ଗଣେଶ ହଡ଼ା ଘରୁ ବାହାରିଗଲା ବେଳେ ସ୍ତ୍ରୀ କମଳାକୁ କହିଲା, “ଶୁଣ, ବହୁତ ଦୂର ଗାଁକୁ ଯାଉଛି । ଯଦି କାମ ଶେଷ ହେବା ବେଳକୁ ବେଶି ରାତି ହୋଇଯିବ, ତେବେ ରାତିରେ ନ ଆସି ଆଗାମୀ କାଲି ସକାଳେ ଆସି ଦୁଇପହର ସରିକି ପହଁଚିବି ।”
କମଳା ହସିଲା । ସେ ଜାଣିଥିଲା ଯେ ଗଣେଶ ଅନ୍ଧକାରକୁ ଭୀଷଣ ମାତ୍ରାରେ ଡରେ । ସେ କହିଲା, “ତମେ କାଲି ଦୁଇପହର ବେଳକୁହିଁ ଆସି ପହଁଚିବ!”
ଗଣେଶ କହିଲା “କାହିଁକି? ଯଦି ସହଳ କାମ ଶେଷ ହୋଇଯିବ ତେବେ ସେଠାରୁ ସଞ୍ଜବେଳକୁ ବାହାରି ରାତି ଦୁଇପହର ବେଳକୁ ତ ଏଠି ପହଁଚିଯିବି!”
ତା’ ସ୍ତ୍ରୀ କହିଲା “ସଞ୍ଜବେଳକୁ କାମ ଶେଷ ହେଲେ ବି ତମେ ବାଟକୁ ବାହାରିବ ନାହିଁ ବୋଲି ମୁଁ ଠିକ୍ ଜାଣେ!”
“ମୋତେ ଡରୁଆ ଭାବିଛ? ଦେଖିବ, ମୁଁ ଦୁଇପହର ରାତିକୁହିଁ ଆସିବି ।” ଏହା କହି ଗଣେଶ ବାହାରିଗଲା ।
ସେ ଗାଁ ମୁଣ୍ଡରେ ପହଁଚିଛି, ଦେଖିଲା ଯାହା ଘରକୁ ସିଏ ଯାଉଥିଲା ସେହି ରବି ତା’ ସହ ଦେଖା କରିବାକୁ ତା’ ଘରକୁ ଆସୁଛି । ତେଣୁ ସେ ଆଉ ଦୂରକୁ ଯିବାର ଆବଶ୍ୟକତା ପଡିଲା ନାହିଁ । ଦୁଇ ବନ୍ଧୁ ଜଣେ ତୃତୀୟ ବନ୍ଧୁ ସୁରେଶ ଘରେ ଯାଇ ପହଁଚିଲେ । ଗାଁ ମୁଣ୍ଡରେ ସୁରେଶର ଘର । ସୁରେଶର ସ୍ତ୍ରୀ ଓ ପିଲାପିଲି ଅନ୍ୟତ୍ର ଯାଇଥାନ୍ତି । ଏଣେ ସୁରେଶ ତା’ ଘରେ ଏକା ଥାଏ । ଗଣେଶ ମନେ ମନେ ଭାବିଲା, “ମୁଁ ଆଜି ଦିନଯାକ ଏଇଠି ରହିବି । ରାତି ହେଲେ ଯାଇ ପଛେ ଘରକୁ ଫେରିବି । କମଳା ବୁଝିବ ଯେ ଅନ୍ଧାରକୁ ମୋର ମୋଟେ କୌଣସି ଡର ନାହିଁ ।”
ସେମାନେ ଆଉ ଜଣକୁ ଡାକି ଆଣିଲେ । ଚାରିଜଣ ବସି ତାସ ଖେଳିଲେ । ଖେଳ ଚାଲିଛି ତ ଚାଲିଛି କେତେବେଳେ ଯେ ରାତି ଆସି ଅଧ ହେଲାଣି କାହାରି ହୋସ୍ ନାହିଁ । ସମସ୍ତଙ୍କୁ ଭୀଷଣ ମାତ୍ରାରେ ନିଦ ଲାଗି ଆସୁଥାଏ । ବାହାରେ କିଟିମିଟି ଅନ୍ଧାର । ଗଣେଷ ଏକା ଯିବାକୁ ସାହସ କଲା ନାହିଁ କି ସେତେବେଳେ କାହାକୁ ଡାକିଲେ ମଧ୍ୟ କେହି ତା’ ସାଥିରେ ଯିବା ଅବସ୍ଥାରେ ନ ଥିଲେ । ସମସ୍ତେ ଶୋଇ ପଡିଲେ । ଭୋର୍ ଭୋର୍ ପହଁଚି ରାତିଯାକ ଚାଲି ଆସିଛି ବୋଲି କହିବାକୁ ସ୍ଥିର କରି ସିଏ ବି ଶୋଇ ପଡିଲା ।
ନିଦ ଭାଙ୍ଗିବା ବେଳକୁ ଦିନ ପହରେ । ଗଣେଶ ବଡ ହତାଶ ହେଲା । ତା’ର ସମସ୍ତ ଯୋଜନା ପାଣି ଫାଟିଗଲା । କିନ୍ତୁ ଏବେ ଘରକୁ ଚାଲିଗଲେ ତା’ ସ୍ତ୍ରୀର କଥା ରହିବ ଓ ସେ ଗଣେଶକୁ ହସି ଉଡାଇବ । ତା’ ଛଡା ତା’ର ଯେ ଅନ୍ଧକାରକୁ ପ୍ରକୃତରେ ଭୟ ଅଛି ତାହା ସହଜରେ ପ୍ରତିପାଦିତ ହୋଇଯିବ । ବହୁତ ଭାବି ଭାବି ଠିକ୍ କଲା ଯେ ସେ ଏପରି ସମୟରେ ଘରେ ପହଁଚିବ ଯେ ତା’ ସ୍ତ୍ରୀ ତାକୁ ସାହସୀ ବୋଲି ମାନି ନେବାକୁ ବାଧ୍ୟ ହେବ । ଦିନଯାକ ସେଠି ଅପେକ୍ଷା କରି ସନ୍ଧ୍ୟାବେଳେ ଯାଇ ସେ ଘରେ ପହଁଚିଲା ।
କମଳା ହସି ଦେଇ ପଚାରିଲା “କ’ଣ ହେଲା?”
“ହେବ ଆଉ କ’ଣ? ତମେ କହିଥିଲ ମୁଁ ଦିନ ଦୁଇପହରେ ଆସି ପହଁଚିବି । ମୁଁ କହିଥିଲି ରାତି ଦୁଇପହରେ ଆସି ପହଁଚିବି । ମୁଁ କିନ୍ତୁ ପହଁଚିବା ବେଳକୁ ଦିନ ହୋଇଗଲା । ଭାବିଲି ମୁଁ ଯଦି ମୋ ନିଜ କଥା ଅନୁସାରେ ଆସି ନପାରିଲି, ତମ କଥା ଅନୁସାରେ ଏବେ କାହିଁକି ଆସିବି? ତେଣୁ ଅପେକ୍ଷା କରି ମୁଁ ସଞ୍ଜବେଳକୁ ଆସୁଛି ।”
କମଳା କ’ଣ କହିବ କିଛି ବୁଝି ପାରିଲା ନାହିଁ । ଗଣେଷର ପିଲାଳିଆ ଜିଦି ଦେଖି ହସ ଚାପିରଖିଲା ମାତ୍ର!