ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜମିଦାର ରାଜା

ଭଦ୍ରଲୋକ ଜଣକ ସେହିକ୍ଷଣି ଟିକିଏ ମୁରୁକି ହସି କହିଲେ – “ହଉ ହେଲା । ତମେ ମୋ ପାଇଁ ଗୋଟିଏ କାମ କରିଦେଲେ ମୁଁ ଉପକୃତ ହେବି ।”

ତହୁଁ ସେ ଶ୍ରମିକ ଜଣକ କହିଲା – “କହନ୍ତୁ, ଯଦି ମୋ’ ଦ୍ୱାରା କିଛି କାର୍ଯ୍ୟ ହୋଇପାରିବ, ତେବେ ମୁଁ ତାହା ନ କରିବି କାହିଁକି?”

ଏପରି କଥା ଶୁଣି ସେ ଭଦ୍ରଲୋକ ସଙ୍ଗେ ସଙ୍ଗେ ସେ ଶ୍ରମିକ ହାତକୁ ଖଣ୍ଡିଏ ଚିଠି ବଢାଇ ଦେଲେ । ସେ ଭଦ୍ରଲୋକ କହିଲେ – “ତୁମେ ଏଇ ଚିଠିଟି ନେଇ ଜମିଦାର ମହେନ୍ଦ୍ରକୁମାରଙ୍କ ହାତରେ ଦେବ । ହେଲେ ମନେରଖ, ଚିଠିଟି ଯେପରି ଅନ୍ୟ କାହା ହାତରେ ବି ନ ପଡେ । ସିଧାସଳଖ ଜମିଦାରଙ୍କୁ ହିଁ ଏହି ଚିଠିଟି ଦେଇଦେବ ।”

ଶ୍ରମିକ ଜଣକ ସେ ଭଦ୍ରଲୋକଙ୍କ କଥାରେ ହଁ ଭରି ଆଗକୁ ଚାଲିଲା । ତାପରେ ସେ ଭଦ୍ରଲୋକ କୁଆଡେ ଗଲେ, ସେ ବିଷୟରେ ଶ୍ରମିକ ଜଣକ ଆଦୌ ନିଜ ମୁଣ୍ଡ ଖେଳାଇଲା ନାହିଁ ।

ଶେଷରେ ସେ ଶ୍ରମିକ ଯାଇ ନିଜ ଘରେ ପହଁଚିଲା । ଛୋଟ କୁଡିଆଟିରେ ସେ ଶ୍ରମିକର ସ୍ତ୍ରୀ ଅପେକ୍ଷା କରିଥିଲା ତା ସ୍ୱାମୀକୁ । କିଛି ସମୟ ବିଶ୍ରାମ କରି ପୁନର୍ବାର ସହରକୁ ଯିବାପାଇଁ ସ୍ତ୍ରୀଠାରୁ ବିଦାୟ ମାଗିଲା ତାର ସ୍ୱାମୀ । ଏଠାରେ ତାର ଯେ ରୋଜଗାରର ଆଉ କିଛି ବି ବାଟ ନାହିଁ, ଏହି କଥା ସେ ଶ୍ରମିକ ଜଣକ ତା ସ୍ତ୍ରୀକୁ ଆଦୌ କହିଲା ନାହିଁ । କାଳେ ଏହି ଖବର ଶୁଣିଲେ ସେ ଅତ୍ୟନ୍ତ ଭାଙ୍ଗି ପଡିବ । ସେ ଶ୍ରମିକଟି ଆଶା କରୁଥିଲା, ଚିଠିଟି ନେଇ ଜମିଦାରଙ୍କୁ ଦେଲେ ସେ କାଳେ ଖୁସି ହେବେ । ତାର ହୁଏତ ଭାଗ୍ୟ ବଦଳି ଯାଇପାରେ ।

ଦୁଇଦିନ ବାଟରେ କଟାଇ ଶେଷରେ ସେ ଶ୍ରମିକ ଯାଇ ସହରରେ ପହଁଚିଲା । ଅନେକ ପଚାରି ପଚାରି ଜମିଦାର ମହେନ୍ଦ୍ରକୁମାରଙ୍କ ଉଆସ ଶ୍ରମିକ ଜଣକ ଠାବ କରିପାରିଲା । କେଡେ ବଡ କୋଠାଘର । ଆଖି ତ ପାଉନାହିଁ । ଚାରିଆଡେ ମେଘନାଦ ପାଚିରି ଘେରି ରହିଛି । ଚବିଶଘଂଟା ପ୍ରହରୀ ବାହାର ଫାଟକରେ ଜଗି ରହିଛନ୍ତି ।

ଶ୍ରମିକ ପ୍ରଥମେ ଯାଇ ସେ ଫାଟକ ପାଖରେ ଠିଆହେଲା ଓ ଅପେକ୍ଷା କଲା । ଜଗୁଆଳିମାନେ ତାର ଆସିବାର କାରଣ ପଚାରିଲେ । ତହୁଁ ସେ ଶ୍ରମିକ ଉତ୍ତର ଦେଲା – “ମୁଁ ଜମିଦାରଙ୍କ ପାଇଁ ଏକ ଚିଠି ଆଣିଛି ।” ପ୍ରହରୀ ସେ ଚିଠିଟି ମାଗିଲା । ମାତ୍ର ଶ୍ରମିକଟି ସେମାନଙ୍କୁ ବାରଣ କଲା । ସେ ନିଜେ ଜମିଦାରଙ୍କୁ ଭେଟି ଚିଠିଟି ଦେବ ବୋଲି କହିଲା ।

ପ୍ରହରୀ ଦୁଆର ଖୋଲି ଶ୍ରମିକକୁ ଭିତର ଖଞ୍ଜାକୁ ନେଇଗଲା । ସେଠାରେ ଦେବାନଙ୍କର ଅଫିସ୍ । ସେଠାରେ ମଧ୍ୟ କିଛି ପ୍ରହରୀ ଜଗି ରହିଛନ୍ତି । ଜଣେ ସାଧାରଣ ଲୋକଙ୍କୁ ଦେଖି ସେ ପ୍ରହରୀ ଜଣକ ଖୁବ୍ ଜୋର୍ରେ ତାଆଡକୁ ମାଡି ଆସିଲା । କହିଲା, “କଅଣ ତୁମର କାମ? କାହା ପାଖରେ ତୁମର ଫେରାଦ କରିବା ପାଇଁ ଅଛି? ବର୍ତ୍ତମାନ ଦେବାନ ସାହାବଙ୍କ ସହିତ ତୁମର ଆଦୌ ସାକ୍ଷାତ ହୋଇପାରିବ ନାହିଁ । କାହିଁକି ନା ସେ ଏବେ ଜରୁରୀ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ