ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଛାଗଳର ଦୃଷ୍ଟାନ୍ତ

ବଡ ନାତି ଜମିଜମା ଦାୟିତ୍ୱ ଜଣେ ଗ୍ରାମବାସୀଙ୍କୁ ଦେଇ ଦେଇଥାଏ । ସେ ଯେତେ ସମ୍ଭବ ନିଜେ ନେଇଯାଏ ଓ ଅଳ୍ପ କିଛି ମାଲିକକୁ ଦିଏ । ମଝି ନାତି ଜଣେ ଗୁମାସ୍ତା ରଖି ତାଦ୍ୱାରା ଟଙ୍କା କାରବାର ଚାଲୁ ରଖିଥାଏ । ସାନ ନାତି ଦୋକାନରେ ଜଣେ କର୍ମଚାରୀ ନିଯୁକ୍ତ କରିଥାଏ । ତେଣୁ ସବୁଥିରୁ ଆୟ କମି କମି ଆସୁଥାଏ । ମାତ୍ର ସେଥିପାଇଁ ନାତିମାନେ ଚିନ୍ତା କରନ୍ତୁ ବା ନ କରନ୍ତୁ, ହେଲେ ସେମାନେ କାର୍ଯ୍ୟରେ କିଛି ବି କରୁ ନଥାନ୍ତି ।

ବିଶ୍ୱନାଥ ସବୁ ଦେଖୁଥାନ୍ତି, କିନ୍ତୁ କିଛି ବି କହୁ ନଥାନ୍ତି । କାରଣ କେତେଦିନ ଧରି ସେ ଆଉ କହିବେ? ଯେ କୌଣସି ଦିନ ତ ପୁଣି ତାଙ୍କୁ ମୃତ୍ୟୁ ଡାକି ନେଇଯିବ । ତା’ପରେ? ନାତିମାନେ ଯାହା ଇଚ୍ଛା ତାହା କରୁଥାନ୍ତି! ଏପରି ଭାବି ସେ ନିଜ ବଗିଚାକୁ ନେଇ ଖୁସି ରହିବାର ଚେଷ୍ଟା କଲେ ।

ତେବେ ସେହି ବଗିଚା ପ୍ରତି ଗୋଟାଏ ବିପଦ ଦେଖାଦେଲା । ତାଙ୍କ ପଡୋଶୀ ସୁବୁଦ୍ଧି ଗୋଟାଏ ଦୁଧ ବେପାର ଆରମ୍ଭ କଲା । ସେ ଗାଈ ଓ ଛେଳି ରଖିଥାଏ । ବିଶ୍ୱନାଥଙ୍କ ବାଡ ଅତିକ୍ରମ କରି ତା’ ଗାଈମାନେ ପଶି ପାରନ୍ତି ନାହିଁ, କିନ୍ତୁ ଛେଳିମାନେ ପଶି ଆସି ଫଳଫୁଲ ନଷ୍ଟ କରିବାକୁ ଆରମ୍ଭ କଲେ ।

ବିଶ୍ୱନାଥ ପ୍ରଥମେ ବାଡ ଶକ୍ତ କଲେ । ସେଥିରେ ତିନି ଚାରିଦିନ ଗଛଲତା ନିରାପଦ ରହିଲା । ମାତ୍ର ତା’ପରେ ଛେଳିମାନେ ପୁଣି ତାଙ୍କ ଶିଙ୍ଘ ଦ୍ୱାରା ବାଡ ଆଡେଇ ନହେଲେ ତାଟି ଆଡେଇ ଭିତରକୁ ପଶିଲେ ।

ତାଟିକୁ ସେମାନେ ଯେପରି କୌଶଳରେ, ଗଭୀର ଧୈର୍ଯ୍ୟ ସହ ଆଡେଇ ଆଡେଇ ଆସୁଥାନ୍ତି, ସେଥିରେ ବିଶ୍ୱନାଥ ବେଶ୍ ଆମୋଦିତ ଓ ବିସ୍ମିତ ଅନୁଭବ କରୁଥାନ୍ତି । ସେ ଅନେକ ସମୟରେ ସେମାନଙ୍କୁ ନିରୀକ୍ଷଣ କରୁଥାନ୍ତି ।

ବିଶ୍ୱନାଥ ସୁବୁଦ୍ଧିଙ୍କୁ ଡାକି କହିଲେ, “ତମ ଛେଳିଗୁଡାଙ୍କୁ ଆକଟରେ ରଖ । ମୋ ଗଛଲତା ଉପରେ ବଡ ଉପଦ୍ରବ କରୁଛନ୍ତି ।”

ସୁବୁଦ୍ଧି ନମ୍ର ଭାବରେ କହିଲା, “ଆଜ୍ଞା; ଛେଳିଗୁଡାଙ୍କ କଥା ଆଉ କହନ୍ତୁ ନାହିଁ । ଆପଣଙ୍କର ତିନିତିନିଟା ଭେଣ୍ଡିଆ ନାତି ଯେଉଁ ସ୍ଥଳେ ସେମାନଙ୍କୁ ଦୂରେଇ ରଖିପାରୁ ନାହାଁନ୍ତି, ମୁଁ ଏକୁଟିଆ ବା କେଉଁ ଛାର!”

ଏକଥା ଶୁଣି ବିଶ୍ୱନାଥ ଆଉ କିଛି ବି କହିଲେ ନାହିଁ । ବାସ୍ତବିକ, ତାଙ୍କ ତିନି ନାତିଯାକ ଯଦି ଏପରି ଅଳସୁଆ ଓ ଦାୟିତ୍ୱହୀନ ହୋଇ ନଥାନ୍ତେ, ତେବେ କ’ଣ ଛେଳି କେବେ ତାଙ୍କ ଅନିଷ୍ଟ କରି ପାରନ୍ତା? ସୁବୁଦ୍ଧି ତ ଯେତେଯାହା ହେଲେବି ମେହେନତ୍ କରୁଛି । ଆଉ ସେ ଯେ ଇଚ୍ଛାକରି ତାଙ୍କ ବଗିଚା ଭିତରକୁ ଛେଳି ପୂରାଇ ଦେଉଛି, ତାହା ବି ନୁହେଁ । ତେଣୁ ତାକୁ ଦୋଷ ଦେଇ ଲାଭ ବା କ’ଣ ହେବ?

ବିଶ୍ୱନାଥ ଏହାପରେ ନିଜ ବାଡକୁ ଆହୁରି ଦୃଢ କଲେ । ତେଣିକି ଛେଳିମାନେ ଫାଟକ ଦୈବାତ୍ ଖୋଲାଥିଲେ ପଶିଲେ, ନହେଲେ ଫାଟକ ଉପର ଦେଇ ଲମ୍ଫ ଦେଇ ପଶିଲେ । ବିଶ୍ୱନାଥ ପୁଣି ଗୋଟାଏ ବୁଦ୍ଧି କଲେ । ସେ ଫାଟକ ପାଖରେ ଗୋଟିଏ ଗାଢ ଖୋଳିଲେ । ଗାଢ ଉପରେ ଲୁହା ପାଇପ୍ ପକାଇଲେ । ସେ ଲୁହା ପାଇପ୍ ଉପର ଦେଇ କେବଳ ମଣିଷ ହିଁ ଯିବେ, କିନ୍ତୁ ତା’ର ଗୋଲେଇ ଉପରେ ଛେଳି ଗୋଡ ରଖିଲେ ନିଶ୍ଚୟ ସେ ଖସିଯିବ ।

ଛେଳିମାନେ ଆଉ ଫାଟକ ଡେଇଁବାକୁ ସାହସ କଲେ ନାହିଁ । ଫାଟକ ବି ପ୍ରାୟ ସବୁବେଳେ ବନ୍ଦ ରହୁଥାଏ ।

ଦିନେ ବିଶ୍ୱନାଥ ଦେଖିଲେ, ଗୋଟାଏ ଛେଳି ଫାଟକ ଉପର ଦେଇ ଲମ୍ଫ ଦେଲା । କିନ୍ତୁ ଦୈବାତ୍ ସେ ଆସି ଲୁହାପାଇପ୍ ସବୁ ଉପରେ ପଡିଲା । ଫଳରେ ତହିଁରେ ତା’ଗୋଡ ଲଟକି ଗଲା । ଏଣୁ ସେ ରଡି ଛାଡିଲା । ବିଶ୍ୱନାଥ ଯାଇ ତାକୁ ଉଠାଇ ଫାଟକ ବାହାରେ ଛାଡିଲେ । ପରଦିନ ଛେଳି ପୁଣି ସେଇ ଏକା କାମ କଲା ଓ ଲୁହା ପାଇପ୍ ସନ୍ଧିରେ ତା’ ଗୋଡ ଅଟକିଯିବାରୁ ରଡି ଛାଡିଲା । ବିଶ୍ୱନାଥ ପୁଣି ଯାଇ ତାକୁ ଉଦ୍ଧାର କରି ଆର ପାଖରେ ଛାଡିଲେ । କିନ୍ତୁ ତୃତୀୟ ଦିନ ଛେଳି ଲମ୍ଫ ଦେଇ ସେ ଗାଢ ଅତିକ୍ରମ କରି ଖାଲି ମାଟିରେ ଆସି ଠିଆ ହେଲା ଓ ଆରାମ୍ରେ ଯାଇ ଗଛଲତା ଖାଇବାକୁ ଆରମ୍ଭ କଲା ।

ବିଶ୍ୱନାଥ ଠିଆ ହୋଇ ରହି ସେ ଦୃଶ୍ୟକୁ ଲକ୍ଷ୍ୟ କରିବାକୁ ଲାଗିଲେ । ସେ ଖାଇ ଚାଲିଲା ।

ଠିକ୍ ସେତିକିବେଳେ ତିନି ନାତି ତାସ୍ ଖେଳ ଶେଷ କରି ସେଠି ପହଁଚି ସେମାନେ ବି ସେ ଦୃଶ୍ୟ ଦେଖିଲେ । ତା’ପରେ ସେମାନେ କହିଲେ “ଜେଜେବାପା, ଇଏ କ’ଣ? ଛେଳି ସବୁ ଖାଇ ଯାଉଛି, ହେଲେ ତମେ ତାକୁ କିଛି ବି କହୁନାହଁ?”

ତହୁଁ ବିଶ୍ୱନାଥ କହିଲେ, “ଏ ଛେଳି ତିନିଦିନ ଧରି ଅଧ୍ୟବସାୟ କରି ଆଜି ଡେଇଁବାରେ ସଫଳ ହୋଇଛି । ତେଣୁ ମୁଁ ଏହାର ପରିଶ୍ରମ ପ୍ରତି ସମ୍ମାନ ଦେଖାଇବା କଥା, ଓଲଟି ତାକୁ ମୁଁ ତଡିବି କାହିଁକି? ଜୀବନରେ ଅଳସୁଆଙ୍କ ଭରଣ ପୋଷଣ କରି ଯେତିକି ପାପ ମୁଁ କରିଛି, ଏ ଛେଳି ପ୍ରତି ସମ୍ମାନ ଦେଖାଇ ସେ ପାପର ମୁଁ କିଂଚିତ୍ ପ୍ରାୟଶ୍ଚିତ କରୁଛି । ସବୁ ସମ୍ପତ୍ତି ମୁଁ ପରିଶ୍ରମ କରି ଉପାର୍ଜନ କରିଛି । ଯିଏ ପରିଶ୍ରମ କରିବ, ମୋ ସମ୍ପତ୍ତି ଉପରେ କେବଳ ତାହାରି ହିଁ ଅଧିକାର । ଆଜି ଛେଳିକୁ ପାଇଲି । ଅନ୍ୟ ଯୋଗ୍ୟ ଉତ୍ତରାଧିକାରୀ ବି ପାଇବି!”

ଜେଜେଙ୍କଠାରୁ ଏଭଳି କଟୁ ମନ୍ତବ୍ୟ ଶୁଣି ତାଙ୍କ ତିନି ନାତି ଲଜ୍ଜାରେ ମୁଣ୍ଡ ତଳକୁ କରି ଚାଲିଗଲେ । ସେମାନଙ୍କର ଏଥର ହେତୁ ହେଲା । ଜେଜେବାପା ସେମାନଙ୍କୁ ତାଙ୍କ ସମ୍ପତ୍ତିରୁ ବଂଚିତ କରିବା କିଛିବି ଅସମ୍ଭବ ନୁହେଁ । ଏଣିକି ସେମାନେ ପରିଶ୍ରମ କରି ନିଜ ନିଜ କାମ ସମ୍ଭାଳିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ