ତେଣୁ ଶଙ୍ଖ ବଜାଇଲି ।
ଚୋରଟି କହିଲା – “ପ୍ରଭୁ ରାମଚନ୍ଦ୍ରଙ୍କୁ ତୁମେ କେଉଁଠି ଦେଖିଲ?” ତୁଳସୀ ଦାସ କହିଲେ – “ଭଗବାନ୍ କେଉଁଠି ନାହାଁନ୍ତି? ସେ ତ ସର୍ବଜ୍ଞ, ସର୍ବ ଦର୍ଶୀ, ଅନ୍ତର୍ଯ୍ୟାମୀ । ସେ ତ ସବୁଠାରେ ଥାଆନ୍ତି । ମୁଁ ଦେଖି ପାରୁଛି ପ୍ରଭୁ ଏ ସଂସାରର ସବୁସ୍ଥାନରେ ବିରାଜମାନ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଦେଖିଲି କେମିତି କହିବି?”
ଚୋରଟି ତୁଳସୀ ଦାସଙ୍କ ମୁହଁରୁ ଏକଥା ଶୁଣି ସେ ବୁଝିଗଲାଯେ ସେ ଯାହାଙ୍କୁ ନିଜ ସାଥୀ ଚୋର ବୋଲି ମନେକରୁଥିଲା ସେ ଚୋର ନୁହଁନ୍ତି, ଜଣେ ସାଧୁ ପୁରୁଷ, ମହାତ୍ମା । ସନ୍ଥ ତୁଳସୀ ଦାସଙ୍କ ଦୟାରୁ ହଠାତ୍ ଚୋରର କଳୁଷିତ ହୃଦୟରେ ସନ୍ଥଙ୍କ ପ୍ରତି ଶ୍ରଦ୍ଧାଭାବ ଜାଗ୍ରତ ହେଲା । ଚୋରଟି ତାଙ୍କ ପାଦତଳେ ପଡିଯାଇ କହିଲା – “ହେ ମହାତ୍ମା ! ଆପଣ ମୋତେ ସଦ୍ବୁଦ୍ଧି ଦେଲେ । ମୁଁ ଆପଣଙ୍କ ପାଦଛୁଇଁ ଶପଥ କରୁଛି ଆଜିଠାରୁ ଏ ଚୋରି ଭଳି ଘୃଣ୍ୟ କାର୍ଯ୍ୟ କରିବି ନାହିଁ ।” ଚୋରଟି ଚୋରିବୁଦ୍ଧି ଛାଡି ସନ୍ଥ ତୁଳସୀ ଦାସଙ୍କର ଶିଷ୍ୟ ହୋଇ ରହିଲା ।