ଜିତୁ ହେଉଛି ଜଣେ ଭକ୍ତ । ଭଗବାନ୍ଙ୍କୁ ପୂଜା ନ କରି ସେ କେବେବି ଜଳସ୍ପର୍ଶ କରିବ ନାହିଁ । ରାତିରେ ମଧ୍ୟ ଭଗବାନଙ୍କ ନାମ ନେବା ପରେ ଯାଇ ସେ ତା’ର ଶୋଇବାକୁ ଯାଏ । ଦିନେ ରାତିରେ ସେ ଏକ ସ୍ୱପ୍ନ ଦେଖିଲା, ଭଗବାନ୍ ତାକୁ କହୁଛନ୍ତି, “ଭକ୍ତ, ମୁଁ ତୋ ଉପରେ ପ୍ରସନ୍ନ, ଯାହା ବର ମାଗିବୁ ମାଗ ।”
କିନ୍ତୁ ଭଗବାନଙ୍କୁ ଜିତୁ କହିଲା, “ଭଗବାନ୍, ମୋର ପଡିଶା ମିତୁ ବଡ ନାସ୍ତିକ, ତା’ ମଧ୍ୟରେ ଭକ୍ତିଭାବ କିପରି ଜାଗ୍ରତ ହୁଅନ୍ତା!”
ଭଗବାନ୍ କହିଲେ “ଚିନ୍ତା କରନାହିଁ, ମୁଁ ତୁମକୁ ବାକ୍ସିଦ୍ଧିର ବର ଦେଉଛି । ତୁମେ ତଦ୍ୱାରା ତା’ ଭିତରେ ଭକ୍ତିଭାବ ଜାଗ୍ରତ କର ।”
ଜିତୁ ସକାଳୁ ନିଜ ବିଛଣାରୁ ଉଠି ପ୍ରଥମେ ମିତୁକୁ ଡାକି କହିଲା, “କାଲି ରାତିରେ ଭଗବାନ୍ ମୋତେ ସ୍ୱପ୍ନରେ ଏହା କହିଛନ୍ତି ଯେ ମୁଁ ମୋର ବାକ୍ସିଦ୍ଧିର ଶକ୍ତିଯୋଗୁଁ ତୁମକୁ ଭକ୍ତି ମାର୍ଗକୁ ଆଣିବି । ତେଣୁ ଆଜିଠାରୁ ପୂଜା ଆରାଧନା କର । ଅଚିରେ ସିଦ୍ଧି ହେବ । ଆଉ ଯଦି ତମେ ଏପରି ନ କରିବ ତେବେ ତୁମ ଘର ପଛପଟରେ ଥିବା ନଡିଆ ଗଛ ପୋଡିଯିବ ।”
ମିତୁ କହିଲା “ଆଚ୍ଛା, ତାହେଲେ ଏପରି କଥା? ଦେଖିବା କ’ଣ ହେଉଛି । ମୁଁ କିନ୍ତୁ ତୁମ ଭଗବାନଙ୍କୁ ମୋଟେ ବିଶ୍ୱାସ କରୁନାହିଁ ।” ତା’ ମୁହଁରୁ ଏତିକି କଥା ସରିଛି କି ନାହିଁ ତା’ ସ୍ତ୍ରୀ ଆସି କହିଲା ଯେ ନଡିଆଗଛଟି ସମ୍ପୂର୍ଣ୍ଣ ଜଳିଗଲା ।
ମିତୁ ଏକଥା ଆଦୌ ସହିପାରିଲା ନାହିଁ । ଗାଁ ମୁଣ୍ଡରେ ଥିବା ଏକ ତେନ୍ତୁଳି ଗଛ ପାଖକୁ ଯାଇ ମିତୁ ଚିତ୍କାର କରି କହିଲା, “ହେ ପିଶାଚ, ତୁ ବହୁତ ଥର ମୋତେ ସାହାଯ୍ୟ କରିବାକୁ କହିଥିଲୁ, ହେଲେ ସେତେବେଳେ ମୋର ସେସବୁ କିଛି ଦରକାର ନଥିଲା । ମାତ୍ର ଏବେ ମୋର ତୋ ସାହାଯ୍ୟ ନିହାତି ଦରକାର ।”
ପିଶାଚ କହିଲା “ଯଦି କୌଣସି ଉପକାର କରିବା ପାଇଁ କୁହ ତେବେ ମୁଁ ପାରିବି ନାହିଁ । କେବଳ ଅପକାରହିଁ କରିପାରିବି ।”
ତା’ପରେ ମିତୁ ସବୁ ଘଟଣା ତାକୁ କହିଲା । ମିତୁର କଥା ଶୁଣି ପିଶାଚ କହିଲା, “ଏବେ ଯାଇ ଦେଖ ଜିତୁର ଘର ଭାଙ୍ଗି ପଡିଥିବ ।”
ପିଶାଚ ଯାହା କହିଥିଲା ଠିକ୍ । ଜିତୁର ଘର ଭାଙ୍ଗି ପଡିଲା । ଜିତୁ ରାଗିଯାଇ ତା’ର ବାକ୍ସିଦ୍ଧି ପ୍ରଭାବରେ ମିତୁର ଘର ଭାଙ୍ଗି ପକାଇଲା । ମିତୁ କ’ଣ ଚୁପ୍ ହୋଇ ବସିବାବାଲା ଲୋକ? ଭୂତ ପାଖକୁ ସେ ଧାଇଁଲା । ଭୂତ ଜିତୁ ଘରର ଆଉ ଯାହା କିଛିବି ଥିଲା ଓ କ୍ଷେତବାଡି ସବୁ ଧ୍ୱଂସ କରି ପକାଇଲା । ଜିତୁ ମିତୁର ମଧ୍ୟ ସବୁ ଧ୍ୱଂସ କରିଦେଲା ।
ସଂଧ୍ୟାବେଳକୁ ସେ ଦୁହେଁ ଦୁହିଁଙ୍କୁ ଦେଖିଲେ । ଉଭୟ ଦରିଦ୍ର ଓ ନିଃସ୍ୱ ଏଣିକି ବୁଝିଲେ ରାଗ ଉପରେ ଯାହା ହୋଇଛି ତାହା ସମ୍ପୂର୍ଣ୍ଣ ରୂପେ ଭୁଲ୍ । ଜିତୁ ମିତୁକୁ କହିଲା, “କଳି ଆମର, କିନ୍ତୁ ପ୍ରତିକାର ପାଇଁ ତୁମେ ପିଶାଚ ପାଖକୁ ଗଲ । ମୁଁ ଏକଥା ଗ୍ରାମବାସୀଙ୍କୁ କହିଦେବି ।”
ମିତୁ କହିଲା, “ଆମ ବିଶ୍ୱାସରେ କୌଣସି ପ୍ରଭେଦ ନାହିଁ । ମୁଁ ଜାଣିଥିଲି ପିଶାଚ ବହୁତ ଦୁଷ୍ଟ; କିନ୍ତୁ ତମେ ଯେତେବେଳେ ଭଗବାନ୍ଙ୍କ ନାମ ନେଇ ମୋତେ ହଇରାଣ କଲ, ସେତେବେଳେ ମୁଁ ବାଧ୍ୟ ହୋଇ ପିଶାଚ ପାଖକୁ ଗଲି ।”
ଜିତୁ କହିଲା “ତମେ ଠିକ୍ କହୁଛ । ତମେ ନାସ୍ତିକ ହୋଇ ମଧ୍ୟ ମନ ଭିତରେ ଯଦି କାହାର ଅମଙ୍ଗଳ ପାଂଚୁନାହଁ ସେଇ ତୁମର ଦିବ୍ୟଗୁଣ । ମୁଁ ବୋକାଙ୍କ ପରି ତୁମକୁ ବଦଳାଇବାକୁ ଭାବିଲି । ହେଲେ ମୁଁ ଏବେ ତାହାର ଯଥୋଚିତ ଶାସ୍ତି ପାଇଛି ।”
ଜିତୁର ଯାହାସବୁ ନଷ୍ଟ ହୋଇଗଲା ସେଦିନ ରାତିରେ ଭଗବାନ୍ ତାକୁ ପୁରଣ କରିଦେଲେ । ସେପଟେ ମିତୁ ପିଶାଚକୁ ଗାଳି ଦେବାରୁ ସେ ମଧ୍ୟ ତା’ର ନଷ୍ଟ ସମ୍ପତ୍ତି ସବୁ ଫେରାଇ ଆଣିଲା ।
ତା’ପରେ ସେ ଦୁହେଁ ଅତି ଖୁସିରେ ରହିଲେ ।