ମାତ୍ର ବିଧିର ବିଧାନ ଅନ୍ୟ ପ୍ରକାରର ଥିଲା । ସବୁଦିନ ତ ଆଉ ଚୋର ଘରେ ଅନ୍ଧାର ନଥାଏ । ଫେରିବା ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା । ଚାହୁଁ ଚାହୁଁ ସେ ସୁଡଙ୍ଗରେ ବି ବର୍ଷାପାଣି ଭରିଗଲା । ତାପରେ ସେମାନେ ଆଉ ସେ ସୁଡଙ୍ଗ ବାଟ ଦେଇ ବାହାରକୁ ମୋଟେ ଯାଇପାରିଲେ ନାହିଁ । ତିନି ଚୋର ଧରାପଡିଗଲେ । ରାଜା ବି ସେମାନଙ୍କୁ ଚୋରି ଅପରାଧରେ ଅନ୍ଧାର କୋଠରୀରେ ସାରା ଜୀବନ ପାଇଁ ବନ୍ଦୀ କରି ରଖିବାର ଆଦେଶ ଦେଲେ ।
ଏପରି ଅନେକ ଦିନ ବିତିଗଲା । ସେତେବେଳେ ତୁର୍କସ୍ଥାନର ସୁଲତାନ ଫାୱାଇ ଶାହା ବିଶ୍ୱ ବିଜୟୀ ହେବେ ବୋଲି ସବୁ ଦେଶ ବିରୋଧରେ ଯୁଦ୍ଧ କରୁଥାଆନ୍ତି । ତାଙ୍କ ସମ୍ମୁଖରେ ଯୁଦ୍ଧ କରିବା ଅର୍ଥାତ୍ ମୃତ୍ୟୁକୁ ଡାକିବା । ଏଭଳି ସମ୍ବାଦ ପାଇ ସେ ପୁରୁଷୋତମପୁରର ରାଜାଙ୍କର ଭାଳେଣି ପଡିଗଲା । ତାଙ୍କ ରାଜ୍ୟ ସୁଲତାନ୍ ଫାୱାଇ ଶାହାଙ୍କ କବଜାକୁ ଚାଲିଯିବ । ସୁଲତାନ ତାଙ୍କର ମୁଣ୍ଡକାଟି ନେବେ । ତାଙ୍କ ସୈନ୍ୟବାହିନୀର ସମ୍ମୁଖ ହେବା ପାଇଁ ସେତେବେଳେ ରାଜାଙ୍କର ଆଦୌ ସାମର୍ଥ୍ୟ ନଥିଲା ।
ଏହିପରି ଭାବି ଭାବି ସେ ରାଜା ଦିନକୁ ଦିନ ପ୍ରମାଦ ଗଣିଲେ । ତାପରେ ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡିଲେ । ସେ ଘୋଷଣା କଲେ ଯେଉଁ ବ୍ୟକ୍ତି ତାଙ୍କୁ ଏ ବିପଦରେ ସାହାଯ୍ୟ କରିବ ଓ ତାଙ୍କ ଜୀବନ ବଂଚାଇଦେବ ସେ ସୁଲତାନ ଦଖଲ କରିଥିବା ରାଜ୍ୟରୁ ଅଧେ ତାଙ୍କୁ ଦେଇଦେବେ ।
ଏ କଥା ଶୁଣି ସେ ତିନି ଚୋର କେବଳ ହସିବାକୁ ଲାଗିଲେ । କାରାଗାରରକ୍ଷୀ ସେମାନେ ଏଭଳି କାହିଁକି ହସୁଛନ୍ତି ବୋଲି ପଚାରିଲେ । ତହୁଁ ସେମାନେ କେବଳ ରାଜାଙ୍କୁ ଏକଥା କହିବେ ବୋଲି ଜଣାଇ ଦେଲେ । ତାପରେ ସେମାନେ କହିଲେ – ରାଜାଙ୍କର ଏ ସଙ୍କଟକୁ କେବଳ ସେମାନେ ହିଁ ଦୂର କରିପାରିବେ ।