ରାଜାଙ୍କର ଘରୋଇ ଶ୍ମଶାନ ପାଖରେ ମହାଦେବଙ୍କର ମନ୍ଦିରଟିଏ । ପାଖରେ ସୁନ୍ଦର ପୋଖରୀ, ତହିଁରେ କାଚକେନ୍ଦୁ ପରି ପାଣି । ଯିବା ଆସିବା ବାଟରେ କେତେ ଦୁଃଖୀ, ରଙ୍କି, ପଥିକ ସେହି ମନ୍ଦିର ବେଢାରେ ଆଶ୍ରୟ ନିଅନ୍ତି । ମନ୍ଦିରକୁ ଲାଗିଥିବା ପୋଖରୀରେ ଗାଧୋଇ ଥାଆନ୍ତି । ଦିନକର କଥା । ସେହି ସହରରେ ଜଣେ ଶ୍ରମିକ ଆସି ମନ୍ଦିର ବେଢାରେ କିଛି କ୍ଷଣ ଲାଗି ବିଶ୍ରାମ କଲା । ଠାକୁରଙ୍କୁ ପ୍ରଣାମ କଲାବେଳେ ଜଣାଣ କରୁଥାଏ, “ହେ ପ୍ରଭୁ ! ମୁଁ ଏବେ କଅଣ କରିବି? ମୋର ପରିବାର କିପରି ଚଳିବେ? ମୋର ମାଲିକ ତ ମୋତେ ଚାକିରୀରୁ ବରଖାସ୍ତ କରିଦେଲା । ମୋ’ ଠାରୁ ଆଉ କିଏ ଦୁଃଖୀ ଅଛି ଏ ସଂସାରରେ? ଆସନ୍ତା ଦିନଗୁଡିକ ମୋର କିପରି କଟିବ?”
ଏପଟେ ସଂନ୍ଧ୍ୟା ତ ମାଡି ଆସୁଥାଏ । ଶ୍ରମିକ ଜଣକ ତରତର ହେଲା ତା ଘରକୁ ଫେରି ଆସିବା ପାଇଁ । ମନ୍ଦିରରୁ ଆସିବା ବାଟରେ ଶେଷ ପାହାଚରେ ଜଣେ ଲୋକ ବସିଥିବାର ସେ ଦେଖିଲା । ସେ କହୁଥାଏ, “ବାବୁ, କିଛି ସାହାଯ୍ୟ କର । ଯେଉଁମାନଙ୍କୁ କେହି ଶ୍ରାଦ୍ଧ ଦେଉନାହାଁନ୍ତି, ସେମାନେ ଅମୋକ୍ଷ । ତୁମେ କିନ୍ତୁ ପଇସା ଦେଲେ ସେମାନଙ୍କୁ ନିଶ୍ଚୟ ଶ୍ରାଦ୍ଧ ଦିଆଯିବ ।”
ଶ୍ରମିକ ବିଚରା ଏପରି ଏକ କଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେଲା । ସେ ତା ମନେ ମନେ ବିଚାରିଲା, ତାହାଠାରୁ ମଧ୍ୟ ଦୁଃଖୀ ଲୋକ ଏ ସଂସାରରେ ଅଛନ୍ତି । ତାପରେ ସେ ଶ୍ରମିକ ଜଣକ ତା ପକେଟ୍ ଦରାଣ୍ଡିଲା ଦେଖିଲା ବେଳକୁ ଟଙ୍କାଟିଏ ମାତ୍ର ଅଛି ତା ପାଖରେ । କିଛି ଆଗକୁ ପଛକୁ ନ ଭାବି ଟଙ୍କାଟି କାଢି ସେହି ଲୋକଟି ହାତରେ ଧରାଇଦେଲା ଶ୍ରମିକ ଜଣକ ।
ଏହାପରେ ସେ ଶ୍ରମିକ ଜଣକ ବାହାରି ପଡିଲା ରାସ୍ତା ଉପରକୁ । ଆନମନା ହୋଇ ସେ ଚାଲିଥାଏ । ବେଳେବେଳେ ନିଜର ଅଭାବ ଓ ଦୁଃଖରେ ଘାରି ହେଉଥାଏ ସେ । ସେ ତା’ ଆଗରେ ଜଣେ ଭଦ୍ରଲୋକ ଠିଆ ହୋଇଥିବାର ଦେଖିଲା । ସେ ଭଦ୍ରଲୋକ ଜଣକ ଅତ୍ୟନ୍ତ ମୂଲ୍ୟବାନ ପୋଷାକ ପିନ୍ଧିଥିଲେ । ସେ ଭଦ୍ରବ୍ୟକ୍ତି ଜଣକ ଜଣେ ଧନୀଲୋକ ପରି ଜଣାପଡୁଥିଲେ ।
ତାପରେ ସେ ଶ୍ରମିକ କାହାରିକୁ ନଜର ନ କରି ଆଗକୁ ପାଦ ପକାଇଲା । ଠିକ୍ ଏତିକିବେଳେ ସେ ଭଦ୍ରଲୋକ ଜଣକ ଶ୍ରମିକକୁ କିଛି କହିବାକୁ ଯାଉଥିଲେ । ଶ୍ରମିକ ବିଚାରିଲା, ମୋ ପରି ଦରିଦ୍ର ଲୋକ ପାଖରେ କାହାର କ’ଣ କିଛି କାମ ଥାଇପାରେ । କିଛି ନ ଶୁଣି ସେ ଆଗକୁ ତା ପାଦ ବଢାଇଲା ।
ଏଥର ସେ ଭଦ୍ରବ୍ୟକ୍ତି ଜୋର ଦେଇ ଡାକ ପକାଇଲେ । ଶ୍ରମିକ ପଛକୁ ଚାହିଁ ଟିକେ ଅଟକି ରହିଲା । ବାସ୍ତବିକ ସେ ଭଦ୍ରବ୍ୟକ୍ତି ତାରି ପାଇଁ ହିଁ କ’ଣ କହିବାକୁ ଚାହୁଁଥିଲେ । ସେ ଭଦ୍ରଲୋକ ଶ୍ରମିକଙ୍କ ପାଖକୁ ଆସି କହିଲେ, “ତୁମେ ମୋର ଏତେ ଉପକାର କରିଛ । ବର୍ତ୍ତମାନ ପୁଣି ତମେ କିଛି କଥା ନ କହି ଚାଲିଯାଉଛ?”
ଏକଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେଲା ସେ ଶ୍ରମିକ ଜଣକ । ସେ ତ ଭାରି ଅଭାବୀ ଲୋକ । ତା’ ହାତରେ ବା କାହା ପାଇଁ କ’ଣ ଉପକାର ହୋଇପାରିବ?