କୃଷକର ଏଭଳି କଥା ଶୁଣିବା ମାତ୍ରକେ ରାଜା ‘ହଁ’ ମାରିଲେ । ତାପରେ ରାଜା ସେ କୃଷକଟିର ଦୟନୀୟ ଅବସ୍ଥା ଦେଖି ତାକୁ କହିଲେ, “ଭାଈ! ତୁମେ ରାଜାଙ୍କ ନିକଟକୁ ଯାଇ ନିଜର ଦୁଃଖ କାହାଣୀ କହୁନ । ତାହେଲେ ଯାଇ ରାଜା ସିନା ନିଶ୍ଚୟ ତୁମ ପାଇଁ କିଛି ନା କିଛି ବ୍ୟବସ୍ଥା କରିବେ ।” ତହୁଁ ଛଦ୍ମବେଶୀ ରାଜାଙ୍କ କଥା ଶୁଣି ସେ କୃଷକଟି କହିଲା, “ଭାଇ! ରାଜାଙ୍କର ଯେଉଁ ଦରବାର ନା; ତା’ର ଚାରିଆଡେ ଖାଲି ସୈନ୍ୟ, ସାମନ୍ତ ଜଗି ରହିଥାଆନ୍ତି । ସେଠାକୁ ଆମପରି ସାଧାରଣ ଜନତା କ’ଣ କେବେ ଯାଇପାରିବେ?” ଏହିପରି ସେ କୃଷକର ସୁଖଦୁଃଖ କାହାଣୀ ସବୁ ଶୁଣିସାରି ରାଜା ଶୋଇବାକୁ ଗଲେ ।
ସକାଳୁ ସକାଳୁ ରାଜଧାନୀରେ ପହଁଚିବାପରେ ରାଜା ତାଙ୍କ ମନ୍ତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଡକାଇଲେ ଏବଂ କହିଲେ, “ମୋତେ ଖବର ମିଳିଛି, ଆମ ରାଜ୍ୟର ଗ୍ରାମମାନଙ୍କରେ ବସବାସ କରୁଥିବା କୃଷକମାନଙ୍କର ଅବସ୍ଥା ଆଦୌ ଭଲ ନାହିଁ । ତୁମ୍ଭେମାନେ ତ’ ଗ୍ରାମର ଉନ୍ନତି ବିଧାନ ନିମନ୍ତେ ଏ ରାଜକୋଷରୁ ପ୍ରଚୁର ଅର୍ଥ ନେଇ ସାରିଛ । ସେସବୁ ଅର୍ଥ ଗଲା କୁଆଡେ?
ମନ୍ତ୍ରୀ କହିଲେ, “ମହାରାଜ! ସମସ୍ତ ଅର୍ଥ ତ’ ଆମ୍ଭେମାନେ ଗ୍ରାମର ଉନ୍ନତି ନିମନ୍ତେ ହିଁ ଖର୍ଚ୍ଚ କରିସାରିଛୁ । ଆପଣ ବୋଧହୁଏ କାହାଠାରୁ କିଛି ମିଥ୍ୟା ଖବର ପାଇଛନ୍ତି ।”
ମନ୍ତ୍ରୀ ସେଠାରୁ ଯିବାପରେ ରାଜା ତେନାଲୀରାମାଙ୍କୁ ଡାକି ସମସ୍ତ ଘଟଣା ତାଙ୍କ ଆଗରେ ବର୍ଣ୍ଣନା କଲେ । ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ପ୍ରଜାମାନେ ସେମାନଙ୍କର ଦୁଃଖ ଜଣାଇବାକୁ ଆପଣଙ୍କ ଦରବାରକୁ କଦାପି ମଧ୍ୟ ଆସିବେ ନାହିଁ । କେବଳ ଆପଣଙ୍କୁ ହିଁ ସେମାନଙ୍କ ନିକଟକୁ ଯିବାକୁ ହେବ । ସେମାନଙ୍କ ସହିତ ଯେଉଁ ଅନ୍ୟାୟ କରାଯାଇଛି ତାହାର ସମାଧାନ ସେଇମାନଙ୍କ ସମ୍ମୁଖରେ ଆପଣଙ୍କୁ ହିଁ କରିବାକୁ ହେବ ।