ରାମଚନ୍ଦ୍ର ସ୍ନାନ କରିବା ପାଇଁ ଯାଇ ସ୍ନାନାଗାରରେ ପଶିଲେ । ଏହାପରେ ଭିତରୁ ଛିଟିକିଣି ଲଗାଇ ଦେଇ ବହୁତ ଆରାମରେ ସେ ସ୍ନାନ କଲେ । ତା’ପରେ ସେ ବାହାରକୁ ଆସିବାକୁ ଚାହିଁବାରୁ ଛିଟିକିଣି ତ ଆଉ ଖୋଲୁ ନାହିଁ । ବହୁତ ଚେଷ୍ଟା କରି କିଛି ବି ଫଳ ହେଲା ନାହିଁ । ଭାଗ୍ୟକୁ ସେହି ସ୍ନାନାଗାରର କଣରେ ହାତୁଡିଟିଏ ପଡିଥିଲା । ସେଥିରେ ବାଡେଇ ବାଡେଇ ଛିଟିକିଣି କୌଣସି ମତେ ଖୋଲିଲା ।
ବାହାରକୁ ଆସି ସେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଡାକି କହିଲେ, “ଆମ ସ୍ନାନାଗାରର ଛିଟିକିଣି ଅଟକି ଯାଉଛି । ତେଣୁ ଛିଟିକିଣି କେହି ବି ଭିତରୁ ଲଗାଇବ ନାହିଁ ।”
ଅଭ୍ୟାସକୁ ବଦଳାଇବା ତ ମହା କଷ୍ଟ । ଏକଦା ତାଙ୍କ ବଡପୁଅ ଭୁଲ୍ରେ ଭିତରକୁ ଯାଇ ଛିଟିକିଣି ଲଗାଇ ଦେଲା । ଖୋଲିବା ପାଇଁ ତାକୁ ଅଧଘଂଟା ଲାଗିଲା । ବିଚାରା ସ୍ନାନ କରିବା ପରେ ମଧ୍ୟ ସେ ଝାଳନାଳ ହୋଇ ତା’ ଭିତରୁ ବାହାରିଲା । ସେହି ଦିନଠାରୁ ସେ ପରିବାରର ସମସ୍ତେ ଛିଟିକିଣି ବିଷୟରେ ସାବଧାନ ହୋଇଗଲେ ।
ଦିନେ ଗଗନ ନାମକ ଜଣେ ବନ୍ଧୁ ଆସି ରାମଚନ୍ଦ୍ରଙ୍କ ଘରେ ପହଁଚିଲେ । ସେ ତ ଦେଖିବାକୁ ଅତି ପତଳା ଓ ଦୁର୍ବଳ ଥିଲେ । ଘରେ ପହଁଚିବା ମାତ୍ରେ ସେ କହିଲେ, “ଓଃ ବାହାରେ ଖୁବ୍ ଖରା ହୋଇଛି । ଏତେ ଗରମ ପବନ ବହୁଛି ଯେ ମୋ ଦେହ ସାରା ତାତି ଫୁଟିଲାଣି । ତେଣୁ ପ୍ରଥମେ ଟିକିଏ ସ୍ନାନ କଲେ ଯାଇ ଶ୍ରମ ଦୂର ହେବ ।” ଏହା କହି ସେ ଚଟାପଟ୍ ସ୍ନାନାଗାରରେ ଯାଇ ପ୍ରବେଶ କଲେ । ଭିତରୁ ଛିଟିକିଣି ଦେବାର ଶବ୍ଦ ଶୁଣାଗଲା ।
ସେ ଶବ୍ଦ ଶୁଣି ରାମଚନ୍ଦ୍ରଙ୍କ ମୁଣ୍ଡ ହଠାତ୍ ଘୂରିଗଲା । “ଏବେ ଭଦ୍ରଲୋକ ବାହାରିବେ କିପରି? କିଛି କହିବା ପୂର୍ବରୁ ତ ସ୍ନାନ କରିବାକୁ ସେ ସିଧା ସ୍ନାନାଗାରରେ ପଶିଗଲେ ଓ ଛିଟିକିଣି ଲଗାଇ ଦେଲେ । ଏଣେ ସେ ଏତେ ଦୁର୍ବଳ ଲୋକ ଯେ ଛିଟିକିଣି ହାତୁଡିରେ ବାଡେଇ ମଧ୍ୟ ସେ ଖୋଲି ପାରିବେ ନାହିଁ । ତେଣୁ କବାଟ ଭାଙ୍ଗିବାକୁ ପଡିବ । ଯାହାହେଉ ମୁଁ ଯାଇ ଥରେ ତାଙ୍କୁ ଏ ବିଷୟରେ ବାହାରୁ ଥାଇ କହିଦିଏ ।” ଏହିସବୁ କଥା ନିଜକୁ ନିଜେ କହି କହି ସେ ସ୍ନାନାଗାର ଆଡେ ଚାଲିଲେ । ଏକଥା ଶୁଣି ତାଙ୍କ ସ୍ତ୍ରୀ କହିଲେ, “ତାଙ୍କୁ ସ୍ନାନ କରିବାକୁ ଦିଅ । ପରେ ସେ ଖୋଲି ନ ପାରିଲେ ବଳେ ତ ତୁମକୁ ଡାକିବେ । ସେତେବେଳେ ପଛେ ଯାହା ହେବାର ହେବ । ଏବେଠୁଁ ତାଙ୍କୁ କାହିଁକି ଡରେଇଦେବ?”