ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜଡ ଭରତ

ଏକଦା ଭରତ ନାମରେ ଜଣେ ରାଜା ଥିଲେ । ପରିଣତ ବୟସରେ ସେ ରାଜ୍ୟଭାର ପୁତ୍ରମାନଙ୍କୁ ଦେଇ ତପସ୍ୟା ନିମନ୍ତେ ବଣକୁ ଚାଲିଗଲେ ।

                ଦିନେ ସେ ନଈରେ ସ୍ନାନ କରୁଛନ୍ତି, ହଠାତ୍ ଦେଖିଲେ ଗୋଟିଏ ମା ହରିଣ ତା’ ଶାବକକୁ ଛାଡି ମରିଗଲା । ଏହାପରେ ଭରତ ସେ ଛୁଆ ହରିଣକୁ ନିଜ କୁଡିଆକୁ ନେଇଯାଇ ପାଳିଲେ । କ୍ରମେ ସେ ହରିଣ ଛୁଆ ତାଙ୍କୁ ଏମିତି ମାୟାଡୋରିରେ ବାନ୍ଧିଲା ଯେ ସେ ଆଉ ସବୁ କଥା ଭୁଲିଯାଇ କେବଳ ତାହାରି ଯତ୍ନ ନେବାରେହିଁ ସେ ମନ ଦେଲେ ।

                ମୃତ୍ୟୁ ସମୟକୁ ସେ ସେହି ହରିଣ କଥା ଭାବୁଥିବାରୁ ପର ଜନ୍ମରେ ସେ ହରିଣ ହୋଇ ଜନ୍ମ ନେଲେ । କିନ୍ତୁ ପୂର୍ବଜନ୍ମ କଥା ତାଙ୍କର ସେମିତି ମନେଥାଏ । ସେ ଅନୁତାପ କରୁଥାନ୍ତି । ହରିଣ ଜୀବନ ପରେ ସେ ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମ ନେଲେ । ଦୁଇ ପୂର୍ବଜନ୍ମ କଥା ସୁମରି ସେ ସର୍ବଦା ବିତସ୍ପୃହ ରହୁଥାନ୍ତି । ଲୋକେ ତାଙ୍କୁ ବୋକା ଭାବି ଜଡ ଭରତ ବୋଲି ଡାକୁଥାନ୍ତି । ସେ ଘର ଛାଡି ଏଣେ ତେଣେ ବୁଲୁଥିବା ବେଳେ ଦିନେ ରାଜକର୍ମଚାରୀମାନେ ତାଙ୍କୁ ଧରି ନେଇ ରାଜାଙ୍କ ସବାରୀ ବହିବା କାମରେ ଲଗାଇଲେ ।

                ସେ କାଳେ କୌଣସି ପ୍ରାଣୀକୁ ମାଡି ପକାଇବେ, ତେଣୁ ଅତି ସାବଧାନରେ ସେ ଚାଲୁଥାନ୍ତି । ଫଳରେ ସବାରୀର ଗତିରେ ବାଧା ପଡୁଥାଏ । ଏହି କାରଣରୁ ରାଜା ଥରେ ରାଗିଯାଇ ତାଙ୍କୁ ଗୋଇଠାଏ ପକାଇଲେ । ବାହକ କିନ୍ତୁ ଶାନ୍ତ କଣ୍ଠରେ ରାଜାଙ୍କୁ ଶାସ୍ତ୍ର ଉପଦେଶ ଦେବାକୁ ଲାଗିଲେ । ରାଜା ବିସ୍ମୟରେ ସବାରୀରୁ ଓହ୍ଲାଇ ତାଙ୍କୁ ପ୍ରଣାମ କଲେ । ରାଜା ତାଙ୍କୁ ବହୁ ଭାବରେ ସମ୍ମାନିତ କରିବାକୁ ଚାହୁଁଥିଲେ । କିନ୍ତୁ ସେ ମୋଟେ ଅପେକ୍ଷା ନକରି ବଣକୁ ଯାଇ ତପସ୍ୟା କରି ମୁକ୍ତି ଲାଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ