ପରଦିନ ଭୋଜରାଜ ସିଂହାସନ ଆରୋହଣ କରିବାକୁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ଜୟଲକ୍ଷ୍ମୀ ଛିଡାହୋଇ କହିଲା, “ମଣିମା! ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିଚାରକରି ଦେଖିବେ ଆପଣ କେତେଦୂର ଯୋଗ୍ୟ ଏମିତି ଏକ ବିଶିଷ୍ଟ ସିଂହାସନରେ ଉପବେଶନ କରିବା ପାଇଁ ।”
ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଭାଟ ଏବଂ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେମାନେ ଖୁବ୍ ଗରିବ ହୋଇଥିଲେ ମଧ୍ୟ ଏକଥା କେବେ କାହାକୁ ଜାଣିବାକୁ ଦେଉ ନଥିଲେ । ସେମାନେ ଯେତେବେଳେ ଯାହା ପାଉଥିଲେ ସେତିକିରେ ସନ୍ତୁଷ୍ଟ ରହୁଥିଲେ।
ଭାଟ ନିଜର ସ୍ୱଭାବ ସୁଲଭ ଚତୁରତା, ବୁଦ୍ଧିମତା ବଳରେ ଲୋକଙ୍କର ମନୋରଞ୍ଜନ କରି ଯାହା ରୋଜଗାର କରୁଥିଲେ, ସେଥିରେ ପରିବାର ଚଳାଉଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ କେବେ କିଛି ଅଭିଯୋଗ କରୁ ନଥିଲେ । ମାତ୍ର ଝିଅ ବିବାହଯୋଗ୍ୟା ହୋଇଯିବା ପରେ ଦିନେ ସେ ସ୍ୱାମୀଙ୍କୁ କହିଲେ, “ଦେଖ! ଆମ ଝିଅ ବଡ ହୋଇଗଲାଣି । ଏଣିକି କିଛି ସଂଚୟକର । ତା’ର ବିବାହ କିପରି ହୋଇ ପାରିବ ସେଦିଗରେ ଯତ୍ନବାନ୍ ହୁଅ ।”
ଭାଟ କହିଲେ, “ତମେ ଆଦୌ ଚିନ୍ତା କରନାହିଁ । ଭଗବାନ୍ ଚାହିଁଲେ ସବୁଠିକ୍ ହୋଇଯିବ । ସେ ଆମ ସମସ୍ତଙ୍କୁ ଜନ୍ମ ଦେଇଛନ୍ତି ଯେତେବେଳେ ସବୁ ସେ ବୁଝିବେ ।” ତାଙ୍କ ସ୍ତ୍ରୀ ଅନୁମାନ କରିପାରିଲେ ଯେ ଭାଟ କେମିତି ନିଜର ଦାୟିତ୍ୱ ଭଗବାନଙ୍କ ଉପରେ ଛାଡିଦେଇ ନିଶ୍ଚିନ୍ତ ରହିଛନ୍ତି ।
ଠିକ୍ ଅନୁରୂପ ଭାବରେ ଭାଟଙ୍କ ବନ୍ଧୁ ବ୍ରାହ୍ମଣଙ୍କ କାହାଣୀ । ସେ ଯଜମାନଗିରି କରି ଯେତେବେଳେ ଯାହା ପାଉଥିଲେ ସେଥିରେ ଚଳୁଥିଲେ । ତାଙ୍କର ମଧ୍ୟ ଗୋଟିଏ ବିବାହଯୋଗ୍ୟା ଝିଅ ଥିଲା । ମାତ୍ର ସେ ତା’ର ବିବାହ ପାଇଁ କିଛି ବ୍ୟବସ୍ଥା କରି ନ ପାରି ନିଜକୁ ଅସହାୟ ମଣୁଥିଲେ । ବ୍ରାହ୍ମଣୀ ଯେତେ ବ୍ୟସ୍ତ ବିବ୍ରତ ହୋଇ ବୁଝାଇଲେ ମଧ୍ୟ କ’ଣ କରିବେ ଠିକ୍ କରି ପାରୁ ନଥିଲେ । ଝିଅର ଭବିଷ୍ୟତକଥା ଚିନ୍ତା କରି ବ୍ରାହ୍ମଣୀ ଖୁବ୍ ଦୁଃଖରେ କାଳ କାଟୁଥିଲେ ।