ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜିଦ୍ଖୋର ଶାସକ

ରାତ୍ରରେ ମହାରାଣୀ ତାଙ୍କ ପତିଙ୍କ ନିକଟରେ ବସି ତାମ୍ବୁଳ ସେବନ କରାଇଲେ ଓ ଅନୁମତି ଭିକ୍ଷା କଲେ, “ପିତ୍ରାଳୟକୁ ଯାଇ ପିତା-ମାତାଙ୍କ ଦର୍ଶନ କରିବା ପାଇଁ ମନ ବ୍ୟାକୁଳ ହେଉଛି । ଆପଣଙ୍କ ଉତ୍ତରର ପ୍ରତୀକ୍ଷାରେ ଅଛି ।”

ଚନ୍ଦ୍ରସେନ ହସି ହସି ପଚାରିଲେ, “ମୋ ନିକଟରୁ କେଉଁ ପ୍ରକାରର ଉତ୍ତରର ତୁମେ ପ୍ରତୀକ୍ଷା କରୁଛ?”

ରାଣୀ ନିଜର ମନକଥା ସ୍ପଷ୍ଟ କହିଦେଲେ “ଆପଣ କହିବେ, ଏବେ ନିକଟରେ ତୁମର ସଂପର୍କୀୟଗଣ ତୁମକୁ ଦେଖିବାକୁ ଆସିଥିଲେ, ପୁନଶ୍ଚ ଯିବା କ’ଣ ଦରକାର ।”

ଚନ୍ଦ୍ରସେନ ନିଷ୍ପତି ଶୁଣାଇଦେଲେ “ହଁ, ମୁଁ ତାହାହିଁ କହିବାକୁ ଯାଉଛି ।” ତହୁଁ ସେ ରାଣୀ ବଡ ମନଦୁଃଖରେ ଦୀର୍ଘଶ୍ୱାସ ପକାଇ ସେହି କକ୍ଷରୁ ବାହାରି ଚାଲିଗଲେ ।

ସେତେବେଳ ଯାଏଁ ଯାହା ସବୁ ଘଟଣା ଘଟିଯାଇଥିଲା, ତାହା ରାଜା ନିଜ ମନ ମଧ୍ୟରେ ଅନୁଶୀଳନ କଲେ । ସେମାନେ ଯାହା ଭାବୁଥିଲେ, ସେ ତାହା ପୂରଣ କରି ଆସିଛନ୍ତି । ଏହା ଫଳରେ ସେମାନଙ୍କୁ ଆନନ୍ଦ ମିଳିବ ଭାବି, ସେ ତାହା କରିଛନ୍ତି । କିନ୍ତୁ ମନେ ହେଉଛି, ଏହା ଫଳରେ କେହି ଜଣେ ମଧ୍ୟ ଖୁସୀ ହୋଇ ନାହାଁନ୍ତି । ତେଣୁ ସେ ମନେ କଲେ ପ୍ରଜାମାନଙ୍କର ଅସୁଖୀ ହବାର ଅନ୍ୟ କିଛି କାରଣ ମଧ୍ୟ ଥାଇପାରେ । ଚନ୍ଦ୍ରସେନ ସେହି ଦିନ ରାତ୍ରରେ ଛଦ୍ମବେଶ ଧାରଣ କରି ପୁନଶ୍ଚ ନଗର ଭ୍ରମଣ ପାଇଁ ବାହାରିଲେ ।

ଗୋଟିଏ ଭବନର ପ୍ରାଙ୍ଗଣରେ ପତିପତ୍ନୀ ଆଲୋଚନା କରୁଥିବାର ସେ ଦେଖିବାକୁ ପାଇଲେ । ଏକ ବୃକ୍ଷର ଆଢୁଆଳରେ ରହି ରାଜା ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କଲେ ।

ପତ୍ନୀ ପଚାରୁଥିଲେ “ଏବେ କିଛି ଦିନ ହେଲା, ତୁମେ ଅସୁଖୀ ମନେ ହେଉଛ । ସର୍ବଦା ମୌନ ଓ ଚିନ୍ତିତ ରହୁଛ, ସତେ ଯେପରି ତମେ କ’ଣ ଗୋଟେ ହରେଇ ବସିଛ । ପୂର୍ବର ସେହି ପ୍ରସନ୍ନତା ତୁମ ମୁଖରେ ଆଉ ଫୁଟି ଉଠୁ ନାହିଁ । ଏହାର କାରଣ କ’ଣ?”

ପତ୍ନୀଙ୍କ ସନ୍ଦେହ ମୋଚନ କରିବାକୁ ଯାଇ ପତି କହିଲେ, “ପ୍ରକୃତରେ ଗତ କିଛିଦିନ ହେଲା ଜୀବନ ଖୁବ୍ ଗତାନୁଗତିକ ମନେ ହେଉଛି । କୌଣସି ଅପ୍ରତ୍ୟାଶିତ ଘଟଣା ଘଟିଲେ ସିନା ଜୀବନରେ ଚମକ ଓ ଆନନ୍ଦ ମିଳନ୍ତା ।”

ଚନ୍ଦ୍ରସେନ ସେମାନଙ୍କ କଥା ଶୁଣି ଏହା ସ୍ଥିର କଲେ ଯେ, କଳ୍ପନାତୀତ କୌଣସି ଆକସ୍ମିକ ଘଟଣା ସଂଘଟିତ ହେଲେ ଯାଇ ପ୍ରଜାଗଣଙ୍କର ଚିନ୍ତାଦୂର ହୋଇପାରିବ । ତେଣୁ ସେ ସ୍ଥିର କଲେ ଯେ କାଲି ମୁଁ କେତେଜଣଙ୍କର ଇଚ୍ଛା ଜାଣିବାକୁ ଚାହିଁବି ଏବଂ ସେମାନଙ୍କର ଇଚ୍ଛାର ସମ୍ପୂର୍ଣ୍ଣ ବିପରୀତ ଆକସ୍ମିକ ନିର୍ଣ୍ଣୟ ଗ୍ରହଣ କରିବି । ଏହା ଫଳରେ ସେମାନେ ଆନନ୍ଦ ଲାଭ କରିବେ ।

ପରଦିନ ଦରବାରକୁ ଯିବା ପୂର୍ବରୁ ରାଜା ସେବକର ପ୍ରଦତ୍ତ ପୋଷାକ ପରିଧାନ କଲେ । ସେ ତାହା ପିନ୍ଧି ସାରିବା ପରେ ସେବକ ଲକ୍ଷ୍ୟ କଲେ ଯେ କାନ୍ଧ ପାଖରେ ପୋଷାକର ସାମାନ୍ୟ ସିଲେଇ ଫିଟିଯାଇଛି । ସେ ଭୟଭୀତ ହୋଇ କହିଲା, “କ୍ଷମା କରନ୍ତୁ ମହାରାଜ, ମୁଁ ଅନ୍ୟ ଏକ ପୋଷାକ ଆଣିଦେଉଛି ।”

ଚନ୍ଦ୍ରସେନ ସେବକଙ୍କୁ ପ୍ରଶ୍ନ କଲେ “ରୁହ, ପ୍ରଥମେ ପ୍ରକାଶ କର ମୁଁ ଏବେ କ’ଣ କରିବା ପାଇଁ ଚାହୁଁଥିବି?” ସେବକ ସଙ୍କୁଚିତ୍ତ ହୋଇ ପ୍ରକାଶ କଲା “ମୋତେ ଦଣ୍ଡିତ କରିବେ । ଏହି ଛିନ୍ନ ପୋଷାକ ପରିଧାନ କରି ରାଜସଭାକୁ ଯିବେ ନାହିଁ ।”

“ମୁଁ ତୁମକୁ କୌଣସି ଦଣ୍ଡ ଦେବି ନାହିଁ । ଏହି ପୋଷାକ ପିନ୍ଧି ଦରବାରକୁ ଯିବି ।” ତା’ର ଚିନ୍ତାର ବିପରୀତ ନିଷ୍ପତି ନେଇ ଚନ୍ଦ୍ରସେନ ରାଜସଭାକୁ ବାହାରିଲେ । ସଭାକାର୍ଯ୍ୟ ଯଥାରୀତି ଆରମ୍ଭ ହୋଇଥାଏ । ବୃଦ୍ଧମନ୍ତ୍ରୀ ନିଜ ଆସନରେ ବସି ଢୁଳାଉଥାନ୍ତି । ଚନ୍ଦ୍ରସେନ ଏହା ଦେଖି ତାଙ୍କ ନିକଟରେ ବସିଥିବା ସଭାସଦଙ୍କୁ ଈଶାରା କଲେ ଓ ସେ ମନ୍ତ୍ରୀଙ୍କୁ ଉଠାଇଦେଲେ ।

ମନ୍ତ୍ରୀ ଧଡପଡ ହୋଇ ଉଠି ପଡି କହିଲେ, “କ୍ଷମା କରନ୍ତୁ ମହାରାଜ ।”

“ମହାମନ୍ତ୍ରୀ, ଏବେ ପ୍ରକାଶ କରନ୍ତୁ, ଏପରି ଆଚରଣ ପାଇଁ ମୋର ପ୍ରତିକ୍ରିୟା କ’ଣ ହେବ ।” ମନ୍ତ୍ରୀ କଳ୍ପନା ମଧ୍ୟ କରି ନ ଥିଲେ ଯେ ତାଙ୍କୁ ଏପରି ପ୍ରଶ୍ନ ପଚରାଯିବ । ସେ ଧୀରେ ଧୀରେ କହିଲେ “ସମ୍ଭବତଃ ଆପଣ କହିବେ, ଏପରି ଜଣେ ନିଦ୍ରାଳୁ ମନ୍ତ୍ରୀ ମୋ ଦରବାରରେ ସ୍ଥାନ ପାଇବା, ମୋ ପାଇଁ ଏକ ଲଜ୍ଜାର ବିଷୟ ।”

କିନ୍ତୁ ଠିକ୍ ଏହାର ବିପରୀତ କଥା କହିବା ଉଦ୍ଧେଶ୍ୟରେ ଚନ୍ଦ୍ରସେନ କହିଲେ, “ନା’ ଏହା ଏପରି କିଛି ଗୁରୁତର ତ୍ରୁଟି ନୁହେଁ । ଆପଣଙ୍କ ପରି ସୁଯୋଗ୍ୟ ମନ୍ତ୍ରୀ ପାଇ ମୁଁ ଅତ୍ୟନ୍ତ ଗର୍ବିତ ।”

ଏହା ଶୁଣି ସମସ୍ତେ ହସରେ ଫାଟି ପଡିଲେ, କାରଣ ସେମାନେ ଭାବିଲେ ମହାରାଜ ଜାଣିଶୁଣି ଏପରି ବ୍ୟଙ୍ଗୋକ୍ତି କରିଛନ୍ତି । ମନ୍ତ୍ରୀ ମଧ୍ୟ ଅପମାନରେ ନିଜ ମୁଣ୍ଡ ତଳକୁ କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ