ଋଷି କହିଲେ “ନା ବତ୍ସ! ତୋ ଶିକ୍ଷା ଯଥା ସମୟରେ କାମରେ ଆସିବ । ତେବେ ଏକାବେଳେ ସବୁ କିଛି କେବେବି ହୋଇଯାଏ ନାହିଁ । ତୁ ଯାଇ ସେ କାମରେ ଯୋଗ ଦେ । ମୁଁ ତୋତେ ଆଶୀର୍ବାଦ ଦେଉଛି ।”
ବିନୟ ଯାଇ ସାମନ୍ତଙ୍କ ଦେହରକ୍ଷୀ ହେଲା । ବର୍ଷକ ପରେ ଦିନେ ମୟୁରୀ ରାଜ୍ୟର ମନ୍ତ୍ରୀ ସାମନ୍ତଙ୍କ ଘରକୁ ଆସିଥାନ୍ତି । ମନ୍ତ୍ରୀ ଓ ସାମନ୍ତ ତ ଘନିଷ୍ଠ ବନ୍ଧୁ ଥିଲେ । ମନ୍ତ୍ରୀ କହିଲେ, “ସାମନ୍ତ! ଆମ ରାଜକୋଷରେ ଅର୍ଥ ନାହିଁ । ଏଣେ ଲୋକଙ୍କ ଉପରେ ଅଧିକ କର ବସାଇବାକୁ ବି ରାଜା ପ୍ରସ୍ତୁତ ନୁହଁନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟରେ ଜନହିତକର କାର୍ଯ୍ୟ କିପରି ଯେ ହେବ ମୁଁ କିଛି ବୁଝିପାରୁ ନାହିଁ ।”
ଠିକ୍ ସେତିକିବେଳେ ବିନୟ ସେଠାକୁ କୌଣସି ଏକ କାମ ପାଇଁ ଆସିଥିଲା । ସେ ହସିଦେଲା । ମନ୍ତ୍ରୀ ତାହା ଲକ୍ଷ୍ୟ କରି ପଚାରିଲେ, “ତମେ କାହିଁକି ହସିଲ?”
ବିନୟ କହିଲା “ମନ୍ତ୍ରୀବର! ଆପଣମାନେ ଆୟର ଗୋଟିଏ ବିରାଟ ପନ୍ଥା ପ୍ରତି ଆଖି ବୁଜି ଦେଇଛନ୍ତି । କେବଳ ସେଇଥିପାଇଁ ମୁଁ ହସିଦେଲି ।”
ତାଙ୍କ କଥା ଶୁଣି ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ତାହା କି ପନ୍ଥା?”
ତହୁଁ ବିନୟ କହିଲା “ମନ୍ତ୍ରୀବର! ଗତ ଦୁଇବର୍ଷ ଧରି ମାଳୟ ଦ୍ୱୀପର ଶତାଧିକ ବଣିକ ଆମ ରାଜ୍ୟର ସହର ନଗରମାନଙ୍କରେ ସେମାନଙ୍କ ନାନାଦି ଚିଜ ବିକ୍ରୟ କରୁଛନ୍ତି । ସେମାନେ ନଗରର ଅଧ୍ୟକ୍ଷମାନଙ୍କୁ କିଛି କିଛି ଉପହାର ଦେଇ ଖୁସି କରିଦେଉଛନ୍ତି । ରାଜସରକାର କିନ୍ତୁ ସେମାନଙ୍କ ପାଖରୁ କିଛି ବି ଶୁଳ୍କ ଆଦାୟ କରୁ ନାହାଁନ୍ତି କିମ୍ବା ଅଧ୍ୟକ୍ଷମାନେ ସେ ପ୍ରସ୍ତାବ ମଧ୍ୟ ଦେଉ ନାହାଁନ୍ତି ।”
ଏସବୁ କଥା ଶୁଣି ସେ ମନ୍ତ୍ରୀ ନିରବ ରହିଲେ । ତହିଁ ପରଦିନ ସେ ସାମନ୍ତଙ୍କୁ କହିଲେ କି ବିନୟକୁ ସେ ନିଜ ପରାମର୍ଶଦାତା ରୂପେ ରଖିବାକୁ ଚାହାଁନ୍ତି । ସାମନ୍ତ ଏଥିରେ ରାଜି ହେଲେ । ତେଣୁ ବିନୟ ମନ୍ତ୍ରୀଙ୍କ ସହ ରାଜଧାନୀ ଗଲେ ।
ଦିନେ ରାଜଦରବାରରେ ଜଣେ କାପାଳିକ ଆସି ଉପସ୍ଥିତ ହେଲା । ସେ ରାଜାଙ୍କୁ କହିଲା, “ରାଜା! ମୋଠୁଁ ବଡ ତାନ୍ତ୍ରିକ ଆଉ କେହି ବି ନାହିଁ । ବହୁ ସିଦ୍ଧିର ଅଧିକାରୀ ହେବା ପରେ ଯାଇ ବର୍ତ୍ତମାନ ମୁଁ ସଂସାର ବାନ୍ଧିବାକୁ ଚାହେଁ । ମୁଁ ମୋ ଯାଦୁ ସାହାଯ୍ୟରେ ନଖଦର୍ପଣରେ ଦେଖିଲି ଯେ ରାଜକୁମାରୀହିଁ ଏ ଦେଶର ସବୁଠାରୁ ଅଧିକ ସୁନ୍ଦରୀ । ତେଣୁ ଏବେ ମୋ ସହ ତାଙ୍କ ବିବାହର ବ୍ୟବସ୍ଥା କର ।”
ଏ ଅପ୍ରତ୍ୟାଶିତ ପ୍ରସ୍ତାବରେ ରାଜା ଏଡେ ରାଗିଗଲେ ଯେ ସେ ନିଜ ଅସୀ କୋଷମୁକ୍ତ କଲେ, କିନ୍ତୁ ତତ୍କ୍ଷଣାତ୍ କାପାଳିକ ତା’ ଯାଦୁଦଣ୍ଡ ଦେଖାଇଦେବା ମାତ୍ରେ ରାଜାଙ୍କ ଡାହାଣ ହାତ ଆଉ ଚଳିଲା ନାହିଁ । ତା’ପରେ ସେ କାପାଳିକ ଅଟ୍ଟହାସ୍ୟ କରି କହିଲା, “ଯିଏ ବି ମୋତେ ବାଧା ଦେବାକୁ ଚେଷ୍ଟା କରିବ, ତା’ର ଅବସ୍ଥା ମଧ୍ୟ ଠିକ୍ ଏହିପରି ହେବ । ରାଜକୁମାରୀ ବର୍ତ୍ତମାନଠୁଁ ଚେତାଶୂନ୍ୟ ହୋଇ ରହିବେ । ମୁଁ ପନ୍ଦର ଦିନ ପରେ ଯାଇ ଅମାବାସ୍ୟା ଦିନ ହିଁ ଆସିବି । ଯଦି ତମେମାନେ ମୋ ପ୍ରସ୍ତାବ ଗ୍ରହଣ କରିବ, ତେବେ ରାଜକୁମାରୀ ସୁସ୍ଥ ହେବେ ।” ଏତିକି କହି ସେ କାପାଳିକ ସେଠାରୁ ଚାଲିଗଲା ।
ଏଣେ ରାଜା ବିମର୍ଷ ଭାବରେ ଘୋଷଣା କଲେ, “ଯିଏ ବି ସେ କାପାଳିକକୁ ଆଗାମୀ ପନ୍ଦରଦିନ ଭିତରେ ମାରିଦେଇ ପାରିବ, କେବଳ ସେ ହିଁ ମୋ କନ୍ୟାକୁ ବିଭା ହେବା ସଙ୍ଗେ ସଙ୍ଗେ ମୋ ଅନ୍ତେ ଏ ରାଜ୍ୟର ରାଜା ହେବ ।”
ବିନୟ ବଣ ଭିତରେ ଋଷିଙ୍କୁ ଭେଟି ସବୁ ଜଣାଇ କହିଲା, “ଋଷିବର! ମୁଁ ମନ୍ତ୍ରୀଙ୍କ ଉପଦେଷ୍ଟା ହୋଇ ମଧ୍ୟ ତୃପ୍ତ ନୁହେଁ । ମୁଁ ଯଦି ଏହି ସୁଯୋଗର ସଦୁପଯୋଗ କରି ପାରନ୍ତି, ତେବେ ମୁଁ ତୁଷ୍ଟ ହୁଅନ୍ତି ।”
ତା’କଥା ଶୁଣି ଋଷି କହିଲେ “ବତ୍ସ! ସେଥିରେ ମଧ୍ୟ ତୁ ତୁଷ୍ଟ ହେବୁ ନାହିଁ । ତେବେ ସେଥିରେ ତୋର କିଛି କ୍ଷତି ମଧ୍ୟ ହେବ ନାହିଁ । ମୁଁ ଆଶୀର୍ବାଦ ଦେଉଛି । ସେ କାପାଳିକ ଉତ୍ତର ଦିଗରେ ବଣ ଭିତରେ, ଗୋଟିଏ ତ୍ରିମୁଖୀ ଗୁମ୍ଫା ଭିତରେ ରହିଛି ।”
ତା’ପରେ ବିନୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସେ ତ୍ରିମୁଖୀ ଗୁମ୍ଫା ପାଖରେ ଆସି ପହଁଚିଲା । କାପାଳିକ ସ୍ନାନ କରିବା ନିମନ୍ତେ ଝରଣାରେ ପଶିବା ବେଳେ ବିନୟ ତା’ ଯାଦୁଦଣ୍ଡଟି ଉଠାଇ ନେଲା ଓ ତା’ ଉପରକୁ ଲମ୍ଫ ଦେଲା । ଦ୍ୱନ୍ଦ୍ୱ ଯୁଦ୍ଧରେ କାପାଳିକ ମଲା । ତତ୍କ୍ଷଣାତ୍ ଏଣେ ନଅରରେ ରାଜକନ୍ୟା ଚେଇଁ ଉଠିଲେ । ରାଜାଙ୍କ ଦକ୍ଷୀଣ ହସ୍ତ ପୁଣି ସଚଳ ହେଲା । ବିନୟ, ରାଜା ଓ ମନ୍ତ୍ରୀଙ୍କୁ ବଣ ଭିତରକୁ ନେଇଯାଇ କାପାଳିକର ମୃତଦେହ ଦେଖାଇ ଦେଲା । ଫଳରେ ବିନୟ ରାଜକନ୍ୟାଙ୍କୁ ବିବାହ କଲା ଓ ସେ ରାଜ୍ୟର ଯୁବରାଜ ଭାବରେ ଘୋଷିତ ହେଲା ।
ଏହାର କିଛିଦିନ ପରେ ରାଜାଙ୍କ ମୃତ୍ୟୁ ପରେ ବିନୟ ରାଜା ହେଲା । ସଙ୍ଗେ ସଙ୍ଗେ ବଣ ଭିତରକୁ ଯାଇ ସେ ଋଷିଙ୍କୁ କହିଲା, “ମହାତ୍ମା! ଏବେ ମୁଁ ଗୋଟାଏ ବଶେଷ କାମରେ ହାତ ଦେବାକୁ ଯାଉଛି । ମୋତେ ଆଶୀର୍ବାଦ ଦିଅନ୍ତୁ ।”
ଋଷି ଟିକିଏ ଆଖିବୁଜି ରହି ତା’ପରେ ଆଶୀର୍ବାଦ ଦେଲେ ଓ କହିଲେ, “ତୁମର ଯଥାର୍ଥ ଉନ୍ନତି ହେଉ ।”