ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜୟଲକ୍ଷ୍ମୀ କଥା

       ଆଉଦିନେ ଭାଟଙ୍କ ସ୍ତ୍ରୀ ଝିଅର ବିବାହ ପ୍ରସଙ୍ଗ ଉଠାଇ ସେ ଦିଗରେ ଆଶୁ ପଦକ୍ଷେପ ନେବାକୁ ଜୋର ଦେବାରୁ ଭାଟ ମହୋଦୟ ମନେ ମନେ ଚିନ୍ତାକଲେ ଯେମିତି ହେଉନା କାହିଁକି ସେ ବିଭିନ୍ନ ରାଜ୍ୟକୁ ଯାଇ ଉଦ୍ୟମ କରିବେ । ପରଦିନଠାରୁ ସେ ତାଙ୍କର ଗସ୍ତ ଆରମ୍ଭ କଲେ । ବଡ ବଡ ଧନୀ, ଶେଠ୍, ବ୍ୟବସାୟୀମାନଙ୍କୁ ଭେଟି ସେମାନଙ୍କର ମନୋରଞ୍ଜନ କରି ଅପର୍ଯ୍ୟାପ୍ତ ଧନ ସଂଗ୍ରହକଲେ । ଝିଅ ବିଭାଘର ସମ୍ପର୍କରେ କେତେ ଯୋଜନା କରି ଘରକୁ ଫେରୁଥିବା ବେଳେ ବାଟରେ ଶୂନ୍ଶାନ୍ ନିର୍ଜନ ପରିବେଶର ସୁଯୋଗ ନେଇ କେତେକ ଡକାୟତ ସବୁ ଧନ ଲୁଣ୍ଠନ କରିନେଇଗଲେ । ଉଦାସ ମନନେଇ ଭାଟ ଘରକୁ ଫେରିଲେ । ତାଙ୍କ ସ୍ତ୍ରୀ ପଚାରିବାରୁ କହିଲେ, “ସବୁ ସେଇ ଭଗବାନଙ୍କ ଇଚ୍ଛା । ସେ ଚାହିଁଲେ ଅସମ୍ଭବ ସମ୍ଭବ ହୋଇପାରେ । ମୋର ଧନ ଉପାର୍ଜ୍ଜନ ପୁଣି ତାହା ଡକାୟତଙ୍କ ଦ୍ୱାରା ଲୁଣ୍ଠନ ସବୁ ସେଇ ପ୍ରଭୁଙ୍କର ଇଚ୍ଛା । ମୁଁ କହୁଥିଲି ନା ଭଗବାନ୍ ହୁଏତ ଏବେ ଆମ ଝିଅର ବିବାହ ଚାହାଁନ୍ତି ନାହିଁ । ନ ହେଲେ କ’ଣ ଏମିତି ଘଟିଥା’ନ୍ତା?

       “ଭଗବାନ୍, ଭଗବାନ୍, ଭଗବାନ୍;” ଗର୍ଜି ଉଠିଲେ ଭାଟଙ୍କ ସ୍ତ୍ରୀ । ସବୁକଥାରେ ଭଗବାନଙ୍କ ନାମ ନେଉଛ କାହିଁକି? ଭଗବାନ୍ କ’ଣ ମହାରାଜ ବିକ୍ରମାଦିତ୍ୟଙ୍କ ରୂପରେ ତମ ଦୁଆରକୁ ଆସିବେ ଆଉ ଅନୁରୋଧ କରି କହିବେ, ଭାଟ ପ୍ରବର! ଏଇ ଟଙ୍କା ନିଅ ଏବଂ ତମ ଝିଅର ବିବାହ କର ଆଉ ସୁଖରେ ରୁହ ।”

       ତାହା ମଧ୍ୟ ଅସମ୍ଭବ ନୁହେଁ । ଭଗବାନ୍ ଇଚ୍ଛାକଲେ ମହାରାଜ ବିକ୍ରମାଦିତ୍ୟଙ୍କ କଣ୍ଠରେ ବସି ଆମ ପାଇଁ ସବୁ ବ୍ୟବସ୍ଥା କରିବେ । ତମେ କେବଳ ଧୈର୍ଯ୍ୟର ସହିତ ଅପେକ୍ଷା କରି ପାରିଲେ ହେଲା ।

         ମହାରାଜ ବିକ୍ରମାଦିତ୍ୟ ବାହାରେ ଥାଇ ଭାଟ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା କଥାବାର୍ତାକୁ ଶୁଣୁଥିଲେ । ଭଗବାନଙ୍କ ଉପରେ ଥିବା ଭାଟଙ୍କର ଅଖଣ୍ଡ ବିଶ୍ୱାସକୁ ତର୍ଜମା କରୁ କରୁ ସେ ଯାଇ ପହଁଚିଲେ ବ୍ରାହ୍ମଣଙ୍କ ଘର ପାଖରେ । ସେତେବେଳେ ବ୍ରାହ୍ମଣୀ ଉତ୍କ୍ଷିପ୍ତା ହୋଇ କହୁଥାଏ; “ଏଯାଏଁ ଯେତେ କହିଲି କିଛି ତ କାନକୁ ନେଲ ନାହିଁ । ଝିଅ ବାହାଘର ହେବ କେମିତି? ମୋ କଥା ମାନି ତମେ ଥରେ ମହାରାଜ ବିକ୍ରମାଦିତ୍ୟଙ୍କ ଦରବାରକୁ ଯାଅ ଛୋଟ, ବଡ, ସବୁ ପଣ୍ଡିତଙ୍କୁ ସେ ଆଦର କରନ୍ତି । ତମେତ ସଂସ୍କୃତରେ ଏତେବଡ ପଣ୍ଡିତ । ଦିନେ ଯାଇ ମହାରାଜଙ୍କ ଦୃଷ୍ଟି ଆକର୍ଷଣ କର । ସେ ନିଶ୍ଚୟ ତମକୁ ସାହାଯ୍ୟ କରିବେ ।

       ଭାଟ ଏବଂ ବ୍ରାହ୍ମଣ ଘରର କଥା ଶୁଣି ଉଆସକୁ ଫେରିବା ପରେ ମହାରାଜ ପରଦିନ ସକାଳେ ଦୂତ ପଠାଇ ଭାଟ ଏବଂ ବ୍ରାହ୍ମଣଙ୍କୁ ଦରବାରକୁ ଡକାଇ ପଠାଇଲେ । ସେମାନେ ନାନା ଆଶଙ୍କା ମଧ୍ୟରେ ଆସି ଉପସ୍ଥିତ ହୋଇ ମହାରାଜଙ୍କୁ ପ୍ରଣାମ କଲେ ।

       ମହାରାଜ ଝିଅ ବିବାହ ପାଇଁ ଭାଟକୁ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ଏବଂ ବ୍ରାହ୍ମଣକୁ ପାଂଚହଜାର ସ୍ୱର୍ଣ୍ଣ ମୁଦ୍ରା ଦେଇ କହିଲେ, “ଚିନ୍ତା କର ନାହିଁ । ଏ ଅର୍ଥ ତମକୁ ଫେରାଇବାକୁ ପଡିବ ନାହିଁ । ନିଜ ନିଜ ଝିଅ ବିଭାଘରରେ ଖର୍ଚ୍ଚ କରିବ ।

       ଭାଟ ଏବଂ ବ୍ରାହ୍ମଣ ମହାରାଜଙ୍କୁ ଅଭିବାଦନ କରି ଚାଲିଯିବା ପରେ ଜଣେ ଦରବାରୀ କହିଲା, “ମହାରାଜ! ଆପଣ ଭାଟ ଏବଂ ବ୍ରାହ୍ମଣଙ୍କୁ ଅନୁଦାନ ପ୍ରଦାନ କ୍ଷେତ୍ରରେ ପକ୍ଷପାତ କଲେ କାହିଁକି?”

       “ଜଣକୁ ଲକ୍ଷେ ତ ଅନ୍ୟଜଣକୁ ମାତ୍ର ପାଂଚହଜାର ଦେଲେ କାହିଁକି?”

       ମହାରାଜ ବୁଝାଇ ଦେଲେ, “ଭାଟର ଆପ୍ରାଣ ଚେଷ୍ଟା ଏବଂ କର୍ମ ସହ ଅତୁଟ ଈଶ୍ୱରଭକ୍ତି ରହିଛି । ସେ ମୋ ସହାୟତା ଅପେକ୍ଷା ଭଗବାନଙ୍କ ଉପରେ ଅଧିକ ଆତ୍ମ ବିଶ୍ୱାସ ରଖିଥିଲା । ଅଥଚ ବ୍ରାହ୍ମଣର ଆଦୌ ଆପ୍ରାଣ ଚେଷ୍ଟା ଏବଂ କର୍ମ ସହ ଅତୁଟ ଈଶ୍ୱର ବିଶ୍ୱାସ ନାହିଁ । ସେ କେବଳ ମୋରି ଦାନରେ ଝିଅ ବାହାଘର କରିବାକୁ ଚାହୁଁଥିଲା । ତମେଇ କୁହ ଭଗବାନଙ୍କ ଦାନ ଓ ମୋ ଦାନ ମଧ୍ୟରେ କ’ଣ ପାର୍ଥକ୍ୟ ନାହିଁ” ।

       ଦରବାରରେ ସମସ୍ତେ ମହାରାଜଙ୍କ କଥାର ଅର୍ଥ ବୁଝିଗଲେ । କାହାଣୀ ଶୁଣାଇ ସାରି ପୁତ୍ତଳିକା କହିଲା, “ଆପଣ କ’ଣ ମହାରାଜ ବିକ୍ରମାଦିତ୍ୟଙ୍କ ପରି ହୋଇପାରିବେ?”

       ଭୋଜରାଜ ଅନ୍ୟ କିଛି ଯୁକ୍ତି ନଉଠାଇ ନୀରବରେ ସେ ସ୍ଥାନ ଛାଡି ଉଠିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ