ବିରବଲ ହସି ହସି କହିଲେ, ମୋ ମୁଖରେ ତ ସଦାସର୍ବଦା ସତ୍ୟ ପ୍ରକାଶ ପାଇଥାଏ । ଅପ୍ରିୟ କହି ସୁଖ ପାଇବାଠାରୁ ଦୁଃଖ ମଧ୍ୟ ମୋର ନିମନ୍ତେ ସୁଖପ୍ରଦ ହୋଇଥାଏ । ବାସ୍ତବ ବିଚାରରେ ଆପଣଙ୍କୁ ପୂର୍ଣ୍ଣିମାର ଚାନ୍ଦ ଓ ଆମ୍ଭ ସମ୍ରାଟଙ୍କୁ ଦ୍ୱିତୀୟାର ଚାନ୍ଦ ଭାବରେ ବର୍ଣ୍ଣନା କରୁଅଛି । ଯାହା ଜଗତରେ ସତ୍ୟ ତାହା ହିଁ ମୁଁ ଏଠାରେ ପ୍ରକାଶ କରୁଛି ।
ବିରବଲଙ୍କ ମୁଖରୁ ବାଦ୍ଶାହାର ଏପରି ପ୍ରଶଂସା ଶୁଣିବା ମାତ୍ରକେ ସେ ବହୁତ ଆନନ୍ଦରେ ବିରବଲଙ୍କୁ ପୁନଶ୍ଚ କିଛି ଉପହାର ଦେଇ ବିଦାୟ ଦେଲେ ।
ଏବେ ବିରବଲ ବହୁ ଧନରତ୍ନ ସହିତ ନିଜ ରାଜ୍ୟକୁ ଫେରିଗଲେ । ସେ ଫେରିବା ସମୟରେ ଅନେକ ଧନରତ୍ନ ଧରି ଫେରିଆସିଲେ । ତାହା ଦେଖନ୍ତେ ବିରବଲଙ୍କର ସ୍ତ୍ରୀ ତାଙ୍କୁ ପଚାରିଥିଲେ ଯେ ତୁମ୍ଭର ଏତେ ଗୁଡାଏ ଧନରତ୍ନ କେଉଁଠାରୁ ପାଇଲ ।
ବିରବଲ କହିଲେ – ତମେ କ’ଣ ଜାଣି ନାହଁ ଯେ ବେଳେବେଳେ ପଣ୍ଡିତମାନଙ୍କର ଭାଗ୍ୟରେ ଚନ୍ଦ୍ରଉଦୟ ହୋଇଥାନ୍ତି । ଠିକ୍ ତ ସେୟା ମୋ ଭାଗ୍ୟରେ ଜୁଟୁଥିଲା । ଏ ସମସ୍ତ ଧନରତ୍ନ କାବୁଲ୍ର ବାଦ୍ଶାହା ମୋତେ ପ୍ରଦାନ କରିଛନ୍ତି । କିନ୍ତୁ ଦେଖ ତୁମ୍ଭେ ଯେପରି ଏହି କଥାକୁ ଅନ୍ୟଠାରେ ପ୍ରକାଶ ନ କର ।
ବିରବଲ ଏହା ପରେ ଦିନେ ଦୁଇଦିନ ବେଶ୍ ଅଚିନ୍ତାରେ କଟାଇ ଦେଲେ । କଥାରେ ଅଛି, କୌଣସି ଗୋପନୀୟ କଥା ନିଜର ସ୍ତ୍ରୀଙ୍କ ନିକଟରେ ପ୍ରକାଶ କରିବା ପୁରୁଷଙ୍କ ଭଳି ମୂର୍ଖାମୀ ହୋଇଥାଏ । ଆସୁ ଆସୁ ତ ନିଜର ପୌରୁଷ ବିଷୟରେ ବିରବଲ ନିଜର ସ୍ତ୍ରୀଙ୍କ ନିକଟରେ ପ୍ରକାଶ କରି ଦେଇଛନ୍ତି । ସ୍ତ୍ରୀ ବି ଜାଣନ୍ତି ପୁରୁଷମାନଙ୍କ କଥାରେ ଏତେ ମାୟା ଏତେ କପଟ । ବିରବଲଙ୍କର ସ୍ତ୍ରୀ କିନ୍ତୁ ତାହା ପେଟରେ ପୂରାଇ ରଖିପାରିଲା ନାହିଁ । କଥା କ୍ରମଶଃ ସାହି ପଡିଶାର ସ୍ତ୍ରୀମାନଙ୍କ ପାଖରେ ପହଁଚିଗଲା । ଏହାଙ୍କ ମଧ୍ୟରେ ନବରତ୍ନ ପଣ୍ଡିତମାନଙ୍କ ସ୍ତ୍ରୀମାନେ ମଧ୍ୟ ଥିଲେ । ସେ ଯେତେବେଳେ ବିରବଲଙ୍କ ପ୍ରଶଂସାକୁ ହଜମ୍ କରି ପାରିଲେ ନାହିଁ, ସେମାନେ ନିଜ ନିଜ ସ୍ୱାମୀଙ୍କ ନିକଟରେ ପ୍ରକାଶ କରି ସେମାନେ ବିରବଲଙ୍କୁ ଉଚ୍ଚାସନ ଦେଇ ନିଜ ସ୍ୱାମୀମାନଙ୍କୁ ତିରସ୍କାର କଲେ ।