ଯାତ୍ରା ସମୟରେ ସ୍ୱାମୀଜୀ ଲକ୍ଷ୍ୟକଲେ ସେ ବୃଦ୍ଧଜଣକ ଗଭୀର ନିଷ୍ଠା ସହିତ କେତେବେଳେ ପୁସ୍ତକ ଅଧ୍ୟୟନ କରୁଛନ୍ତି ତ ପୁଣି ଆଉ କେତେବେଳେ କ’ଣ ଗୁଡିଏ ଲେଖିପକାଉଛନ୍ତି । ସେ ପଢିବା ଆଉ ଲେଖିବାରେ ଏତେ ମାତ୍ରାରେ ମଜ୍ଜି ଯାଇଛନ୍ତି ଯେ ସେ ତାଙ୍କର ଟିକିଏ ହେଲେ ବି ସମୟ ନଷ୍ଟ କରୁନାହାଁନ୍ତି ।
ସେ ଜାହାଜରେ ଅନ୍ୟ ଯାତ୍ରୀଙ୍କ ଭଳି ପରସ୍ପର ବାର୍ତ୍ତାଳାପ, ଶୋଇବା, ବସିବା ଆଦି ସମୟ ନଷ୍ଟ କରୁଥିବା ସ୍ୱାମୀଜୀ ବୃଦ୍ଧଙ୍କର ଲେଖାପଢାରେ ଗଭୀର ନିଷ୍ଠା ଥିବା ଦେଖି ବିସ୍ମିତ ହୋଇଗଲେ । ତା’ପରେ ସ୍ୱାମୀ ରାମତୀର୍ଥ ସେ ବୃଦ୍ଧଙ୍କ ନିକଟକୁ ଯାଇ ଦେଖିଲେ ତାଙ୍କ ହାତରେ ଚୀନ ଭାଷାର ପୁସ୍ତକ । କିଛି ସମୟ ନିରୀକ୍ଷଣ କଲାପରେ ସ୍ୱାମୀଜୀ ଜାଣିବାକୁ ପାଇଲେ ଯେ, ସେ ବୃଦ୍ଧ ଜଣକ ଚୀନଭାଷା ଶିଖୁଛନ୍ତି ।
ତହୁଁ ସ୍ୱାମୀ ରାମତୀର୍ଥ ନିଜକୁ ଜଣେ ଇଣ୍ଡିଆନ ବୋଲି ପରିଚୟ ଦେଇ କହିଲେ, “କ୍ଷମା କରିବେ ମହାଭାଗ! ଆପଣ ତ ଅତିଶୟ ବୃଦ୍ଧ ଏବଂ ଦୁର୍ବଳ ଶରୀରଧାରୀ ମଣିଷଟିଏ ମଧ୍ୟ । ମାତ୍ର ଆପଣ ଏ ବୟସରେ କିଭଳି ଏକ କଠିନ ଭାଷା ଶିଖିପାରିବେ ଏବଂ ଏହାଦ୍ୱାରା ଆପଣଙ୍କର ଲାଭ ବା କ’ଣ ହେବ?”
ଏହାଶୁଣି ସେ ବୃଦ୍ଧ ଜଣକ ସ୍ୱାମୀଜୀଙ୍କୁ ବିସ୍ମୟ ସହକାରେ ଚାହିଁ ରହିଲେ । ପରେ ଟିକିଏ ବିଦ୍ରୂପଭରା ହସ ହସିଦେଇ ସେ ପଚାରିଲେ, “ଆପଣ ପ୍ରଥମେ ଆପଣଙ୍କର ବୟସ କେତେ କୁହନ୍ତୁ ତ?”
ତହୁଁ ରାମତୀର୍ଥ କହିଲେ “ମୋତେ ତିରିଶ ବର୍ଷ” ।
ବୃଦ୍ଧ ପୁଣି ହସି ହସି କହିଲେ, “ଦୁଃଖ ଲାଗୁଛି ଆପଣ ଏଭଳି ଯୁବ ବୟସରେ ଯାତ୍ରା ବାହାନାରେ ନିଜର ବହୁମୂଲ୍ୟ ସମୟ ବୃଥା ନଷ୍ଟ କରିଦେଉଛନ୍ତି । ଗଲା ସମୟ କଦାପି ମଧ୍ୟ ଆଉ ଫେରି ଆସି ପାରିବ ନାହିଁ । ହେଲେ ମୁଁ ତ ଆପଣଙ୍କ ଭଳି ଶୋଚନା କରୁନାହିଁ । ଏ ବୟସରେ ମୁଁ ଗୋଟିଏ କଷ୍ଟ ଭାଷା ଶିଖି ପାରିବି କି ନାହିଁ । ଆଉ ଯଦି ବା ଶିଖିଯାଏ, ତେବେ ତାହା ମୋର କି କାମରେ ଆସିବ ବୋଲି ଆପଣ ସନ୍ଦେହରେ ଅଛନ୍ତି । ମାତ୍ର ମୋର ଉଦ୍ଧେଶ୍ୟ ହେଲା, ଯେ ପର୍ଯ୍ୟନ୍ତ ମୁଁ ବଂଚିଥିବି ସେ ପର୍ଯ୍ୟନ୍ତ ମୁଁ କିଛି ନା କିଛି ଶିକ୍ଷାଲାଭ କରି ଚାଲିଥିବି । ସଂସାରରୂପୀ ଏ ପାଠଶାଳାରୁ ତ ମଲାଯାଏଁ କିଛି ନା କିଛି ଶିଖିବାକୁ ହିଁ ହୋଇଥାଏ । ଯେଉଁମାନେ ଶିକ୍ଷା ଗ୍ରହଣ ଶେଷ ହୋଇଗଲା ଭାବି ନିଶ୍ଚଳ ଭାବେ ରହିଯାଆନ୍ତି ସେମାନେ ପଛେଇ ଯାଆନ୍ତି । ଏହା ବୋଧେ ଆପଣ ଭୁଲି ଯାଇଛନ୍ତି ଯେ, ଶିକ୍ଷାଲାଭର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥାଏ ।”
ସେ ବୃଦ୍ଧ ଜଣକ ପୁନଶ୍ଚ ହସି ହସି କହିଲେ “ମୁଁ କେବେହେଲେ ଚିନ୍ତା କରିନାହିଁ କେତେଦିନ ପାଇଁ ବଂଚିରହିବି ବୋଲି । ମୃତ୍ୟୁ କଦାପି ମଧ୍ୟ ବୟସକୁ ଦେଖି ଆସିନଥାଏ । ଏହା ତ ଯେକୌଣସି ମୁହୂର୍ତ୍ତରେ ବି ଆସିଯାଇପାରେ । ହେଲେ ଆପଣଙ୍କ କଥାବାର୍ତ୍ତାରୁ ଆପଣଙ୍କ ଶୋଚନାର ପରିଚୟ ମିଳୁଛି । କେବଳ ଏହିଭଳି ଶୋଚନା ନକରାତ୍ମକ ଚିନ୍ତାଧାରା କାରଣରୁ ହିଁ ଆପଣଙ୍କର ଦେଶ ଆଜି ମଧ୍ୟ ପଛରେ ପଡିରହିଛି ।”
ଏଥର ସ୍ୱାମୀ ରାମତୀର୍ଥ ସେ ବୃଦ୍ଧଙ୍କ ଏଭଳି କଥା ଶୁଣି ଲଜ୍ଜିତ ହୋଇଗଲେ । ନିଜେ ବୃଦ୍ଧଙ୍କ ପ୍ରତି କହିଥିବା କଥା ପାଇଁ କ୍ଷମା ପ୍ରାର୍ଥନା କରି କହିଲେ, “ଆପଣ ଠିକ୍ କହିଛନ୍ତି ମହାଶୟ! ମୁଁ ଉଚ୍ଚଶିକ୍ଷାପାଇଁ ଜାପାନ ଗସ୍ତ କରୁଛି, କିନ୍ତୁ ଏବେ ମୋର ହୃଦବୋଧ ହେଲା ଯେ ଜୀବନର ଅତିମୂଲ୍ୟବାନ ଓ ପ୍ରଥମ ପାଠ ଆପଣ ମୋତେ ଏଇ ଜଳଯାତ୍ରାକାଳରେ ହିଁ ଶିଖାଇଲେ । ଏହାହିଁ ଜୀବନ ବିଦ୍ୟାଳୟର ମୂଲ୍ୟବାନ ଶିକ୍ଷା ।”
ଏକଥା ସେ ବୃଦ୍ଧ ଜଣକ ଶୁଣି ମଧ୍ୟ ତିଳେମାତ୍ର ପ୍ରତିକ୍ରିୟା ପ୍ରକାଣ ନକରି ପୁନଶ୍ଚ ନିଜକାର୍ଯ୍ୟରେ ବ୍ୟସ୍ତ ରହିଲେ ।