ସମ୍ରାଟଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ କହିଲେ – ଜାହାଁପନା, ମୁଁ ଜଣେ ନିରୀହ ତଥା ସାଧାରଣ ଲୋକ, ମୁଁ ନାନା ଦେଶ ଯାତ୍ରୀ ଭାବରେ ପରିଭ୍ରମଣ କରୁଅଛି । ହେଲେ ଆପଣଙ୍କର ଏହି ରାଜ୍ୟ ଏଯାବତ୍ ଦେଖିଥିବା ସମସ୍ତ ରାଜ୍ୟଠାରୁ ଅତ୍ୟନ୍ତ ଉତ୍ତମ ଓ ରାଜ୍ୟର ପ୍ରାକୃତିକ ଅବସ୍ଥା ଅତ୍ୟନ୍ତ ମନୋହର । ଆପଣଙ୍କ ରାଜ୍ୟରେ ଅନେକ ଦିନ ରହିଯିବାର କାରଣ ହେଉଛି ଆପଣଙ୍କ ରାଜ୍ୟର ସମସ୍ତ ଅବସ୍ଥା ମୋ ମନକୁ ପ୍ରଫୁଲ୍ଲିତ କରି ରଖିଛି । ଆଉ ମଧ୍ୟ ଆପଣଙ୍କ ସହିତ ମୋର ସାକ୍ଷାତ ହୋଇନଥିଲା । ଆପଣ କ୍ରୋଧିତ ହୋଇ ଯାହା କଲେ ତାହା ମଧ୍ୟ ମୋ ନିମନ୍ତେ ମଙ୍ଗଳ ହୋଇଛି କାରଣ ଖୁବ୍ କମ୍ ପରିଶ୍ରମରେ ମୁଁ ଆପଣଙ୍କ ପରି ଜଣେ ମର୍ଯ୍ୟାଦାବନ୍ତ ଲୋକପ୍ରିୟ ସମ୍ରାଟଙ୍କର ସାକ୍ଷାତ ପାଇ ନିଜକୁ ଧନ୍ୟ ମଣୁଛି ।
ବିରବଲଙ୍କର ସମସ୍ତ କଥା ସମ୍ରାଟଙ୍କ ମନକୁ ପାଇଗଲା । ଆଉ ମଧ୍ୟ ସମ୍ରାଟ୍ ତଥା ରାଜାମାନେ ସଦାସର୍ବଦା ଅନ୍ୟ ମୁଖରୁ ନିଜର ସ୍ତୁତିଗାନ ଶୁଣିବା ଲାଗି ଆଶା କରି ବସିଥାଆନ୍ତି ।
ବିରବଲ ସେହି ରାଜ୍ୟ ସଭାରେ କାବୁଲ୍ ସମ୍ରାଟଙ୍କର ଏପରି ସ୍ତୁତି ଗାନ କଲେ ଯେ, ତାହା ଯେପରି ଟେବୁଲ୍ ଉପରେ ଚେୟାର, ଚେୟାର ଉପରେ ଟୁଲ ପକାଇ ତା’ ଉପରେ ଏକ ବଡ ନିଶୁଣି ଥୋଇ ତା’ ଉପରେ ଗୋଟାଏ ବୃହତ ଗଣ୍ଠିଆ ବାଉଁଶର ଅଗ୍ରଭାଗରେ ସମ୍ରାଟଙ୍କୁ ପ୍ରଶଂସା କରିବା ପରି ଅନୁଭୂତ ହେଲା ।
ବିରବଲଙ୍କ ସ୍ତୁତିଗାନ ଶୁଣି କାବୁଲ୍ର ବାଦ୍ଶାହା ବିରବଲଙ୍କ ଉପରେ ଖୁବ୍ ପ୍ରସନ୍ନ ହୋଇ ପ୍ରଶଂସା କରିବାକୁ ଲାଗିଲେ ଓ ସଂଗେ ସଂଗେ ରାଜକୋଷରୁ ଧନରତ୍ନ ଆଣି ତାହାଙ୍କୁ ପୁରସ୍କାର ଦେଇ ମନ୍ତ୍ରୀଙ୍କୁ ଆଦେଶ କଲେ ଯେ ବିରବଲ ଆମ ରାଜ୍ୟର ଜଣେ ଅତିଥି । ତାଙ୍କୁ ଅତିଥିଶାଳାରେ ରଖାଇ ଦିଆଯାଉ ଏବଂ ତାଙ୍କ ନିମନ୍ତେ ଉତ୍ତମ ଖାଦ୍ୟପେୟର ବ୍ୟବସ୍ଥା କରାଯାଉ ।
କିଛିଦିନ ଏହିପରି କାବୁଲ୍ର ଦରବାରରେ ବିରବଲ ରହି ଯେତେବେଳେ ସେ ରାଜ୍ୟ ଛାଡି ଅନ୍ୟରାଜ୍ୟ ପରିଭ୍ରମଣ କରିବାକୁ ଇଚ୍ଛା ପ୍ରକାଶ କଲେ ସେତେବେଳେ ବିରବଲ ବାଦ୍ଶାହାଙ୍କୁ ସାକ୍ଷାତ କରିବା ନିମନ୍ତେ ରାଜଦରବାରରେ ପହଁଚେ ତାଙ୍କୁ ଦେଖି ବାଦ୍ଶାହା ଖୁବ୍ ଆନନ୍ଦରେ ନିଜ ଆଡକୁ ବିରବଲଙ୍କୁ ଯିବାକୁ କହିଲେ ।
ବିରବଲ ବାଦ୍ଶାହାଙ୍କ ନିକଟରେ ନିଜର ବିଦାୟ ନେବାର କଥା ପ୍ରକାଶ କରନ୍ତେ ବାଦ୍ଶାହା ପ୍ରଶ୍ନ କଲେ – ଆହେ ବିରବଲ! ତୁମେ ତ ଅନେକ ଦିନ ଆମ୍ଭ ରାଜପ୍ରାସାଦରେ ରହି ମୋର ରାଜ୍ୟ ଶାସନ, ପ୍ରଜାମାନଙ୍କ ଏଠାରେ ସୁଖ କେତେ ଦୁଃଖ କେତେ, ତାହା ତ ଜାଣି ପାରିଲ । ଏଥର କୁହ ବିରବଲ, ମୁଁ ଏବଂ ତୁମ ରାଜ୍ୟର ବାଦ୍ଶାହାଙ୍କ ମଧ୍ୟରେ କିଏ ଉତ୍ତମ?