ଏହାପରେ ନିଜର ପୋଷାକ ପତ୍ର ପିନ୍ଧି ପକାଇ ଦୂତମାନଙ୍କ ସହିତ ଦରବାରରେ ବିରବଲ ପହଁଚି ଯାଆନ୍ତେ କ୍ରୋଧିତ ସମ୍ରାଟ୍ ତାଙ୍କୁ କହିଲେ – ବିରବଲ ତୁମ୍ଭେ ଏହି କେତେ ଦିନ ହେଲା ରାଜ୍ୟରେ ଅନୁପସ୍ଥିତ ଥିଲ କାହିଁକି?
ବିରବଲ କହିଲେ – ଜାହାଁପନା, ମୁଁ କେତେଦିନ ନିମନ୍ତେ ଅନ୍ୟ ରାଜ୍ୟକୁ ପରିଭ୍ରମଣରେ ଯାଇଥିଲି ।
ସମ୍ରାଟ୍ ପଚାରିଲେ – ଏହି ରାଜ୍ୟମାନଙ୍କ ମଧ୍ୟରୁ ମୋର ଶତ୍ରୁ ପଡୋଶୀ ରାଜ୍ୟ କାବୁଲ୍କୁ ଭ୍ରମଣରେ ଯାଇଥିଲ?
ବିରବଲ କହିଲେ – ହଁ ହଜୁର୍! ସବୁ ମିତ୍ର ରାଜ୍ୟକୁ ଭ୍ରମଣ କରିବା ମଧ୍ୟରେ ସର୍ବ ପ୍ରଥମେ ଆମର ଶତ୍ରୁ ରାଜ୍ୟକୁ ଭ୍ରମଣ କରିଯିବାର ଲକ୍ଷ୍ୟ ତ ଆଗ ଥିଲା ଜାହାଁପନା, କାରଣ ରାଜ୍ୟ ଭ୍ରମଣରେ ଆପଣଙ୍କୁ ତଥା ଆମକୁ ସୁଖ ସମ୍ବାଦ ମିଳିଥାଏ । ଏଥିରେ କେବଳ ଆମେ ଆନନ୍ଦ ହୋଇଥାଉ, କିନ୍ତୁ ଶତ୍ରୁରାଜ୍ୟକୁ ପରିଭ୍ରମଣରେ ଯାଇ ଆମ୍ଭ ରାଜ୍ୟ ପ୍ରତି ଥିବା ଶତ୍ରୁ ଶାସକର ହାବ ଭାବ ଜାଣିବା ତ ଆମର ପ୍ରଧାନ କର୍ତ୍ତବ୍ୟ । ସେଥିଲାଗି ମୁଁ ସର୍ବପ୍ରଥମେ କାବୁଲ୍ ରାଜ୍ୟକୁ ଭ୍ରମଣରେ ଯାଇଥିଲି ।
ଏହାପରେ ସେଠାରେ ଯାହା ଯାହା ଘଟିଥିଲା ବିରବଲ ଗୋଟି ଗୋଟି କରି ସମ୍ରାଟଙ୍କ ନିକଟରେ ପ୍ରକାଶ କରନ୍ତେ ସମ୍ରାଟ୍ ହଠାତ୍ ଗର୍ଜନ କରି ଉଠି କହିଲେ – କ’ଣ ହେଲା, ଗୋଟାଏ ନୀଚ ସମ୍ରାଟକୁ ତୁମେ ପୂର୍ଣ୍ଣିମାର ଚାନ୍ଦର ଉପମା ଦେଇ ମୋତେ ତୁମେ ଦ୍ୱିତୀୟା ଚାନ୍ଦର ଉପମା ଦେଇପାରିଲ ବିରବଲ? ତୁମେ କ’ଣ ମୋ ନମକ ଏଥି ନିମନ୍ତେ ଖାଉଅଛ? ଜାଣ ତୁମର ଏହି ଅପରାଧ ଲାଗି ମୁଁ ତୁମକୁ କି ପ୍ରକାର ଶାସ୍ତି ଦେଇପାରେ ।
ବିରବଲ କହିଲେ – ଜାହାଁପନା! ଏହାଠାରୁ ନୀଚତମ ଉପମା ତ ମୋ ପାଖରେ ଆଉ କିଛି ନଥିଲା । ଯାଆ ଆମର ଶତ୍ରୁ ସମ୍ରାଟଙ୍କୁ ଦେଇ ପାରିଥା’ନ୍ତି ।
ସମ୍ରାଟ୍ କହିଲେ – କାବୁଲ୍ ସମ୍ରାଟ୍ ନିମନ୍ତେ ପୂର୍ଣ୍ଣିମାର ଚାନ୍ଦର ଉପମା ଦେବା କ’ଣ ତୁମ ବିଚାରରେ ନିକୃଷ୍ଟ ହୋଇଛି ।
ବିରବଲ କହିଲେ – ହଁ, ଜାହାଁପନା! ପୂର୍ଣ୍ଣିମାର ଚାନ୍ଦ ପୂର୍ଣ୍ଣ ହୋଇଯିବା ପରେ ତା’ର ଆଉ ବର୍ଦ୍ଧିତ ହେବାର ନଥାଏ । ବରଂ ଦିନକୁ ଦିନ ଖଣ୍ଡିତ ହେବାକୁଲାଗେ । କିନ୍ତୁ ଦ୍ୱିତୀୟାର ଚାନ୍ଦ ଯେତେ ଦିନ ଯାଏଁ ପୂର୍ଣ୍ଣ ନ ହୋଇଛି ସେତେ ଦିନ ଯାଏଁ ଧୀରେ ଧୀରେ ବଢିବାକୁ ଲାଗେ । ଦ୍ୱିତୀୟା ଚାନ୍ଦଟି ପୂର୍ଣ୍ଣିମାର ଚାନ୍ଦଠାରୁ ପବିତ୍ର । ସେଥିଲାଗି ଆପଣଙ୍କ ମୁସଲମାନମାନେ ଦ୍ୱିତୀୟା ଚାନ୍ଦର ପୂଜା କରିଥାନ୍ତି । ଯେତେଦିନ ଯାଏଁ ଆପଣମାନେ ଦ୍ୱିତୀୟା ଚାନ୍ଦକୁ ନ ଦେଖନ୍ତି ସେତେଦିନ ଯାଏଁ ଭକ୍ତିର ସହିତ ଆପଣମାନେ ଉପବାସରେ ମାସ ମାସ ଧରି ଦ୍ୱିତୀୟା ଚାନ୍ଦର ଦର୍ଶନ ନିମନ୍ତେ ଅପେକ୍ଷାରେ ଥାଆନ୍ତି । ହଜୁର୍ ଏପରି ଶୁଭ ଚନ୍ଦ୍ରମାଙ୍କର ଉପମା ଆପଣଙ୍କୁ ନ ଦେଇ ମୁଁ କିପରି ମୋର ଶତ୍ରୁରାଜ୍ୟର ସମ୍ରାଟଙ୍କୁ ଦେଇଥାଆନ୍ତି କୁହନ୍ତୁ । ହେଲେ ଏହି ଚାଟୁକାରମାନେ ପୋଥି ବିଦ୍ୟାରେ ଶ୍ରେଷ୍ଠ ହୋଇଥିବା କଥା କହୁଥିବା ବେଳେ ସେମାନଙ୍କ ନିକଟରେ ଅନ୍ୟ କୌଣସି ବିଦ୍ୟା ଥିବା କଥା ମୋର କାହିଁକି ବିଶ୍ୱାସ ହଉନାହିଁ । ମୋର ଶେଷ କଥା ହଜୁର, ଆପଣ ହେଉଛନ୍ତି ମୋ ମତରେ ପବିତ୍ର ଦ୍ୱିତୀୟାର ଚାନ୍ଦ ।
ବିରବଲଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ, ସମ୍ରାଟ୍ ଆକବରଙ୍କ ରାଗ ବରଫ ସଦୃଶ ଥଣ୍ଡା ପଡିଗଲା । ସେ ବିରବଲଙ୍କ ଉପରେ ଏତେ ଖୁସି ହୋଇଗଲେ ଯେ ମନ୍ତ୍ରୀଙ୍କୁ ଡାକି ବିରବଲଙ୍କ ନିମନ୍ତେ ତାଙ୍କର ପାନ ଖିଆ ଓ ମୁଖ ଧୌତ ନିମନ୍ତେ ତାଙ୍କ ନାମରେ ଦୁଇ ଏକର ଜମିର ପଟ୍ଟା ଦେଇ ଦେଲେ । ତା’ପରେ ବିରବଲଙ୍କୁ ସେଦିନ ସଭା ମଧ୍ୟରେ ପୁରସ୍କାର ଦେଇ ବିଦାୟ କରିଦେଲେ ।
ବିରବଲ ସେହି ପୁରସ୍କାରକୁ ସାଦରେ ଗ୍ରହଣ କରି ନିଜର ବାସଭବନକୁ ଫେରି ଆସିଲେ ।