ଗଗନବାବୁ ସ୍ନାନାଗାର ଭିତରେ ଆରାମ୍ରେ ସ୍ନାନ କରୁଥା’ନ୍ତି । ଆଉ ଏଣେ ବାହାରେ ସାରା ପରିବାର ତାଙ୍କର ମୁକ୍ତିପନ୍ଥା ଖୋଜିବାରେ ବ୍ୟସ୍ତ । କିପରି ସେ ବାହାରକୁ ଆସିବେ । ଏପରି ସମୟରେ କବାଟ ଟିକିଏ ଖଡ କରି ଶବ୍ଦ ହେଲା; ଗଗନବାବୁ ସ୍ନାନାଗାରରୁ ବିନା ବିପଦରେ ବାହାରି ଆସିଲେ ଓ କହିଲେ, “ଓଃ ଖରାରେ ଆସି ସ୍ନାନ କରିବାରୁ ଏବେ ଯାଇ ମୋର ପ୍ରାଣ ଶୀତଳ ହୋଇଗଲା ।”
ଏସବୁ ଦେଖି ରାମଚନ୍ଦ୍ରଙ୍କ ପରିବାରର ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନାଇ ରହିଥା’ନ୍ତି । ଗଗନବାବୁ କହିଲେ, “ଆରେ ଭାଇ, କଥା କ’ଣ? ସମସ୍ତେ ମୋତେ ଏପରି ଭାବରେ ଦେଖୁଛ ଯେ, ଯେପରି ମୁଁ ଏକ ଭୂତ!”
ଏହାପରେ ରାମଚନ୍ଦ୍ର ସଂକୋଚ କରି ଗଗନବାବୁଙ୍କୁ ପଚାରିଲେ “ସ୍ନାନାଗାରରେ ଆପଣଙ୍କର ଆଉ କୌଣସି ଅସୁବିଧା ହୋଇନାହିଁ ତ?”
ଏକଥା ଶୁଣି ଗଗନବାବୁ କହିଲେ, “ଆରେ ଲୋକ ଯାତ୍ରା କରିବାରେ ସୁବିଧା ଅସୁବିଧା ବିଷୟ ପଚାରନ୍ତି । ଆଉ ତୁମେ ସ୍ନାନାଗାରରେ ଅସୁବିଧା ବିଷୟ ପଚାରୁଛ । ଅସୁବିଧା କ’ଣ ହୋଇପାରେ?”
ଏକଥା ଶୁଣି ରାମଚନ୍ଦ୍ର ଭାବିଲେ ଛିଟିକିଣି ଆପେ ଆପେ ଠିକ୍ ହୋଇ ଯାଇଛି । ତେଣୁ ସେହିଦିନ ସଂଧ୍ୟାରେ ସେ ଗାଧୋଇବାକୁ ଯାଇ କବାଟରେ ଛିଟିକିଣି ଦେଇଦେଲେ । ଖୋଲିବାକୁ ଅଧଘଂଟାଏ ସମୟ ଲାଗିଲା ।
ଗଗନବାବୁ ସ୍ନାନାଗାର ନିକଟକୁ ଆସି ପଚାରିଲେ, “ଆରେ ରାମ, ଭିତରେ ହାତୁଡିରେ କ’ଣ କରୁଛ? ସ୍ନାନ ସମୟରେ ଏସବୁ କି କାମ ହେଉଛି ମୁଁ ଟିକେ ଶୁଣେ?”
ରାମଚନ୍ଦ୍ର ବଡ କଷ୍ଟରେ କବାଟ ଖୋଲି ବାହାରକୁ ଆସି କହିଲେ, “କବାଟରେ ଛିଟିକିଣି ଭଲକରି ଫିଟୁନାହିଁ । ତାକୁ ମରାମତି କରିବାକୁ ବଢେଇ ମଧ୍ୟ ଆମ ଗ୍ରାମରେ ନାହିଁ । ତେଣୁ କିଛିଦିନ ଧରି ଆମେସବୁ ଛିଟିକିଣି ନ ଦେଇ ସ୍ନାନ କରୁଥିଲୁ । ଏବେ ତମେ ଛିଟିକିଣି ଲଗାଉଛ ଖୋଲୁଛ ଦେଖି ମୁଁ ମଧ୍ୟ ଲଗାଇ ଦେଲି ଭାବିଲି ଆପେ ଆପେ ଠିକ୍ ହୋଇ ଯାଇଛି । କିନ୍ତୁ ତୁମପରି ପତଳା, ଦୁର୍ବଳିଆ ଲୋକ ଯେ କିପରି ଏତେ ସହଜରେ ଛିଟିକିଣି ଖୋଲି ପାରୁଛି ମୁଁ କାହିଁ କିଛିବି ବୁଝି ପାରୁନାହଁ ।”
“ଓହୋ ଏଇ କଥା?” ଏହା କହି ଗଗନବାବୁ ହସିବାକୁ ଆରମ୍ଭ କଲେ ।
ଏସବୁ ଦେଖି ରାମଚନ୍ଦ୍ର ବିବ୍ରତ ହୋଇ ତାଙ୍କୁ ପଚାରିଲେ “ତମେ ଏତେ ହସୁଛ କାହିଁକି? କାରଣ କ’ଣ କହିବ ତ?”
ନିଜର ହସକୁ ବନ୍ଦ କରି ଗଗନବାବୁ କହିଲେ, “ଭାଇ, ମୁଁ ତ ପତଳା ଦୂର୍ବଳିଆ ଲୋକ । ତେଣୁ ଆମ ଘରେ ତ ସମସ୍ତେ ମୋର ବଳ ବିଷୟରେ ହସି ଉଡାନ୍ତି । ସେଠାରେ ମଧ୍ୟ ଆମର ସ୍ନାନାଗାରର ଛିଟିକିଣି ଗୋଳମାଳ ହୋଇଯାଇଛି । ଅନ୍ୟମାନେ କଷ୍ଟକରି ଲଗାନ୍ତି ଓ ଖୋଲନ୍ତି । ମୋ ପାଇଁ ତ ତାହା ବଡ କଷ୍ଟ । ତେଣୁ ମୁଁ ଅନ୍ୟମାନଙ୍କ ହସଥଟ୍ଟାରୁ ନିଜକୁ ବଂଚାଇବାକୁ ଏକ ଉପାୟ ପାଂଚିଲି । ମୁଁ ସ୍ନାନାଗାରରେ ପ୍ରବେଶ କରିବା ବେଳେ ଓ ବାହାରିବା ବେଳେ ଛିଟିକିଣିକୁ ଟିକିଏ ଟିକିଏ ହଲାଇ ଦିଏ । ସେ ଶବ୍ଦ ଶୁଣି ଅନ୍ୟମାନେ ଭାବନ୍ତି ଛିଟିକିଣି ଦିଆଗଲା ଓ ଖୋଲାଗଲା । ପ୍ରକୃତରେ ମୁଁ ତ କବାଟ ଖୋଲା ରଖି ହିଁ ସ୍ନାନ କରେ । ଏଠାରେ ମୁଁ ମଧ୍ୟ ସେଇଆ ହିଁ କଲି ।” ଏତିକି କହି ସେ ପୁଣି ହସିବାକୁ ଲାଗିଲେ ।
ଏସବୁ କଥା ଶୁଣି ରାମଚନ୍ଦ୍ର ଓ ତାଙ୍କର ପରିବାରର ଲୋକେ ହସି ହସି ବେଦମ୍ ହୋଇଗଲେ ।