“ଏଥିରେ ଅବିଶ୍ୱାସ କରିବାର କ’ଣ ଅଛି? ମୁଁ ଜ୍ୟୋତିଷ ବିଦ୍ୟାରେ ଧୂରନ୍ଧର । ହାତ, ପାଦ, କପାଳର ରେଖା ଦେଖି ମୁଁ ଅତୀତ, ବର୍ତମାନ, ଭବିଷ୍ୟତ ସମ୍ପର୍କରେ କହିଦେଇ ପାରିବି ।” ଏହା କହୁ କହୁ ପ୍ରଥମ ପଣ୍ଡିତ ଦେଖିଲେ ଭୂମି ଉପରେ କୌଣସି ଲୋକର ପାଦ ଚିହ୍ନ ପଡିଅଛି । ସେଥିରେ ପଦ୍ମର ଆକୃତି ରହିଥିବା ଲକ୍ଷ୍ୟ କଲେ ଏବଂ କହିଲେ, ଏହା ସାଧାରଣ ଲୋକର ପାଦଚିହ୍ନ ନୁହେଁ, ଏହା କୌଣସି ରାଜାଙ୍କର ।
ଏହା ନିଶ୍ଚିତଯେ କେହି ରାଜା ଏହି ରାସ୍ତାରେ ଖାଲି ପାଦରେ ଚାଲି ଚାଲି ଯାଇଛନ୍ତି, ସେ ନିଜ ବନ୍ଧୁ ଦ୍ୱିତୟ ପଣ୍ଡିତଙ୍କୁ ସାଥିରେ ଧରି ସେଇ ପଦଚିହ୍ନ ଅନୁସରଣ କରି ଆଗେଇଲେ । କିଛି ଦୂରଗଲା ପରେ ଦେଖିଲେ ଗୋଟିଏ ଗଛମୂଳେ ଜଣେ କାଠୁରିଆ ବିଶ୍ରାମ କରୁଛି । ପାଖରେ କାଠ ଗୋଚ୍ଛା ଥୁଆ ହୋଇଛି ।
ପ୍ରଥମ ପଣ୍ଡିତ ପାଖକୁ ଯାଇ ପଚାରିଲେ, “ତମେ ଏଠାରେ କେତେବେଳୁ ଅଛ? ଏଇ ବାଟ ଦେଇ କୌଣସି ଲୋକ ଯିବାର ଦେଖିଛକି?”
“ମୁଁ ଭୋର ସକାଳ ଠାରୁ ଏଠାକୁ ଆସିଛି । ଅନ୍ୟ କୌଣସି ଲୋକଙ୍କୁ ମୁଁ ଦେଖି ନାହିଁ ।” କାଠୁରିଆର କଥା ଶୁଣି ପଣ୍ଡିତେ ତାର ପାଦ ଦେଖିବାକୁ ଚାହିଁଲେ ।
କାଠୁରିଆର ପାଦ ପଦ୍ମ ଆକୃତିର ହୋଇଥିବା ଦେଖି ପଣ୍ଡିତ ଆଶ୍ଚର୍ଯ୍ୟ ହେଲେ । କାରଣ ସେ ରାଜା ହେବା ବଦଳରେ କାଠୁରିଆ ହେଲା କିପରି?
ଦ୍ୱିତୀୟ ପଣ୍ଡିତ କହିଲେ, “ଏବେ କୁହ ବନ୍ଧୁ? ତମ ଗଣନା ଭୁଲ୍ କି ନୁହେଁ? କେମିତି ପ୍ରମାଣ କରି ପାରିବା ଯେ ପଦ୍ମାକୃତି ପାଦ ଥିବା ଲୋକ ନିଶ୍ଚିତ ଭାବରେ ଜଣେ ରାଜା ହୋଇଥିବ?”
କାଠୁରିଆକୁ ପଚାରିବାରୁ ସେ କହିଲା, “ମୁଁ ଉଜ୍ଜୟିନୀର ଜଣେ ନାଗରିକ । ହେତୁ ହେବା ଠାରୁ ଜଙ୍ଗଲରୁ କାଠ କାଟି ବିକ୍ରିକରି ଜୀବିକା ନିର୍ବାହ କରୁଅଛି । ମୋର ସେହି ଭାଗ୍ୟ କାହିଁ ଯେ ମୁଁ ରାଜା ହୋଇ ପାରିବି?”
ପଣ୍ଡିତଙ୍କ ଅକଲ ଗୁଡୁମ୍ । ଅନେକ ତର୍ଜମା କରି ମଧ୍ୟ କିଛି ଫଳ ପାଇଲେ ନାହିଁ । ତେବେ କ’ଣ ପୁସ୍ତକଗତ ଜ୍ଞାନର କିଛି ମୂଲ୍ୟ ନାହିଁ? ତଥାପି ସେ କହିଲେ, “ବନ୍ଧୁ! ମୁଁ ଜଣକର ପାଦ ଦେଖିବାକୁ ଚାହେଁ । ମୋ ସହିତ ଆସ ଉଜ୍ଜୟିନୀ ନଗରୀକୁ ।”
ଦୁଇ ପଣ୍ଡିତ ଯାଇ ମହାରାଜ ବିକ୍ରମାଦିତ୍ୟଙ୍କ ପାଖରେ ପହଁଚିଲେ । ମହାରାଜ ସେମାନଙ୍କର ଆଦର ସତ୍କାରକରି ଆଗମନର ଉଦ୍ଧେଶ୍ୟ ସମ୍ପର୍କରେ ପ୍ରଶ୍ନକଲେ ।
ପ୍ରଥମ ପଣ୍ଡିତ କହିଲେ, “ମହାରାଜ! ମୁଁ ଆପଣଙ୍କ ପାଦ ଦେଖି କିଛି ଗଣନା କରିବାକୁ ଚାହେଁ ।”
ମହାରାଜ ଖୁସି ହୋଇ ନିଜର ପାଦ ଦୁଇଟା ଦେଖାଇ ଦେଲେ । ପଣ୍ଡିତ ମହାଶୟ ରାଜାଙ୍କର ପାଦ ଦେଖି ଉଦାସ ହୋଇଗଲେ । କାରଣ ତାଙ୍କର ପାଦ ଦୁଇଟି ଥିଲା ଜଣେ ସାଧାରଣ ଲୋକପରି । ରାଜା ହେବାର କୌଣସି ଲକ୍ଷଣ ନ ଥିଲା ସେଥିରେ ।
ବିକ୍ରମାଦିତ୍ୟ ପଚାରିଲେ, “ପଣ୍ଡିତ ମହାଶୟ! ଆପଣ ପ୍ରଥମେ ଖୁବ୍ ଆନନ୍ଦିତ ଥିଲେ ମାତ୍ର ମୋର ପାଦ ଦେଖିବା ପରେ ଉଦାସ ହୋଇଗଲେ କାହିଁକି?”
ପଣ୍ଡିତ ଦୁହେଁ ପ୍ରଥମରୁ ଶେଷଯାଏଁ ସବୁକଥା କହିଲେ । ସେମାନଙ୍କ କଥାଶୁଣି ମହାରାଜ କହିଲେ, “ମୁଁ ସବୁ ଜାଣେ । ଜଙ୍ଗଲରେ ଯେଉଁ କାଠୁରିଆକୁ ଦେଖିଥିଲ ସେ ଥିଲି ମୁଁ । ତମର ଜ୍ଞାନ ପ୍ରତି ଆଶଙ୍କା ଜାତ ହୋଇଥିବା ଜାଣି ମୁଁ ଉଚ୍ଚିତ୍ ଜ୍ଞାନ ଦେବାପାଇଁ ମୋ ପାଦକୁ ପଦ୍ମ ଆକୃତିର ଆବୃତ କରି ଥିଲି, ପ୍ରକୃତରେ ପ୍ରତ୍ୟକ୍ଷଜ୍ଞାନ ଓ ପରୋକ୍ଷଜ୍ଞାନ ମଧ୍ୟରେ ଅନେକ ତଫାତ୍ ଥାଏ । ଯିଏ ପ୍ରକୃତ ଜ୍ଞାନୀ ସେ କେବେ ପରୀକ୍ଷା ଦେବାକୁ ଡରି ନଥାଏ । ପୁସ୍ତକଗତ ଜ୍ଞାନ ଓ ପରୋକ୍ଷଜ୍ଞାନ ମଧ୍ୟରେ ଅନେକ ତଫାତ୍ ଥାଏ । ଯିଏ ପ୍ରକୃତ ଜ୍ଞାନୀ ସେ କେବେ ପରୀକ୍ଷା ଦେବାକୁ ଡରି ନଥାଏ । ପୁସ୍ତକଗତ ଜ୍ଞାନକୁ ତର୍ଜମା କରି ନିଜକୁ ସଠିକ୍ ମାର୍ଗରେ ପରିଚାଳିତ କରିପାରିଲେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ।
କାହାଣୀ ଶୁଣି ଭୋଜରାଜ ନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ତୁଳନା କରିବାକୁ ଚାହିଁଲେ ନାହିଁ । ନୀରବରେ ନିଜ ଉଆସ ଅଭିମୁଖେ ଅଗ୍ରସର ହେଲେ ।