ରାଜଦୀପ ଓ ପ୍ରିୟମ୍ବଦା ସୁଡଙ୍ଗ ଭିତରେ ପଶି ଭିତରୁ କବାଟ ଦେଇଦେଲେ । କିଛି ସମୟ ଧରି ଗ୍ରାମବାସୀମାନେ ବାହାରେ ଖୋଜାଖୋଜି କରି ସେମାନଙ୍କୁ ନ ପାଇବାରୁ ଭାବିଲେ କି ସେମାନେ ପ୍ରକୃତରେ ମହାବିଷ୍ଣୁ ଓ ଲକ୍ଷ୍ମୀ ।
ସେମାନେ ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବା ପରେ ଜୟ ଓ ବିଜୟ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏଣେ ଗ୍ରାମବାସୀମାନେ ସେମାନଙ୍କ ଉପରେ ଆକ୍ରମଣ କରି କହିଲେ, “ତୁମେ ଦୁଇଜଣ ରାକ୍ଷସ ଜନ୍ମ ନେଇଛ । ଏଇ ଗାଁରୁ ଭଲରେ ଭଲରେ ବାହାରି ଯାଅ ନହେଲେ ଆମେ ତୁମକୁ ଜୀବନରେ ମାରିଦେବୁ । ଯଦି ଏଠାରେ ରହିବାକୁ ଚାହଁ ତେବେ ରାକ୍ଷସ ପ୍ରବୃତ୍ତି ଛାଡି ଭଦ୍ରଲୋକ ପରି ବାସ କର ।”
ଏଥର ସୁଡଙ୍ଗ ଭିତରେ ଯିବାବେଳେ ପ୍ରିୟମ୍ବଦା ଖୁବ୍ ଖୁସିଥା’ନ୍ତି । କାରଣ ତାଙ୍କ ସାଙ୍ଗରେ ପ୍ରିୟ ରାଜଦୀପ, ପୁଣି ଅନେକ ଖାଦ୍ୟ ସାମଗ୍ରୀ ।
ରାଜଦୀପ ହଠାତ୍ ପଚାରିଲେ, “ରାଜମହଲରେ ପ୍ରବେଶ କରିବା ପରେ ଆମକୁ କ’ଣ କରିବାକୁ ହେବ?”
ପ୍ରିୟମ୍ବଦା କହିଲେ “ଶୁଣ, ରାଜ୍ୟରେ ସମସ୍ତେ ଜାଣନ୍ତି ଯେ ମୋତେ ଜଣେ ତାନ୍ତ୍ରିକ ନେଇ ଯାଇଛି । ମୁଁ ମୋ ପିତାଙ୍କୁ କହିବି କି ତମେହିଁ ମୋତେ ସେ ତାନ୍ତ୍ରିକ ହାତରୁ ରକ୍ଷା କରିଛ । ତା’ପରେ ସେମାନେ ଖୁସି ହୋଇ ମୋତେ ତୁମ ସହିତ ବିବାହ ଦେବେ ।”
ରାଜଦୀପ ପଚାରିଲେ “କିନ୍ତୁ ତମେ ତ ଉଦ୍ୟାନରକ୍ଷୀ ଜୟକୁ ମଧ୍ୟ ସେଇ ଏକାକଥା କହିଥିଲ ଓ ତାକୁ ମଧ୍ୟ ବିବାହ କରିବାକୁ କଥା ଦେଇଥିଲ ।”
ପ୍ରିୟମ୍ବଦା କହିଲେ “ତୁମକୁ ଦେଖିବା ପୂର୍ବରୁ ମୋର ବିଚାର ତାହାହିଁ ଥିଲା । ଜୟ ମୋର ପ୍ରାଣ ରକ୍ଷା କରିଥିବାରୁ ମୁଁ ହୁଏତ କୃତଜ୍ଞତା ସ୍ୱରୂପ ତାକୁ ବିବାହ କରିବାକୁ କହିଥିଲି । କିନ୍ତୁ ମୁଁ ତ ତାକୁ କେବେବି ଭଲପାଇ ଏହିକଥା କହିନାହିଁ । ମୋର ସମସ୍ତ ଭଲ ପାଇବା ଏବେ କେବଳ ତୁମ ପାଇଁ । ତା’ପାଇଁ କୃତଜ୍ଞତା ମାତ୍ର ଥିଲା ।”
ରାଜଦୀପ କିଛି ସମୟ ଭାବିଚିନ୍ତି କହିଲେ, “ଯାହାହେଲେ ମଧ୍ୟ ତୁମେ ଯେ ତାକୁ କଥା ଦେଇଛ, ଏବେ ନିଜର ସତ୍ୟରକ୍ଷା କର ।”
ରାଜଦୀପଙ୍କର ଏଭଳି ନିଷ୍ଠୁରବାକ୍ୟ ଶୁଣି ପ୍ରିୟମ୍ବଦା ପଚାରିଲେ, “କ’ଣ ବିବାହ ପାଇଁ ମୁଁ ତୁମର ପସନ୍ଦ ନୁହେଁ କି?”
ରାଜଦୀପ କହିଲେ “ପ୍ରିୟମ୍ବଦା, ତୁମେ ଯେବେ କହିଲ ତୁମ ଜାତକ ଅନୁସାରେ ତମେ ଜଣେ ସାଧାରଣ ଲୋକକୁ ବିବାହ କରିବ, ମୁଁ ସେହିଦିନଠାରୁ ସାଧାରଣ ହେବାକୁ ଚେଷ୍ଟା କଲି । ମୋ ଗୁରୁ ମୋତେ କହିଥିଲେ – “ତୁ ଅପକାର କରୁଥିବା ଲୋକର ମଧ୍ୟ ଉପକାର କରିବୁ । କେବେ କୌଣସି ସ୍ୱାର୍ଥର ତୁ ବଶୀଭୁତ ହେବୁ ନାହିଁ ।” – କିନ୍ତୁ ତୁମକୁ ଦେଖିବା ପରେ ମୁଁ କାମନାର ବଶୀଭୁତ ହେଲି । ସେ ଯାହା ବି ହେଉ ମୋ ଯୋଗୁଁ ଜୟ ପ୍ରତି କୌଣସି ଅନ୍ୟାୟ କରାଯିବା ଉଚିତ୍ ନୁହେଁ ।”