ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜୟ ପରାଜୟ

                ସେ ବୁଲୁ ବୁଲୁ ଗୋଟିଏ ଖୋଲା ସ୍ଥାନରେ ଯାଇ ପହଁଚିଲା । ସେଠାରେ ଗୋଟିଏ ବରଗଛ ତଳେ ଜଣେ ଋଷି ଉପବିଷ୍ଟ ଥିଲେ । ବିନୟ ତାଙ୍କ ଆଗରେ ଚୁପ୍ଚାପ୍ ଠିଆ ହୋଇ ରହିଲା । ଫଳରେ ତାଙ୍କ ପ୍ରତି ବିନୟ ମନରେ ଭକ୍ତିଭାବ ଜାତ ହେଲା । ଯେତେବେଳେ ସେ ଋଷି ତାଙ୍କ ଆଖି ଖୋଲିଲେ, ସେତେବେଳେ ବିନୟ ତାଙ୍କୁ ନମସ୍କାର କଲା ।

                ବିନୟକୁ ଦେଖି ସେ ଋଷି ଖୁବ୍ ସଦୟ କଣ୍ଠରେ ପଚାରିଲେ “ସଂନ୍ଧ୍ୟା ତ ହୋଇ ଆସିଲଣି । ତଥାପି ବି ତୁ ଏ ବଣ ଭିତରେ ରହିଛୁ! ମୁଁ ତ ଦେଖୁଛି ତୋର ବେଶ୍ ସାହସ ଅଛି । ତୋର ସମସ୍ୟା କ’ଣ?”

                ଏହା ଶୁଣି ସେ ବିନୟ ଅଭିଭୂତ ହେଲା । ହଠାତ୍ ସେ କ’ଣ କହିବ ବୋଲି ଜାଣିପାରିଲାନି? କହିଲା, “ଋଷିବର! ମୁଁ ଆମ ଘରର ଗୋରୁ ଗାଈ ଧରି ଆସିଥିଲି । କିନ୍ତୁ ମଝିରେ ମୁଁ ଟିକେ ଶୋଇ ପଡିଲି । ମାତ୍ର ସେମାନେ ଏବେ ଗଲେ କୁଆଡେ?”

                ବିନୟର କଥା ଶୁଣି ଋଷି ଆଖି ବନ୍ଦ କରି ମୁହୂର୍ତ୍ତକ ପରେ ଆଖି ଖୋଲି କହିଲେ, “ବତ୍ସ! ଗୋରୁଗାଈମାନେ ସୂର୍ଯ୍ୟାସ୍ତ ସମୟ ଉପସ୍ଥିତ ହେବା ଦେଖି ଘରକୁ ଫେରି ଯାଇଛନ୍ତି । ଏଥର ତୁ ବି ତୋ ଘରକୁ ଯା । ତେବେ ଏ ବଣ ଭିତରେ ବହୁତ ଭୟଙ୍କର ଜନ୍ତୁ ଅଛନ୍ତି । ତେଣୁ ତୁ ଏ ଫୁଲଟି ସାଥିରେ ରଖିଥା । ଏହା ତୋ’ପାଖରେ ଥିଲେ କୌଣସି ଜନ୍ତୁ ବି ତୋର କିଛି ହେଲେ ମଧ୍ୟ ଅନିଷ୍ଟ କରିବେ ନାହିଁ ।”

                ଋଷିଙ୍କ ଆଜ୍ଞା ପାଳନ ପୂର୍ବକ ବିନୟ ସେହି ଫୁଲଟି ଗ୍ରହଣ କରି ସାହସ ସଂଚୟ କରି କହିଲା, “ଋଷିବର! ମୋ ମା’ କହନ୍ତି, ମୁନି ଋଷିଙ୍କ ବର ଦ୍ୱାରା ମଣିଷ କୁଆଡେ ଅସମ୍ଭବକୁ ବି ସମ୍ଭବ କରିପାରେ । ମୋ ଦେଇ ତ ପାଠପଢା ହେଲା ନାହିଁ । ତେଣୁ ମୋତେ ଆପଣ ଏପରି କିଛି ମନ୍ତ୍ର ତନ୍ତ୍ର ଦିଅନ୍ତୁ, ଯାହା ଦ୍ୱାରା କି ମୁଁ କୌଣସି ଅଦ୍ଭୁତ କାମ କରିପାରିବି ।”

ତହୁଁ ସେ ଋଷି କହିଲେ, “ବତ୍ସ! ମନ୍ତ୍ର ତନ୍ତ୍ର ଦ୍ୱାରା ଅଦ୍ଭୁତ କାମ ବି କରାଯାଇ ପାରେ, କିନ୍ତୁ ସେଥିରେ ତୋର ବିଶେଷ କିଛି ଉନ୍ନତି ହେବ ନାହିଁ । ପ୍ରକୃତ ଉନ୍ନତି ହେଲା ଚେତନାର ବିକାଶ । ତୁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥା । ସବୁଦିନ ଦେବୀ ସରସ୍ୱତୀଙ୍କୁ ପ୍ରଣାମ କରି ତୁ ଅଧ୍ୟୟନ କର । ପାଠ କାହିଁକି ହେବନାହିଁ? ମୁଁ ତୋତେ ଆଶୀର୍ବାଦ ଦେଉଛି । ତୋର ନିଶ୍ଚୟ ପାଠ ହେବ ।”

ଏଥୁଅନ୍ତେ ସେ ଋଷିଙ୍କୁ ପ୍ରଣାମ କରି ବିନୟ ତା’ ଘରକୁ ଫେରିଲା ଓ ଋଷି କହିବା ଅନୁସାରେ ସବୁ କାମ କଲା । ବାସ୍ତବିକ ପାଠ ପଢାରେ ତା’ର ମନ ଲାଗିଗଲା । ଅଳ୍ପଦିନ ଭିତରେ ସେ ବିନୟ ତା’ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବରେ ଉତୀର୍ଣ୍ଣ ହେଲା ।

ତା’ପରେ ବିନୟ ସେ ଋଷିଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣାମ କରି କହିଲା, “ହେ ମହାତ୍ମା! ଆପଣଙ୍କ ଆଶୀର୍ବାଦରୁ ମୁଁ ବିଦ୍ୟାର୍ଜନରେ ସଫଳ ହେଲି । କିନ୍ତୁ ଏଥିରେ ମୋ ମନକୁ କାହିଁକି ସନ୍ତୋଷ ଆସୁନାହିଁ ।”

ତା’ପରେ ସେ ଋଷି ବିନୟକୁ ବୁଝାଇ କହିଲେ “ବତ୍ସ! ମଣିଷର ଅନ୍ତରାତ୍ମା ଯାହା ଖୋଜୁଥାଏ, ତାହା ନ ପାଇବା ଯାଏଁ ଜଣେ କେବେବି ମଧ୍ୟ ସନ୍ତୁଷ୍ଟ ହୋଇପାରେ ନାହିଁ । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ତୁ ତୋ ମନ ବୁଦ୍ଧି ଦେଇ ଆଉ କିଛି କରିବୁ ନାହିଁ । ତୁ ଅମରାବତୀ ନଗରୀକୁ ଯାଇ ଜ୍ୱାଳାମୁଖ ନାମକ ଜଣେ ଯୋଦ୍ଧା ଓ ମଲ୍ଲବୀରଙ୍କୁ ସାକ୍ଷାତ କରି ତାଙ୍କୁ ମୁଁ ତୋତେ ପଠାଇଛି ବୋଲି କହିବୁ । ତାହେଲେ ଯାଇ ସେ ତୋତେ ରଣ କୌଶଳ ଓ କୁସ୍ତି କସରତ୍ ଶିଖାଇବେ ।”

ଋଷିଙ୍କ ପରାମର୍ଶ ଅନୁସାରେ ବିନୟ ଯାଇ ଅମରାବତୀର ଜ୍ୱାଳାମୁଖଙ୍କ ଶିଷ୍ୟ ହେଲା । ପାଂଚ ବର୍ଷରେ ସେ ଜଣେ ଅତ୍ୟନ୍ତ କୁଶଳୀ ଯୋଦ୍ଧାରେ ପରିଣତ ହେଲା । ଦିନେ ସେ ଜଣେ ବିଶିଷ୍ଟ ସାମନ୍ତଙ୍କ ଡାକରା ପାଇଲା । ସାମନ୍ତ ତାକୁ କହିଲେ, “ବିନୟ, ମୁଁ ଜ୍ୱାଳାମୁଖଙ୍କଠାରୁ ତୁମ ବିଷୟରେ ବହୁତ ଶୁଣିଛି । ମୋର ଜଣେ ଦେହରକ୍ଷୀ ପ୍ରୟୋଜନ । ତାକୁ ମୁଁ ଉପଯୁକ୍ତ ଅର୍ଥ ଦେବି । ତମେ ସେ ପଦବୀରେ ରହିବ?”

ଏକଥା ଶୁଣି ବିନୟ ଯାଇ ଋଷିଙ୍କୁ ଦେଖା କରି ସେ ବିଷୟରେ ପରାମର୍ଶ ମାଗିବା ସଙ୍ଗେ ସଙ୍ଗେ ଏହା ମଧ୍ୟ ସେ କହିଲା ଯେ, “ମହାତ୍ମା! ମୁଁ କ’ଣ ଜଣେ ଦେହରକ୍ଷୀ ହେବା ନିମନ୍ତେ ଏତେ ଯୁଦ୍ଧ ବିଦ୍ୟା ଶିଖିଲି?”


ଗପ ସାରଣୀ

ତାଲିକାଭୁକ୍ତ ଗପ